child missing : କୁଆଡେ ଅର୍ନ୍ତଧ୍ୟାନ ହୋଇଗଲା ଆର୍ଶିବାଦ?

Reporterspen

child missing : ଭୁବନେଶ୍ୱର,ଡେଲାଙ୍ଗ (ରିପୋଟର୍ସ ପେନ୍‌) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ସୁଜନପୁର ପଞ୍ଚାୟତର ରତନପୁର ଗାଁ ଦାଣ୍ଡରୁ ୧୧ବର୍ଷର ନାବାଳକ ଆର୍ଶିବାଦ ନିଖୋଜ ହୋଇଯାଇଛି । ଆଜିକୁ ୬ଦିନ ନାବାଳକର କୌଣସି ଖୋଜଖବର ମିଳିପାରୁନି । ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରୁଥିବା ବେଳେ ଅଗ୍ନିଶମବାହିନୀ ଆଖପାଖ ଜଳାଶୟରେ ଛାନଭିନ କରୁଛି । ହେଲେ ନାବାଳକର ପତ୍ତା ମଳୁନି । ତେବେ ଗାଁ ଦାଣ୍ଡରୁୁ କୁଆଡେ ଅର୍ନ୍ତଧ୍ୟାନ ହୋଇଗଲା ଆର୍ଶିବାଦ? କିଏ ଅପହରଣ କରି ନେଲା କି? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି ।

ଗତ ୧୪ ତାରିଖ ଅପରାହ୍ଣରେ ରତନପୁରର ମାନସ ସାହୁଙ୍କ ୧୧ ବର୍ଷିର ପୁଅ ଆର୍ଶିବାଦ ଗାଁ ଦାଣ୍ଡରୁ ହଠାତ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିିଥିଲା । ଗାଁ ଆଖାପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଥିବା ବେଳେ ସନ୍ଦୀଗ୍ଧ ଓ ପରିବାର ଲୋକଙ୍କ ମୋବାଇଲ ଫୋନକୁ ମଧ୍ୟ ତଦନ୍ତ ପରିସରଭୃକ୍ତ କରାଯାଇଛି । ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ପାଖରେ ଥିବା ଲୁଣା ନଦୀ ଠାରୁ ଆରମ୍ଭ କରି ସମସ୍ତ ଜଳାଶୟରେ ଖାନତଲାସୀ କରୁଛି । ହେଲେ କୌଣସି ସୁଫଳ ମିଳିପାରୁନାହିଁ ।

ପୋଲିସର ୩ଟି ଟିମ୍ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ କରୁଥିବା ବେଳେ ଆର୍ଶିବାଦ ସ୍କୁଲକୁ ମଧ୍ୟ ତଦନ୍ତ ପରିସରଭୃକ୍ତ କରାଯାଇଛି । ଆର୍ଶିବାଦର ଆଚାର ବ୍ୟବହାର, ଚାଲିଚଳଣ କିପରି ତାହାକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି । ପଡୋଶୀ ଲୋକଙ୍କ ଠାରୁ ଆରମ୍ଭ କରି କ୍ଲାସ ଟିଚରଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଉଛି । ଏଥିସହିତ ମାନସଙ୍କର କାର୍ଯ୍ୟକଳାପ ଓ ତାଙ୍କ ଶତ୍ରୁଙ୍କୁ ମଧ୍ୟ ପୋଲିସ ରାଡାରରେ ରଖିଛି । ଏସବୁ ସତ୍ୱେ ମଧ୍ୟ ପୋଲିସ ନିଖୋଜ ଶିଶୁକୁ ଉଦ୍ଧାର କରିବାରେ ବିଫଳ ହୋଇଛି ।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି । ପୋଲିସ ଯେଉଁଭଳି ଭାବେ ତଦନ୍ତ କରିବା କଥା, ସେଭଳି କରୁନଥିବା ଅଭିଯୋଗ ହେଉଛି । ନିଖୋଜ ଶିଶୁଙ୍କୁ ଖୋଜିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ରହିଥିବା ବେଳେ ଡେଲାଙ୍ଗ ପୋଲିସର ମନ୍ଥର ତଦନ୍ତ ଚିନ୍ତାର କାରଣ ପାଲଟିଛି ।

ଉଲ୍ଲେଖଥାଉ କି, ଭୁବନେଶ୍ୱର ରାମ ମନ୍ଦିର ନିକଟରୁ ଶିଶୁ ଚୋରି ଘଟଣାରେ ମାତ୍ର କିଛି ଘଂଟା ମଧ୍ୟରେ ପୋଲିସ ଏକାଧିକ ରାଜ୍ୟରେ ଛାନଭିନ କରି ଶିଶୁକୁ ଖୋଜି ବାହାର କରିଥିଲା । କିନ୍ତୁ ଭୁବନେଶ୍ୱର ଠାରୁ ୪୦ କିଲୋମିଟର ଦୂର ଡେଲାଙ୍ଗରୁ ନିଖୋଜ ନାବାଳକ ଆର୍ଶୀବାଦର ପତ୍ତା ନମିଳିବା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


Reporterspen
!-- afp header code starts here -->