Jagannath Pradhan arrested: ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ

Reporterspen

Jagannath Pradhan arrested: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ବିଏମସି ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣା ଏବେ ଭିନ୍ନ ମୋଡ ନେଇଛି । ଓଏଏସ୍ ସଂଘ ଆନ୍ଦୋଳନକୁ ଓହ୍ଲାଇବା ପରେ ରାଜ୍ୟ ସରକାର କଠୋର ହୋଇଛନ୍ତି । ଏହି ଘଟଣାର ମାଷ୍ଟରମାଇଣ୍ଡ ତଥା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । ଗୁରୁବାର ରାତିରେ ଶ୍ରୀପ୍ରଧାନ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ପୂର୍ବରୁ ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ସମସ୍ତେ ବିଜେପି କର୍ମୀ ଓ ଜଗନ୍ନାଥଙ୍କ ପାଖ ଲୋକ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଜଗନ୍ନାଥ ପ୍ରଧାନ ଗିରଫ ହେବା ପରେ ଓଏଏସ୍ ସଂଘ ଆନ୍ଦୋଳନରୁ ଓହରି ଯାଇଛି । ଆସନ୍ତାକାଲି ଠାରୁ କାର୍ଯ୍ୟରେ ଯୋଗ ଦେବେ ବୋଲି ସଂଘ କହିଛି ।

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ଗତ ତିନିଦିନ ହେଲା ପ୍ରସାଶନିକ ସେବା ଠପ ହୋଇପଡିଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଦେଖାଦେବାରୁ ସରକାର ଏକ ବଡ ପଦକ୍ଷେପ ନେବାକୁ ଚିନ୍ତା କରିଛନ୍ତି । ଓଏଏସ ସଂଘର ଦାବି ପରେ ରାଜ୍ୟ ବିଜେପି ଓ ସରକାର ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆଂଶଙ୍କା ସୃଷ୍ଟି ହୋଇଥିଲା । ଏହି ଆଂଶଙ୍କା ଭିତରେ ଜଗନ୍ନାଥ ପ୍ରଧାନ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଂଚିଥିଲେ । ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟିଥିଲେ । ସେ ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖିଥିଲେ । ଶ୍ରୀ ପ୍ରଧାନ ବିଜେପି କାର୍ଯ୍ୟାଳୟରେ ପହଂଚିଲା ପରେ କିଛି ବଡ଼ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତାଙ୍କର ସମର୍ଥକମାନେ ମଧ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଭିଡ଼ ଲଗାଇଥିଲେ । ଏହାକୁ ଦୃଷ୍ଟିରେ ରଖି ବିଜେପି କାର୍ଯ୍ୟାଳୟ ସାମ୍ନାରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।

ଗତକାଲି ବିଜେପି କାର୍ଯ୍ୟାଳୟରେ ପହଂଚିବା ପୂର୍ବରୁ ଜଗନ୍ନାଥ ପ୍ରଧାନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ, ରାଜ୍ୟରେ ଦୁଇଦିନ ହେବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି । ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଖଦାୟକ ଓ ନିନ୍ଦନୀୟ । ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି । ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡ଼କୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି । ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି ।

ସୂଚନାଯୋଗ୍ୟ, ଗତ ସୋମବାର ଦିନ ବିଏମ୍‌ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଛନ୍ତି । ଏହି ଘଟଣା ପରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି । ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ ଓଏଏସ୍ ଅଧିକାରୀମାନେ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଘଟଣାରେ ପୋଲିସ ୪ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି ।


Reporterspen