କୋଲକାତା: ଛୋଟରୁ ବଡ ଫର୍ମାଟ୍କୁ ଯିବା ଆଦୌ ସହଜ ନୁହେଁ । ସେଥିପାଇଁ ଅଷ୍ଟ୍ରେଲିଆରେ ଦିନିକିଆ ଓ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଖେଳି ନିକଟରେ ସ୍ୱଦେଶ ଫେରିଥିବା ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ଲାଲ୍ ବଲ୍ କ୍ରିକେଟ୍ ପାଇଁ ଅତିରିକ୍ତ ଅଭ୍ୟାସ କରୁଛନ୍ତି । ନିଜ ବୈଷୟିକ କଳା କୌଶଳକୁ ଶାଣିତ କରି ଟେଷ୍ଟ୍ ମ୍ୟାଚ୍ ଫର୍ମାଟ୍ ସହ ସହ ଖାପ ଖୁଆଇବା ଲାଗି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ପ୍ରତୀକ୍ଷିତ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଆଉ ମାତ୍ର ଦୁଇଦିନ ବାକି ଥିବାରୁ ଐତିହାସିକ ଇଡେନ୍ ଗାର୍ଡେନ୍ସରେ କେବଳ ଗିଲ୍ ନୁହେଁ, ଭାରତୀୟ ଦଳର ଅଧିକାଂଶ ସଦସ୍ୟ ସ୍ୱେଚ୍ଛାକୃତ ଅଭ୍ୟାସ ଅଧିବେଶନରେ ମଧ୍ୟ ବହୁ ସମୟ ଝାଳ ବୁହାଉଥିବା ଦେଖିବାକୁ ମିଳୁଛି ।
ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ବିଜେତା ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାର ପ୍ରଥମ ମୁକାବିଲା କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆସନ୍ତା ଶୁକ୍ରବାରଠାରୁ ଖେଳାଯିବ । ପ୍ରତିକୂଳ ପରିବେଶ ଏବଂ ବରିଷ୍ଠ ଖେଳାଳିଙ୍କୁ ଅନୁପସ୍ଥିତି ସତ୍ତ୍ବେ ପାକିସ୍ତାନ ବିପକ୍ଷ ଶୃଙ୍ଖଳାକୁ ସମ୍ମାନର ସହ ୧-୧ରେ ଅମୀମାଂସିତ ରଖି ଦକ୍ଷିଣ ଆଫ୍ରିକା ଭାରତ ଆସିଛି । ସେଥିପାଇଁ ଭାରତୀୟ ଖେଳାଳିମାନେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ତତ୍ତ୍ୱାବଧାନରେ ବିପକ୍ଷ ଦଳର ପ୍ରତିଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଅଧିନାୟକ ଗିଲ୍ ବ୍ୟକ୍ତିଗତ ଭାବେ ଭଲ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବା ଲକ୍ଷ୍ୟରେ ଅଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ଗିଲ୍ ଗୋଟିଏ ଲେଖାଏଁ ଅର୍ଦ୍ଧଶତକ ଓ ଶତକ ଅର୍ଜନ କରି ଭଲ ଫର୍ମରେ ଥିଲେ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ପର୍ଯ୍ୟାୟ (୩ ଦିନିକିଆ, ୫ ଟ୍ୱେଣ୍ଟି-୨୦)ରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିବାକୁ ସକ୍ଷମ ହୋଇଥିଲେ । ଏଣୁ ଏହି ବିଫଳତାର ଭରଣା ଦକ୍ଷିଣ ଆଫ୍ରିକା ବିପକ୍ଷରେ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ମଙ୍ଗଳବାର ଭାରତୀୟ ଖେଳାଳିମାନେ ଅଭ୍ୟାସ କରିବାକୁ ପଡିଆକୁ ଓହ୍ଲାଇବା ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ସହକାରୀ ପ୍ରଶିକ୍ଷକ ସିତାଂଶୁ କୋଟାକ ଦୀର୍ଘ ସମୟ ପର୍ଯ୍ୟନ୍ତ ପରସ୍ପର ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ଉଭୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳର ଆଭିମୁଖ୍ୟ କିଭଳି ରହିବ, ସେ ନେଇ ଚର୍ଚ୍ଚା କରୁଥିବା ଅନୁମାନ କରାଯାଉଛି । ଏହା ପରେ ଗିଲ୍ଙ୍କ ନେତୃତ୍ୱରେ ଭାରତୀୟ ଯୁବ ଖେଳାଳିମାନେ ପଡିଆକୁ ଓହ୍ଲାଇଥିଲେ । ସ୍ପିନ୍ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡେଜା, ୱାସିଂଟନ୍ ସୁନ୍ଦର ଢେର୍ ସମୟ ପର୍ଯ୍ୟନ୍ତ ଗିଲ୍ ଓ ଅନ୍ୟତମ ଓପନର୍ ଯଶସ୍ୱୀ ଜୟସ୍ୱାଲଙ୍କୁ ବୋଲିଂ କରିଥିଲେ । ଏହା ପରେ ଯଶପ୍ରୀତ୍ ବୁମ୍ରା, ନୀତୀଶ କୁମାର ରେଡ୍ଡୀ ଏବଂ କିଛି ସ୍ଥାନୀୟ ବୋଲର୍ ମଧ୍ୟ ଗିଲ୍ ଓ ଅନ୍ୟ ଭାରତୀୟ ଖେଳାଳିଙ୍କୁ ବୋଲିଂ କରିଥିଲେ । ତୃତୀୟ ସ୍ଥାନ ପାଇଁ ଧ୍ରୁବ ଜୁରେଲଙ୍କ ସହ ମୁକାବିଲାରେ ଥିବା ସାଇ ସୁଦର୍ଶନ ମଧ୍ୟ ନିଜ ଏକାଗ୍ରତାକୁ ପରୀକ୍ଷା କରିବାକୁ ଯାଇ ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ନେଟ୍ସରେ କଟାଇଥିଲେ । ଭାରତ-ଏ’ ଦଳରେ ଥିବା କେଏଲ୍ ରାହୁଲ, ଜୁରେଲ, କୁଲଦୀପ ଯାଦବ ଓ ମହମ୍ମଦ ସିରାଜ କିନ୍ତୁ ବିଶ୍ରାମ ନେବାକୁ ପସନ୍ଦ କରିଥିଲେ । ଇଡେନ୍ ଗାର୍ଡେନ୍ସ କ୍ୟୁରେଟର୍ଙ୍କୁ ଅନୌପଚାରିକ ଭାବେ ସ୍ପିନ୍କୁ ସୁହାଇଥିବା ପିଚ୍ ପ୍ରସ୍ତୁତ କରିବାକୁ ଗମ୍ଭୀର କହିଥିବାରୁ ଭାରତ ତିନିଜଣ ସ୍ପିନର୍ଙ୍କୁ ନେଇ ଏହି ମ୍ୟାଚ୍ ଖେଳିବାର ସମ୍ଭାବନା ଅଧିକ ରହିଛି ।
ଦିଲ୍ଲୀ ବିସ୍ଫୋରଣ ପରେ ବଢିଲା ସୁରକ୍ଷା
ନୂଆଦିଲ୍ଲୀର ଲାଲ୍କିଲ୍ଲା ଅଞ୍ଚଳରେ ଆତଙ୍କବାଦୀଙ୍କ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣରେ ୧୩ଜଣ ନିରୀହ ଲୋକଙ୍କ ପ୍ରାଣହାନି ଘଟିବା ପରେ ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍ର ବାହାର ଓ ଆଭ୍ୟନ୍ତରୀଣ ସୁରକ୍ଷାକୁ ବଢାଇ ଦିଆଯାଇଛି । ଏଠାରେ ଶୁକ୍ରବାରଠାରୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍ ଖେଳାଯିବା ପରିପ୍ରେକ୍ଷୀରେ ସୁରକ୍ଷାକୁ କଡାକଡି କରାଯାଇଥିବା କୋଲକାତା ପୁଲିସ କହିଛି । ପଶ୍ଚିମବଙ୍ଗର ପୂରା ପୁଲିସ ବାହିନୀ ହାଇଆଲର୍ଟରେ ଥିବା ମଧ୍ୟ ଜଣାପଡିଛି । ଯେ କୌଣସି ପ୍ରକାର ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ଆମେ ପ୍ରସ୍ତୁତ । ଖେଳାଳି କିମ୍ବା ସାଧାରଣ ଜନତାଙ୍କର ଭୟ କରିବାର କିଛି ନାହିଁ ବୋଲି କୋଲକାତା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେହିଭଳି ମ୍ୟାଚ୍ ପୂର୍ବଦିନଠାରୁ ଇଡେନ୍ ଗାର୍ଡେନ୍ସ ଚାରିପଟେ ସ୍ୱତନ୍ତ୍ର ସୁରକ୍ଷା ବଳକୁ ନିୟୋଜିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

