IPL 2026: ନୂଆଦିଲ୍ଲୀ: ବଡ଼ ଘୋଷଣା କଲା ରାଜସ୍ଥାନ ରୟାଲ୍ସ । ଆଇପିଏଲ ନିଲାମ ପୂର୍ବରୁ ଟିମ୍କୁ ମିଳିଲା ନୂଆ ମୁଖ୍ୟ ପ୍ରଶିକ୍ଷକ । ଶ୍ରୀଲଙ୍କାର ଷ୍ଟାର କ୍ରିକେଟର କୁମାର ସାଙ୍ଗାକାରାଙ୍କୁ ଆଇପିଏଲର ପରବର୍ତ୍ତୀ ସିଜିନ୍ ପାଇଁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ଭାରତର ଷ୍ଟାର କ୍ରିକେଟର ରାହୁଲ ଦ୍ରାବିଡ ଇସ୍ତଫା ଦେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଦ୍ରାବିଡ ଅଗଷ୍ଟ ୨୦୨୫ରେ ରାଜସ୍ଥାନ ରୟାଲ୍ସ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ସାଙ୍ଗାକାରା ୨୦୨୧-୨୦୨୪ ପର୍ଯ୍ୟନ୍ତ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସାଙ୍ଗାକାରାଙ୍କ ପ୍ରଶିକ୍ଷଣରେ, ଦଳ ଆଇପିଏଲ ୨୦୨୨ର ଫାଇନାଲରେ ପହଂଚିଥିଲା ଏବଂ ୨୦୨୪ ସିଜିନ୍ ସମୟରେ ପ୍ଲେଅଫରେ ପହଂଚିବାରେ ସଫଳ ହୋଇଥିଲା ।
ପୁଣି ମିଳିଲା ଦାୟିତ୍ୱ
ଏବେ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ କୁମାର ସାଙ୍ଗାକାରାଙ୍କୁ ପୁଣି ଥରେ ଦାୟିତ୍ୱ ହସ୍ତାନ୍ତର କରିଛି ଦଳ । ରାହୁଲ ଦ୍ରାବିଡ ବହୁ ବର୍ଷର ଚୁକ୍ତିରେ ରାଜସ୍ଥାନ ରୟାଲ୍ସ ସହିତ ଜଡିତ ଥିଲେ । ହେଲେ ଦ୍ରାବିଡଙ୍କ ପ୍ରଶିକ୍ଷଣରେ, ରାଜସ୍ଥାନ ରୟାଲ୍ସ ଖରାପ ପ୍ରଦର୍ଶନ କରିଥିଲା । ୧୪ଟି ମ୍ୟାଚ୍ ମଧ୍ୟରୁ କେବଳ ୪ଟି ଜିତିଥିଲା ଏବଂ ପଏଂଟ ଟେବୁଲରେ ନବମ ସ୍ଥାନ ଅଧିକାର କରିଥିଲା ଦଳ । ଏହି କାରଣରୁ ଦ୍ରାବିଡ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏବେ ସାଙ୍ଗାକାରାଙ୍କୁ ପୁଣି ଥରେ ଦାୟିତ୍ୱ ଦେଇ ଦଳ ଆଗାମୀ ଆଇପିଏଲରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।
ମନୋଜ ବଡାଲେଙ୍କ ପ୍ରତିକ୍ରିୟା
ରାଜସ୍ଥାନ ରୟାଲ୍ସର ମାଲିକ ମନୋଜ ବଡାଲେ କହିଛନ୍ତି ଯେ, “ଟିମ୍କୁ ଏବେ ଯାହା ଦରକାର ତାହା କେବଳ କୁମାର ସାଙ୍ଗାକାରା ଦେଇପାରିବେ । କାରଣ ବହୁ ବର୍ଷ ଧରି ସେ ଦଳ ସହ କାମ କରିଥିବାରୁ ଦଳକୁ ଭଲ ଭାବରେ ଜାଣିଛନ୍ତି । ଦଳକୁ କିଭଳି ଆଗକୁ ନିଆଯାଇପାରିବ ତାହା ତାଙ୍କୁ ଜଣା । ଆମେ ସବର୍ଦା କୁମାରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ଆସିଛୁ । ତାଙ୍କର ସ୍ପଷ୍ଟତା, ଶାନ୍ତ ଆଚରଣ ଏବଂ କ୍ରିକେଟ୍ ବୁଦ୍ଧି ଦଳକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।’

