Murder: ମାଆକୁ କଟୁରିରେ ହାଣି ହତ୍ୟା କଲା ପୁଅ

Reporterspen

Murder: ବାଲିଅନ୍ତା/ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ନାତିର ଜନ୍ମଦିନ ଲାଗି ଘରେ ପ୍ରସ୍ତୁତି ଚାଲିଥିବା ବେଳେ ସାନପୁଅର କଟୁରୀ ଚୋଟରେ ମା’ର ଜୀବନ ଯାଇଛି । ପାରିବାରିକ କଳହକୁ ନେଇ ସାନପୁଅ ବାପାକୁ ହତ୍ୟା କରିବାକୁ ଗୋଡାଉଥିବା ବେଳେ ମା’ ସାମ୍ନାକୁ ଆସିବାରୁ ତାକୁ କଟୁରୀ ଚୋଟରେ ହତ୍ୟା କରିଥିଲା । ଘଟଣାଟି ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା କାକରୁଦ୍ରପୁର ପଂଚାୟତ ଖମଙ୍ଗ ଗାଁରେ ଘଟିଛି । ମୃତକ ଜଣକ ସଂଯୁକ୍ତା ସ୍ୱାଇଁ । ପୋଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଥିବା ବେଳେ ସାନ ପୁଅ ବାଦଲ ସ୍ୱାଇଁକୁ ଗିରଫ କରିଛି ।

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ହେବ । ଘରର ମୂରବୀ ରାଜେନ୍ଦ୍ର ସ୍ୱାଇଁଙ୍କ ସହ ପତ୍ନୀ ସଂଯୁକ୍ତା ନାତିର ଜନ୍ମଦିନ ପୂଜା ବାବଦରେ କଥା ହେଉଥିଲେ । ଏହି ସମୟରେ ବାଦଲ ସେଠାରେ ପହଂଚି ବାପାଙ୍କୁ ଗାଳି କରିଥିଲା । ମାଆ ସଂଯୁକ୍ତା ଆକଟ କରିବା ସହ ବାଦଲକୁ ସେଠୁ ଚାଲିଯିବାକୁ କହିଥିଲେ । ବାପା ରାଜେନ୍ଦ୍ର ମଧ୍ୟ ପାଲଟା ଗାଳି କରିଥିଲେ । ଘରେ ବନ୍ଧୁବାନ୍ଧବ ଅଛନ୍ତି ଏବଂ ପୁତୁରାର ଜନ୍ମଦିନ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବାଦଲର ଏଭଳି ଅଭଦ୍ରାମିକୁ ବାପା ରାଜେନ୍ଦ୍ର ବରଦାସ୍ତ କରିନଥିଲେ ।

ବାପାଙ୍କ ଠାରୁ ଗାଳି ଶୁଣିବା ପରେ ବାଦଲ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଘର ଭିତରକୁ ଧାଇଁ ଯାଇ ଏକ କଟୁରି ଧରି ବାହାରିଆସିଥିଲା । ରାଜେନ୍ଦ୍ରଙ୍କୁ ହାଣିବ ବୋଲି ବାଦଲ ଉଦ୍ୟମ କଲାବେଳେ ମାଆ ସଂଯୁକ୍ତା ଆଗକୁ ଚାଲିଆସିଥିଲେ । ଏହି ମଉକାରେ ପ୍ରାଣ ବିକଳରେ ରାଜେନ୍ଦ୍ର ସେଠୁ ଦୌଡ଼ିପଳାଇଥିଲେ । ବାପା ଖସିଯିବାରୁ ବାଦଲ ଅଧିକ ଉତ୍‌କ୍ଷିପ୍ତ ହୋଇଉଠିଥିଲା । ଚୋଟ ପକାଇବାକୁ ଉଠାଇଥିବା କଟୁରି ପଡ଼ିଲା ସଂଯୁକ୍ତାଙ୍କ ଉପରେ । ଗୋଟିଏ ନୁହେଁ, ଲାଗଲାଗ ତିନି ଚାରି ଚୋଟ ମାରିଚାଲିଲା । ଫଳରେ ସଂଯୁକ୍ତାଙ୍କ ମୁଣ୍ଡ, ବେକ, ହାତରେ ଗଭୀର କ୍ଷତ ସୃଷ୍ଟି ହେଲା । ସେ ସେଇଠି ଟଳିପଡ଼ିଲେ । ମାଆ ମରିଯାଇଥିବା ଭାବି ବାଦଲ ସେଠାରୁ ପଳାଇଲା ।

ପରିବାର ଲୋକେ ଘଟଣାସ୍ଥଳକୁ ଆସିବା ବେଳକୁ ସଂଯୁକ୍ତା ରକ୍ତ ଜୁଡ଼ୁବୁଡ଼ୁ ହୋଇ ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହିଥିଲେ । ତୁରନ୍ତ ତାଙ୍କୁ ପ୍ରଥମେ ଅଠାନ୍ତର ଡାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ସେଠାରୁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା । କିନ୍ତୁ ବାଟରେ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଯାଇଥିଲା । ବାଲିପାଟଣା ଥାନା ପୋଲିସ ଖୋଜିଖୋଜି ବାଦଲକୁ ଗହୀର ଭିତରୁ ଧରିଥିଲା ଏବଂ ବାଲିଅନ୍ତା ଥାନା ପୋଲିସକୁ ହସ୍ତାନ୍ତର କରିଥିଲା ।

ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହା ଦୀର୍ଘ ଦିନର ସମସ୍ୟାକୁ ନେଇ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ନିକଟରେ ରାଜେନ୍ଦ୍ର ଏକ ଜମି ବିକିଛନ୍ତି । କିନ୍ତୁ ଜମି ବିକା ଟଙ୍କା ୩ ପୁଅଙ୍କ ଭିତରେ ଭାଗବଂଟା ହୋଇନାହିଁ । ଡ୍ରାଇଭର ଭାବେ କାମ କରୁଥିବା ବାଦଲ ତା’ ଭାଗ ଟଙ୍କା ପାଇବାକୁ ବାପାମାଆଙ୍କୁ ମାଗିଆସୁଥିଲା । କିନ୍ତୁ ରାଜେନ୍ଦ୍ର ତାକୁ ଟଙ୍କା ଦେଉନଥିଲେ । ଏହାକୁ ନେଇ ବାଦଲର ରାଗ ଥିଲା । ସେହିଭଳି ବାଦଲର ବାହାଘର କଥାରେ ବାପାମାଆ ମୁଣ୍ଡ ଖେଳାଉ ନଥିବା ମଧ୍ୟ ଅନ୍ୟ ଏକ କାରଣ ବୋଲି କୁହାଯାଉଛି । ବାଦଲ ନିଶାସକ୍ତ ହୋଇପଡ଼ିଥିବାରୁ ବାହାଘରକୁ ନେଇ ସମସ୍ୟା ଥିଲା । ତେଣୁ ଏମିତି ବିଭିନ୍ନ କାରଣକୁ ନେଇ ବାଦଲ ଭିତରେ ବାପାମାଆଙ୍କ ପ୍ରତି ରାଗ କୁହୁଳୁଥିଲା ବୋଲି ଚର୍ଚ୍ଚା ହେଉଛି ।


Reporterspen