ନୂଆଦିଲ୍ଲୀ,୨୮/୦୭: ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ୧୫ ଜଣିଆ ଦଳରେ ଜଣେ ନୂଆ ମୁହଁ ସାମିଲ ହୋଇଛନ୍ତି । ଯେଉଁଥିରେ ୪ ଜଣ ବିଶେଷଜ୍ଞ ଦ୍ରୁତ ବୋଲର ମଧ୍ୟ ସାମିଲ ଅଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟରେ ଏକ ଚମତ୍କାର ଡେବ୍ୟୁ କରିଥିବା ମାନବ ସୁଥାରଙ୍କୁ ମଧ୍ୟ ଶ୍ରୀଲଙ୍କା ଗସ୍ତ ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି । ଆହତ ସମସ୍ୟା ପାଇଁ ପ୍ରଥମ ଟେଷ୍ଟରୁ ୱାଶିଂଟନ ସୁନ୍ଦର ଦଳରୁ ବାହାରେ ଅଛନ୍ତି । ସବୁଠୁ ବଡ଼ କଥା ହେଉଛି ଅଭିଜ୍ଞ ଷ୍ଟାର ବୋଲର ରବୀନ୍ଦ୍ର ଜାଡ଼େଜା ଏବଂ ଯଶପ୍ରୀତ ବୁମରାଙ୍କର ଟେଷ୍ଟ ଟିମରେ ପ୍ରତ୍ୟାବର୍ତ୍ତନ ହୋଇଛି । ନୂଆ ଚେହେରା ଭାବେ ସରାଂଶ ଜୈନଙ୍କୁ ଦଳରେ ସାମିଲ କରାଯାଇଛି ।
ଫେରିଲେ ଜାଡେଜା-ବୁମରା- ଶ୍ରୀଲଙ୍କା ଗସ୍ତ ପାଇଁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆକୁ ଫେରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । ସମାନ ଭାବେ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଥିଲେ ବୁମରା । ବର୍ତ୍ତମାନ ବୁମରା ଆହତ ଅଛନ୍ତି । ସୁସ୍ଥ ହେବା ପରେ ଦଳରେ ଯୋଗ ଦେବେ । ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଦଳରେ ପ୍ରଥମ ଥର ପାଇଁ ମନୋନୀତ ହୋଇଥିବା ଗୁରନୁର ବ୍ରାରଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିନଥିଲା । ଆଶା କରାଯାଉଛି, ଶ୍ରୀଲଙ୍କାରେ ତାଙ୍କର ଟେଷ୍ଟ ଡେବ୍ୟୁ ପାଇଁ ଅପେକ୍ଷାର ଅନ୍ତ ହେବ । ବ୍ୟାଟ୍ର ସାଇ ସୁଦର୍ଶନ ଅନଫିଟ୍ ହେବା ସତ୍ତ୍ୱେ ଦଳରେ ସ୍ଥାନ ସୁରକ୍ଷିତ କରିବାରେ ସଫଳ ହୋଇଛନ୍ତି । ତଥାପି, ଯଶପ୍ରୀତ ବୁମରାହଙ୍କ ପରି, ସାଇ ସୁଦର୍ଶନଙ୍କ ଉପଲବ୍ଧତା ଫିଟନେନ୍ ଉପରେ ନିର୍ଭର କରିବ ।
ଦଳରେ ମଧ୍ୟପ୍ରଦେଶ ଅଲରାଉଣ୍ଡର ସରାଂଶ ଜୈନଙ୍କ ଚୟନ ସମସ୍ତଙ୍କୁ ଚକିତ କରିଛି । ସରାଂଶ ଜଣେ ବାମହାତୀ ବ୍ୟାଟସମ୍ୟାନ୍ ଏବଂ ଜଣେ ଡାହାଣହାତୀ ଅଫ୍ ସ୍ପିନର । ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିୟରରେ, ସେ ୫୪ଟି ମ୍ୟାଚରେ ୨,୨୦୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି ଏବଂ ୧୮୮ଟି ୱିକେଟ ନେଇଛନ୍ତି ।.
ଖେଳାଯିବ ୨ଟି ଟେଷ୍ଟ ମ୍ୟାଚ୍- ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରୁ୧୯ ତାରିଖରେ ଗାଲେରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ କଲୋମ୍ବୋରେ ଅଗଷ୍ଟ ୨୩ରୁ ୨୭ ଯାଏ ଚାଲିବ । ଅଗଷ୍ଟ ୪ ତାରିଖରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ । ଅଗଷ୍ଟ ୭ରେ ୪ ଦିନିଆ ୱାର୍ମ ଅପ୍ ମ୍ୟାଚ୍ ଖେଳିବ ।
ଭାରତୀୟ ଟିମ୍- ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଧ୍ରୁଭ ଜୁରେଲ, ଦେବଦତ୍ତ ପାଡ଼ିକଲ, ମାନବ ସୂତାର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୁର ବ୍ରାର, ସାରାଂଶ ଜୈନ ।

