୨୦୩୬ସୁଦ୍ଧା ଦେଶର ପ୍ରଥମ ୫ଟି ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନ ହାସଲ କରିବ : ମୁଖ୍ୟମନ୍ତ୍ରୀ

Reporterspen

କେନ୍ଦୁଝର,(ରିପୋର୍ଟର୍ସ ପେନ୍‌) : କେନ୍ଦୁଝରଠାରେ ଆଜିଠୁ ଗୋନାସିକା-କେନ୍ଦୁଝର ମହୋତ୍ସବ ଆରମ୍ଭ ହୋଇଛି । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି । ଓଡ଼ିଶାକୁ ସମୃଦ୍ଧ କରିବା ଦିଗରେ ସରକାର ଉଦ୍ୟମ ଜାରି ରଖିଛନ୍ତି । ଆସନ୍ତା ୧୦ବର୍ଷ ମଧ୍ୟରେ ଅର୍ଥାତ ୨୦୩୬ସୁଦ୍ଧା ଓଡ଼ିଶା ଦେଶର ପ୍ରଥମ ପାଞ୍ଚଗୋଟି ଶ୍ରେଷ୍ଠ ବିକଶିତ ରାଜ୍ୟର ଅଂଶବିଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଜ ଅଭିଭାଷଣରେ ସେ କହିଛନ୍ତିଯେ, ଆଜି ଓଡ଼ିଶାର ନୂତନ ନିର୍ମାଣର ଯଜ୍ଞ ଆରମ୍ଭ ହୋଇଛି । ଏଥିପାଇଁ ଆମ ସରକାର ରେକର୍ଡ଼ ୬୫ହଜାର କୋଟି ଟଙ୍କାରୁ ବି ଅଧିକ ବ୍ୟବସ୍ଥା କରାଯାଇଛି । ଆଜି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ରେଳ ସଂଯୋଗ, ଉତ୍ତମ ରାସ୍ତା ସଂଯୋଗ ପାଇଁ କାର୍ଯ୍ୟ ଚାଲୁଅଛି ।

ଆମ ସରକାର ୨୦୨୭ସୁଦ୍ଧା ରାଜ୍ୟର ପ୍ରତି ଗ୍ରାମକୁ ସବୁ ଦିନିଆ ରାସ୍ତା, ସବୁ ଗାଁକୁ ବିଜୁଳି ଏବଂ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ‘ମିଶନ ପାୱାରର ଗଠନ କରିଛନ୍ତି। ୨୦୩୬ସୁଦ୍ଧା ଓଡିଶା ଦେଶର ପ୍ରଥମ ପାଞ୍ଚଗୋଟି ଶ୍ରେଷ୍ଠ ବିକଶିତ ରାଜ୍ୟର ଅଂଶ ବିଶେଷ ହେବ। ଏଥିପାଇଁ ଆମେ ରାଜ୍ୟରେ ଏକ ନୂତନ ଶିଳ୍ପ ବିପ୍ଲବ ଆରମ୍ଭ କରିଦେଇଛୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶାସନ କ୍ଷମତାକୁ ଆସିବାର ମାତ୍ର ୭ମାସ ମଧ୍ୟରେ ଆମ ରାଜ୍ୟ ବିଭିନ୍ନ ପ୍ରକଳ୍ପ ପାଇଁ ୧୭ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଥିଲା, ଉତ୍କର୍ଷ ଓଡିଶା ମାଧ୍ୟମରେ ଯାହା ଫଳରେ ୧୩ଲକ୍ଷରୁ ଅଧିକ ରୋଜଗାର ସୃଜନ ହେବ । ଉତ୍କର୍ଷ ଓଡ଼ିଶାର ମାତ୍ର ୧୧ମାସ ମଧ୍ୟରେ ଆଜି ରାଜ୍ୟରେ ୨ଲକ୍ଷ ୪୦ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ହୋଇ ସାରିଛି ଏବଂ ଆଗାମୀ ଦିନରେ ଏଥିରୁ ଦେଢ ଲକ୍ଷ ରୋଜଗାର ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ସମୃଦ୍ଧ ଓଡ଼ିଶାର ଉଦାହରଣ ଦେଇ ସେ କହିଥିଲେ ଯେ, ଏହାର ନିଚ୍ଛକ ପ୍ରମାଣ ହେଉଛି କେନ୍ଦୁଝରଠାରେ ପ୍ରତିଷ୍ଠିତ ହେବାକୁ ଥିବା ମେଗାଷ୍ଟିଲ ପ୍ଲାଣ୍ଟ । ଏହାର ସ୍ଥାପନ ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି । ଖୁବଶୀଘ୍ର ଏହାର ଶିଳାନ୍ୟାସ ହେବ । ରାଉରକେଲା, ଯାଜପୁର ଭଳି କେନ୍ଦୁଝର ଏକ ଇସ୍ପାତ ନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ । ସବୁ ଶିଳ୍ପ ଓ ଖଣି ଅଞ୍ଚଳକୁ ୬ଥାକିଆ ରାସ୍ତା କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛି । କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ଥାକିଆ ବିଶିଷ୍ଟ କରାଯିବ ବଡ଼ବିଲରେ ଏକ ରିଙ୍ଗରୋଡ଼ କରାଯିବ। ରାଜ୍ୟରେ କେତେଗୁଡ଼ିଏ ଇକୋନୋମିକ ଜୋନର ବିକାଶ କରାଯାଉଛି ।

ଏଥିରେ କେନ୍ଦୁଝର-ବଡ଼ବିଲ-ଯୋଡ଼ା ଅଞ୍ଚଳକୁ ରାଜ୍ୟର ଏକ ସୁଦୃଢ଼ ଅର୍ଥନୈତିକ ଜୋନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ବାକି କେନ୍ଦୁଝର ଜିଲ୍ଲାରେ ଅନେକ ବିକାଶ ପ୍ରକଳ୍ପ ଜାରି ରହିଛି । ସେଗୁଡ଼ିକ ଆପଣଙ୍କ ପାଇଁ ଖୁବ୍ ଶୀଘ୍ର ଲୋକାର୍ପଣ କରାଯିବ। ସୁନାର କେନ୍ଦୁଝର କେବଳ ଏକ କଥା ହୋଇ ରହିବ ନାହିଁ, ଏହା ସାରା ଓଡ଼ିଶା ପାଇଁ ହେବ ଏକ ବାସ୍ତବତା । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଦେଶର ଶାସନ ଦାୟିତ୍ଵ ଗ୍ରହଣ କରିବା ପରେ ଦେଶରେ ସାଂସ୍କୃତିକ ରାଷ୍ଟ୍ରବାଦର ଏକ ନୂତନ ସ୍ୱରୂପ ସୃଷ୍ଟି ହୋଇଛି। ପୂର୍ବରୁ ଭାରତୀୟ ସଂସ୍କୃତି, ପରମ୍ପରାକୁ ସର୍ବସାଧାରଣରେ ଗର୍ବର ସହିତ ପରିପ୍ରକାଶ କରିବା ଏକ ପ୍ରକାର କୁଣ୍ଠାଭାବ ସହିତ ଦେଖାଯାଉଥିଲା। କିନ୍ତୁ, ଆଜି ସମଗ୍ର ଦେଶବାସୀ ଗର୍ବର ସହିତ କହୁଛନ୍ତି, ଯେ ସେମାନେ ହେଉଛନ୍ତି, ଭାରତୀୟ ସଂସ୍କୃତି ଓ ପରମ୍ପରାର ଅଂଶ ବିଶେଷ ।

ସେ କହିଥିଲେ, ଆମ ପରମ୍ପରା, କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନକୁ ସମୃଦ୍ଧ କରିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ମହୋତ୍ସବ ଏକ ପ୍ରଶଂସନୀୟ ଉଦ୍ୟମ । ପ୍ରତି ବର୍ଷ ଏହି ମହୋତ୍ସବ ମାଧ୍ୟମରେ ପୂର୍ବସୂରୀଙ୍କ ସ୍ମୃତିଚାରଣ ସହିତ ଆଗାମୀ ପିଢିଙ୍କୁ ସଂସ୍କୃତିମନସ୍କ ହେବା ପାଇଁ ପ୍ରୋତ୍ସାହନ ମଧ୍ୟ ମିଳେ । କେନ୍ଦୁଝରର ସଂସ୍କୃତି ଓ ଐତିହ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏହି ମହୋତ୍ସବ ଏକ ପ୍ରକୃଷ୍ଠ ମଞ୍ଚ ଭାବେ ସାବ୍ୟସ୍ତ ହୋଇଛି ।

ଲୋକଙ୍କ ସହିତ ମିଶିବାର ଏକ ପ୍ରକୃଷ୍ଟ ମାଧ୍ୟମ ଓ ଲୋକଙ୍କ ଗହଣରେ କିଛି ମୂହୁର୍ତ୍ତ ବିତେଇବା ପାଇଁ ଏହି ମଞ୍ଚ ସୁଯୋଗ ଦେଇଥାଏ। ଆମ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ହେଉଛି ‘ବିବିଧତା ଭିତରେ ଏକତା’। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଥିଲେ ଯେ, ଆମ ସରକାର ଆସିବା ଦିନରୁ ହିଁ ଓଡ଼ିଆ ଅସ୍ମିତାକୁ ପ୍ରଥମିକତା ଦେଇ ଆସିଛି । ସରକାରୀ କାର୍ଯ୍ୟ ସବୁ, ଲୋକେ ବୁଝୁଥିବା ଭାଷାରେ ହେବା ଉଚିତ୍। ଓଡ଼ିଶାର ଅଧିକାଂଶ ଲୋକ କେବଳ ଓଡ଼ିଆ ଭାଷାକୁ ହିଁ ବୁଝନ୍ତି ଓ ସେଥିରେ କଥାବାର୍ତ୍ତା ହୁଅନ୍ତି। ତେଣୁ ବ୍ୟକ୍ତିଗତ ଓ ସାମୁହିକ ସମସ୍ତ ସୂଚନା ଓଡ଼ିଆ ଭାଷାରେ ହେବା ବିଧେୟ। ଆଜି ସଚିବାଳୟରେ ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ ହେଉଛି।

ଯେତେବେଳେ ବି ଓଡିଆ ସଂସ୍କୃତି ଓ ପରମ୍ପରାର କଥା ଆଲୋଚନା ହେବ, ଆଦିବାସୀ ସଂସ୍କୃତି ଓ ପରମ୍ପରା ବିନା ତାହା ଅସମ୍ପୂର୍ଣ୍ଣ ହୋଇ ରହିବ। କାରଣ, ରାଜ୍ୟର ପ୍ରାୟ ଏକ ଚତୁର୍ଥାଂଶ ହେଉଛନ୍ତି ଜନଜାତି ସମ୍ପ୍ରଦାୟର। ରାଜ୍ୟରେ ୬୨ବର୍ଗର ଜନଜାତି ବସବାସ କରନ୍ତି । ସମସ୍ତଙ୍କର ନିଜର ପରମ୍ପରା ଅଛି, ଐତିହ ଅଛି, ଲୋକକଳା ଅଛି । ଏହି ସବୁ ଜନଜାତି ଲୋକକଳାରେ ଓଡ଼ିଶାର ସଂସ୍କୃତି ଋଦ୍ଧିମନ୍ତ । ଆଜି ସେମନଙ୍କ ନୃତ୍ୟ ଓ ସଙ୍ଗୀତର ମୂର୍ଚ୍ଛନାରେ ଲୋକେ ଝୁମିବେ ଏବଂ ଜୀବନର ସବୁ ଅବଶାଦ ଭୁଲି ନିଜ ସଂସ୍କୃତି ଓ ସଭ୍ୟତାକୁ ପୁନର୍ବାର ଚରଣ କରିବେ। ଏହା ହିଁ ହେଉଛି, ଆଜିର କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଵିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅନନ୍ତ ଚରଣ ନାୟକ, ବିଧାୟକ ବଦ୍ରି ନାରାୟଣ ପାତ୍ର, ବିଧାୟକ ଡକ୍ଟର ଫକୀର ମୋହନ ନାୟକ, ବିଧାୟକ ଅଖିଳ ଚନ୍ଦ୍ର ନାୟକ, ଡିଆଇଜି ବ୍ରିଜେସ ରାଏ, ଏସପି ନୀତିନ କୁଶଲକର ଉପସ୍ଥିତ ଥିଲେ l


Reporterspen