ଇଂଲଣ୍ଡକୁ ୨୭୦ ରନରେ ହରାଇ ଟେଷ୍ଟ ବିଜୟ
ଲଣ୍ଡନ, : ଭାରତୀୟ ମହିଳା କ୍ରିକେଟ ଦଳ ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଏହି ପ୍ରତିଷ୍ଠିତ ମୈଦାନରେ ଖେଳାଯାଇଥିବା ମହିଳା ଟେଷ୍ଟ ମ୍ୟାଚ୍ରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡକୁ ୨୭୦ ରନରେ ପରାସ୍ତ କରି ସ୍ମରଣୀୟ ବିଜୟ ହାସଲ କରିଛି । ଚତୁର୍ଥ ଦିନ ସୋମବାର ଭାରତ ଏହି ଐତିହାସିକ ସଫଳତା ହାସଲ କରିବା ସହ ଟି-୨୦ ଶୃଙ୍ଖଳାରେ ୧-୨ରେ ହାରିଥିବା ଦୁଃଖକୁ ଦୂର କରିଛି ।
ଟି-୨୦ ବିଶ୍ୱକପ୍ରେ ନିରାଶାଜନକ ପ୍ରଦର୍ଶନ ପରେ ଭାରତୀୟ ଦଳ ଟେଷ୍ଟ ପ୍ରସ୍ତୁତି ଉପରେ ବିଶେଷ ଗୁରୁତ୍ୱ ଦେଇଥିଲା । ଲର୍ଡ୍ସର କଠିନ ପରିସ୍ଥିତି, ମାନସିକ ଚାପ ଏବଂ ପ୍ରସିଦ୍ଧ ‘ସ୍ଲୋପ୍’କୁ ଦଳ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ ସାମ୍ନା କରିଥିଲା ।
ଦଳର ଐତିହାସିକ ବିଜୟ ପରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ଏବଂ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉତ୍ସାହ ବଢ଼ାଇଥିଲେ । ଶେଷ ୱିକେଟ୍ ପତନ ପରେ ସଚିନ ପଡ଼ିଆକୁ ଆସି ଭାରତୀୟ ଦଳକୁ ଏହି ଐତିହାସିକ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।
ଏହି ବିଜୟ ସହ ଇଂଲଣ୍ଡ ମାଟିରେ ଭାରତୀୟ ମହିଳା ଦଳର ଅପରାଜେୟ ଯାତ୍ରା ଜାରି ରହିଛି । ଏପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯାଇଥିବା ୧୦ଟି ଟେଷ୍ଟ ମ୍ୟାଚ୍ ମଧ୍ୟରୁ ଭାରତ ୩ଟି ଜିତିଥିବାବେଳେ ୭ଟି ଡ୍ର ରହିଛି । ଏହା ସହ ଗତ ୫ଟି ଟେଷ୍ଟ ମ୍ୟାଚ୍ରେ ଭାରତର ଏହା ଚତୁର୍ଥ ବିଜୟ ।
ପ୍ରଥମ ପାଳିରେ ଟସ୍ ଜିତି ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଭାରତ ୨୮୫ ରନର ଦୃଢ଼ ସ୍କୋର କରିଥିଲା । ଉପଅଧିନାୟିକା ସ୍ମୃତି ମନ୍ଧାନା ୮୩ ରନର ଦମଦାର ପାଳି ଖେଳି ଦଳକୁ ଶକ୍ତିଶାଳୀ ଭିତ୍ତି ଦେଇଥିଲେ । ଅଧିନାୟିକା ହରମନପ୍ରୀତ କୌର ୫୮ ଓ ଦୀପ୍ତି ଶର୍ମା ୫୭ ରନ କରି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ ।
ବୋଲିଂରେ ଯୁବ ପେସର କ୍ରାନ୍ତି ଗୌଡ଼ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ୧୭ ଓଭରରେ ମାତ୍ର ୩୭ ରନ ଦେଇ ୫ଟି ୱିକେଟ୍ ନେବା ସହ ୭ଟି ମେଡେନ୍ ଓଭର ବୋଲିଂ କରିଥିଲେ । ତାଙ୍କ ଘାତକ ବୋଲିଂ ଆଗରେ ଇଂଲଣ୍ଡ ପ୍ରଥମ ପାଳିରେ ୧୭୦ ରନରେ ସୀମିତ ରହିଥିଲା ଏବଂ ଭାରତ ୧୧୫ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା ।
ଦ୍ୱିତୀୟ ପାଳିରେ ଭାରତୀୟ ବ୍ୟାଟରମାନେ ଇଂଲଣ୍ଡ ଉପରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲେ । ସ୍ମୃତି ମନ୍ଧାନା ୭୦ ରନ କରିଥିବାବେଳେ ଋଚା ଘୋଷ ୫୨ ବଲରେ ଦ୍ରୁତ ୫୦ ରନ କରିଥିଲେ । ତେବେ ୱିକେଟ୍କିପର ବ୍ୟାଟର ଯାସ୍ତିକା ଭାଟିଆ ସର୍ବାଧିକ ଚର୍ଚ୍ଚାରେ ରହିଥିଲେ । ସେ ୧୫୮ ବଲରେ ୧୧୩ ରନର ଐତିହାସିକ ଶତକ ହାସଲ କରି ଲର୍ଡ୍ସର ଅନର୍ସ ବୋର୍ଡରେ ନିଜ ନାମ ଲେଖାଇଥିଲେ । ଲର୍ଡ୍ସରେ ଟେଷ୍ଟ ଶତକ ହାସଲ କରିଥିବା ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ସେ ଇତିହାସ ସୃଷ୍ଟି କରିଛନ୍ତି । ତାଙ୍କ ଇନିଂସ ବଳରେ ଭାରତ ଦ୍ୱିତୀୟ ପାଳିରେ ୩୪୧/୭ରେ ଘୋଷଣା କରି ଇଂଲଣ୍ଡ ସମ୍ମୁଖରେ ୪୫୭ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ।
୪୫୭ ରନର ଲକ୍ଷ୍ୟ ପିଛା କରିବାକୁ ଯାଇ ଇଂଲଣ୍ଡ ଦ୍ୱିତୀୟ ପାଳିରେ ସମ୍ପୂର୍ଣ୍ଣ ଚାପରେ ଭାଙ୍ଗି ପଡ଼ିଥିଲା । ସ୍ନେହ ରାଣା ଅଫ୍ ସ୍ପିନ୍ରେ ୪୨ ରନ ଦେଇ ୪ଟି ୱିକେଟ୍ ନେଇ ଇଂଲଣ୍ଡର ବ୍ୟାଟିଂ କ୍ରମକୁ ଧ୍ୱସ୍ତ କରିଥିଲେ । କ୍ରାନ୍ତି ଗୌଡ଼ ଓ ଦୀପ୍ତି ଶର୍ମା ମଧ୍ୟ ୨ଟି ଲେଖାଏଁ ୱିକେଟ୍ ନେଇ ଦଳର ବିଜୟକୁ ସହଜ କରିଥିଲେ । ଇଂଲଣ୍ଡ ପକ୍ଷରୁ ଏମି ଜୋନ୍ସ ୫୪ ଓ ସୋଫି ଏକ୍ଲେଷ୍ଟୋନ୍ ୫୦ ରନ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ । ଶେଷରେ ସ୍ନେହ ରାଣା ସୋଫି ଏକ୍ଲେଷ୍ଟୋନଙ୍କୁ ବୋଲ୍ଡ କରି ଭାରତକୁ ଐତିହାସିକ ଟେଷ୍ଟ ବିଜୟ ଦେଇଥିଲେ ।

