ବନ୍ୟା ମୁକାବିଲା ଲାଗି କେନ୍ଦ୍ର ଦେଲା ୫୦୦ କୋଟି

Reporterspen

ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ଲାଗି ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କେନ୍ଦ୍ରାପଡା ଓ ଜଗତସିଂହପୁର
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର
ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପୁରୀ ଜିଲ୍ଲା
ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ଓଡ଼ିଶାରେ ଚାଲିଥିବା ବନ୍ୟା ପରିସ୍ଥିତି ମଧ୍ୟରେ ରାଜ୍ୟକୁ ବଡ଼ ଆର୍ଥିକ ସହାୟତା ଦେଇଛନ୍ତି କେନ୍ଦ୍ର ସରକାର । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି ବା ଝଊଜୠର କେନ୍ଦ୍ରୀୟ ଅଂଶର ଦ୍ୱିତୀୟ କିସ୍ତି ଭାବେ ୫୦୦ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ରିଲିଫ ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଏହି ଅର୍ଥରାଶି ରାଜ୍ୟ ସରକାରଙ୍କୁ ବ୍ୟାପକ ସହାୟତା ଯୋଗାଇବ । ସେପଟେ ବନ୍ୟା କ୍ଷୟକ୍ଷତି ଆକଳନ ଓ ପରିଚାଳନା ପାଇଁ ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାର ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଆର୍ଥିକ ସହାୟତା ଯୋଗାଇଛନ୍ତି କେନ୍ଦ୍ର ସରକାର । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି କେନ୍ଦ୍ରୀୟ ଅଂଶର ଦ୍ୱିତୀୟ କିସ୍ତି ଭାବେ ୫୦୦ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ରିଲିଫ ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଏହି ଅର୍ଥରାଶି ରାଜ୍ୟ ସରକାରଙ୍କୁ ବ୍ୟାପକ ସହାୟତା ଯୋଗାଇବ । ଏହି ଆର୍ଥିକ ସହାୟତା ମାଧ୍ୟମରେ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଚାଲିଥିବା ଉଦ୍ଧାର ଅଭିଯାନକୁ ଆହୁରି ମଜବୁତ କରାଯିବ ।

ସେହିପରି ରିଲିଫ ସାମଗ୍ରୀ ବଣ୍ଟନ, ବିସ୍ଥାପିତ ପରିବାରଙ୍କୁ ସହାୟତା, ଅସ୍ଥାୟୀ ଆଶ୍ରୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଜରୁରୀ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । ଏହା ସହ ବନ୍ୟା ପରେ କ୍ଷତିଗ୍ରସ୍ତ ସଡ଼କ, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । କେନ୍ଦ୍ରର ଏହି ସମୟୋପଯୋଗୀ ସହଯୋଗ ବନ୍ୟା ପ୍ରଭାବିତ ପରିବାରଙ୍କୁ ଶୀଘ୍ର ସହାୟତା ପହଞ୍ଚାଇବା ସହ ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବାରେ ସହାୟକ ହେବ । ଏହି ସହାୟତା ପାଇଁ ରାଜ୍ୟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଦୁର୍ବିପାକ ସମୟରେ କେନ୍ଦ୍ର ସରକାର ଓଡ଼ିଶାର ଜନସାଧାରଣଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇ ରହିଛନ୍ତି । ଏହି ସମୟୋପଯୋଗୀ ସହାୟତା ବନ୍ୟା ପରିଚାଳନାରେ ରାଜ୍ୟକୁ ବଳ ଯୋଗାଇବ । ସେହିପରି ରାଜ୍ୟରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରାଜ୍ୟରେ ବନ୍ୟା ପରିସ୍ଥିତିର ପରିଚାଳନା ପାଇଁ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ଆଜି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି ।”

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଚଳିତ ବନ୍ୟାରେ ୨୩ ଜିଲ୍ଲା ପ୍ରଭାବିତ ହୋଇଛି । କ୍ଷୟକ୍ଷତି ଆକଳନ ପାଇଁ କୃଷି ଓ ରାଜସ୍ୱ ବିଭାଗ କାମ ଆରମ୍ଭ କରିଛି । ରାଜସ୍ୱ ଅଧିକାରୀ ଗାଁକୁ ଗାଁ ଯାଇ ରିପୋର୍ଟ ପ୍ରସ୍ତୁତ କରିବେ । ଏହାକୁ ସମ୍ବେଦନଶୀଳ ଓ ମାନବୀୟ ଦୃଷ୍ଟିରୁ ଆକଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପାଣି ଛାଡିବାର ୭୨ଘଣ୍ଟା ଭିତରେ କ୍ଷୟକ୍ଷତି ଆକାଳନ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ନଳକୂଅ, କୂଅ ସମେତ ସମସ୍ତ ଜଳ ଉତ୍ସ ବିଶୋଧନ ହେଉଛି । ବିଶୋଧନ ନ ହେବା ଯାଏଁ ପିଇବା ପାଣି ଲୋକଙ୍କ ପାଖରେ ପହଞ୍ଚିବ । ସାପ କାମୁଡା ଇଞ୍ଜେକେଶନ ମହଜୁଦ ଅଛି । ତୁରନ୍ତ କ୍ଷୟକ୍ଷତି ଆକଳନ ସହ ଅଙ୍ଗନବାଡି ଓ ସ୍କୁଲର କ୍ଷତି ରିପୋର୍ଟ ବି ମଗାଯାଇଛି ।


Reporterspen