ସ୍ତ୍ରୀର ବେକ ଚିପିି ହତ୍ୟା କଲା ସ୍ୱାମୀ, ପରେ ସ୍ୱାମୀ ନିଜେ ବିଷ ପିଇଦେଇଥିଲା

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ପାରିବାରିକ ବିବାଦକୁ କେନ୍ଦ୍ର କରି ମଂଚେଶ୍ୱର ଥାନା ଚକେଇସିହାଣୀରେ ଏକ ହତ୍ୟାକାଣ୍ଡ ଘଟିଛି । ପତ୍ନୀର ବେକ ଚିପି ହତ୍ୟା କରିବା ପରେ ସ୍ୱାମୀ ନିଜେ ବିଷ ପିଇଦେଇଥିବା ଜଣାପଡିଛି । ମୃତା ମହିଳା ଜଣକ ମୋନିକା ଜେନା ଓ ତାଙ୍କ ଘର ନୟାଗଡ ବୋଲି ଜଣାପଡିଛି । ପୁଲିସ ଶବ ଜବତ କରିବା ସହ ଘଟଣା ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୃତ ମୋନିକା ୯ବର୍ଷ ତଳେ ଦୀପକ ଜେନାଙ୍କୁ ବିବାହ କରିଥିଲେ । ଉଭୟଙ୍କ ଘର ନୟାଗଡ଼ ଜିଲ୍ଲା ସରଣକୂଳ ଅଞ୍ଚଳରେ । ଦୀପକ ଚେନ୍ନାଇରେ କାଚ ଫିଟିଂ ମିସ୍ତ୍ରୀ ଭାବେ କାମ କରୁଥିବାରୁ ଦୁହେଁ ସେଠାରେ ରହୁଥିଲେ । ବୈବାହିକ ଜୀବନ ମଧ୍ୟରେ ତାଙ୍କର ଗୋଟିଏ ୬ବର୍ଷର ପୁଅ ରହିଛି । ବିବାହର କିଛିଦିନ ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏପରିକି ଏନେଇ କିଛିବର୍ଷ ତଳେ ଶରଣକୂଳ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା ।

ଏହା ପରେ ମଧ୍ୟ ସ୍ୱାମୀ-ସ୍ତ୍ରୀ ଚେନ୍ନାଇରେ ସାଙ୍ଗ ହୋଇ ରହୁଥିଲେ । କିଛିଦିନ ତଳେ ମୋନିକା ପୁଅ ସହ ଚେନ୍ନାଇରୁ ଲୁଚି ଭୁବନେଶ୍ୱର ପଳାଇ ଆସିଥିଲେ । ଭୁବନେଶ୍ୱରରେ ରହୁଥିବରା ମା’ ସତ୍ୟଭାମା ଓ ବଡ ଭଉଣୀଙ୍କ ପାଖରେ ରହୁଥିଲେ । ଏହା ଜାଣିବା ପରେ ଦୀପକ ଭୁବନେଶ୍ୱରରେ ପହଂଚି ଶଶୁର ଘରେ ପାଟିତୁଣ୍ଡ କରିବା ସହ ପୁଅକୁ ସାଙ୍ଗରେ ନେଇଯାଇଥିଲା । ଏହା ପରେ ଦୀପକ ଭୟରେ ମୋନିକା ଓ ତାଙ୍କ ପରିବାର ଭଡା ଘର ବଦଳାଉ ଥିଲେ ।

ତେବେ ୧୫ ଦିନ ତଳେ ମୋନିକା ଓ ତାଙ୍କ ମା’ ଡିଏନ୍ କ୍ଲବ୍ ନିକଟସ୍ଥ ପ୍ରଶାନ୍ତୀ ଲେନ୍‌, ମାଳତୀ ଭବନ ପ୍ଲଟ୍ ନଂ. ୧୯୬/୫୯୪୪ରେ ଆସି ରହୁଥିଲେ । ଇତି ମଧ୍ୟରେ ସ୍ୱାମୀ ଦୀପକ ମଧ୍ୟ ଛୁଟିରେ ଘରକୁ ଆସିଥିଲେ । ଆଜି ମୋନିକାଙ୍କ ମା’ ଓ ଭଉଣି ଅଫିସ ଯିବା ପରେ ଦୀପକ ତାଙ୍କ ଘରକୁ ଆସିଥିଲା । ପୂର୍ବ ବିବାଦକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏକ ଗାମୁଛାରେ ସେ ପତ୍ନୀ ମୋନିକାଙ୍କ ବେକକୁ ଚାପିବା ସହ ଶରୀରର ବିଭିନ୍ନ ସ୍ଥାନକୁ ବ୍ଲେଡରେ କାଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ପ୍ରଦୀପ କବାଟ ବନ୍ଦ କରି ପଳାଇଯାଇଥିଲେ ।

ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରୁ ନବାହାରିବା ଓ କବାଟ ବାହାର ପଟୁ ବନ୍ଦ ଥିବାରୁ ପଡୋଶୀ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏପରିକି ସନ୍ଧ୍ୟାରେ ମା’ ଅଫିସରୁ ଫେରି ଏହା ଜାଣିବା ପରେ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା । ପୁଲିିସ ପହଂଚି କବାଟ ଭାଙ୍ଗିଲା ବେଳକୁ ଘର ଭିତର ଖଟ ଉପରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲା । ପୁଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତଦନ୍ତ ବେଳେ ଅଭିଯୁକ୍ତ ସ୍ୱାମୀ ତାଙ୍କ ଘରକୁ ଆସିଥିବା ଜଣାପଡିବା ପରେ ପୁଲି ତାକୁ ଖୋଜିଥିଲା । ମୋବାଇଲ ଲୋକେସନରୁ ସେ ଏକ ଅଟୋରେ ବସିଥିବା ବେଳେ ପୁଲିସ ତାକୁ ଠାବ କରିଥିଲା । ହେଲେ ସେତେବେଳକୁ ସେ ବିଷ ପିଇ ଗୁରୁତ ଅବସ୍ଥାରେ ଥିଲା । ପୁଲିସ ତୁରନ୍ତ ତାକୁ ଉଦ୍ଧାର କରି ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଛି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ଖୋଳତାଡ କରୁଛି ।


Reporterspen