odisha News: ସବୁ ଯୋଜନାର ସୁବିଧା ଯୋଗ୍ୟ ଚାଷୀଙ୍କୁ ମିଳୁ : ମୁଖ୍ୟମନ୍ତ୍ରୀ

Reporterspen

odisha News: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ରାଜ୍ୟରେ କୃଷକଙ୍କ ସଶକ୍ତିକରଣ ଓ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୁଁ ଚାହେଁ ଯେ କୃଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଯୋଜନାର ସୁବିଧା ସୁଯୋଗ ରାଜ୍ୟର ସମସ୍ତ ଯୋଗ୍ୟ ଚାଷୀ ନିଶ୍ଚିତରୂପେ ପାଆନ୍ତୁ । କେହି ଜଣେ ବି ଯେପରି ଏଥିରୁ ବଞ୍ଚିତ ନହୁଅନ୍ତୁ ୨୧ ତମ ପିଏମ୍ କିଷାନ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର କୃଷି ଭବନ ଠାରେ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ତାମିଲନାଡୁର କୋଏମ୍ବାଟୁର୍ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧିର ୨୧ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ୨୧ତମ କିସ୍ତିରେ ଦେଶର ୯ କୋଟିରୁ ଉର୍ଦ୍ଧ୍ୱ କୃଷକଙ୍କୁ ୧୮ ହଜାର କୋଟିରୁ ଉର୍ଦ୍ଧ୍ୱଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ସବୁ ରାଜ୍ୟର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର କୃଷକମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।

ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକ ମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, କୃଷକ ମାନଙ୍କୁ ଆବଶ୍ୟକ ସମୟରେ ବିହନ, ସାର, କୀଟନାଶକ ଆଦି କିଣିବା ପାଇଁ କେନ୍ଦ୍ର ସରକାର ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଆଜି ୨୧ତମ କିସ୍ତିରେ ଆମ ରାଜ୍ୟର ୩୪.୧୨ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ କିସ୍ତି ବାବଦକୁ ୨ ହଜାର ଟଙ୍କା ଲେଖାଏଁ ପାଇବେ । ଏହି ସହାୟତା ପ୍ରଦାନ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ କରାଯାଉଛି ଏବଂ ଏଥିରେ କ୍ଷୁଦ୍ର, ମଧ୍ୟମ, ବୃହତ୍ତ ଓ ସହରାଞ୍ଚଳର ଭୂମିଧାରୀ ଚାଷୀମାନେ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଯୁଗାନ୍ତକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଦେଶର ଚାଷୀ, ଗରିବ, ମହିଳା ସମସ୍ତେ ଉପକୃତ ହେଉଛନ୍ତି ।

ସେ ପୁଣି କହିଥିଲେ ପିଏମ୍ କିଷାନ ସହିତ ଆମ ରାଜ୍ୟରେ ସିଏମ୍ କିଷାନ ଜରିଆରେ ୨ଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ସିଏମ କିଷାନ ଯୋଜନାରେ ୫୧.୫୪ ଲକ୍ଷ ଚାଷୀଙ୍କୁ ୨୯୯୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏଥିରେ ୩୨୩୬ ଜଣ ପିଭିଟିଜି ଚାଷୀ ଏବଂ ୩୧,୬୯୫ ଜଣ ସହରାଞ୍ଚଳ ଚାଷୀ ଅନ୍ତର୍ଭୁକ୍ତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ସିଏମ କିଷାନ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କୁ ଉଚ୍‌ଚଶିକ୍ଷା ଏବଂ ବୈଷୟିକ ଶିକ୍ଷା ପାଇଁ କୃଷି ବିଦ୍ୟାନିଧି ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଏହି ଯୋଜନାରେ ୨୦୨୪-୨୫ ଶିକ୍ଷା ବର୍ଷରେ ୧୩,୯୨୩ ଛାତ୍ରଛାତ୍ରୀଙ୍କୁ ୫୩ କୋଟି ୬୭ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି, ଯାହାକି ପୂର୍ବବର୍ଷ ତୁଳନାରେ ୫ ଗୁଣ ଅଧିକ ।ପିଏମ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକ୍ରମରେ ଓଡିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଏବଂ ନୂଆପଡା ଜିଲ୍ଲାକୁ ଚୟନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର କୃଷକ ମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଚାଷୀ ସୁବାଶ ଚନ୍ଦ୍ର ଦାସ, ବାଲିପଟଣାର ରୂପଶ୍ରୀ ସ୍ୱାଇଁ ଏବଂ ଜଟଣୀ କୁସୁମାଟିର କାର୍ତ୍ତିକ ପରିଡା ପିଏମ୍ କିଷାନ ଯୋଜନାର ସମସ୍ତ କିସ୍ତିର ସୁବିନିଯୋଗ କରି ଚାଷ କାର୍ଯ୍ୟରେ ସଫଳତା ପାଇଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥାହୋଇ ଫସଲ ବିବିଧିକରଣ ଜରିଆରେ ଧାନ ସହିତ ତେଲ ଜାତୀୟ ଫସଲ, ପନିପରିବା, ଫଳ ଚାଷ ଇତ୍ୟାଦି ଅର୍ଥକାରୀ ଫସଲ ଉତ୍ପାଦନ କରିବା ପାଇଁ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର କୃଷକଙ୍କ ସଶକ୍ତିକରଣ ଓ ଉତ୍ପାଦନ ବୃଦ୍ଧିପାଇଁ ଆମ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ।

ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେ ଯେ, ପିଏମ କିଷାନ ଓ ସିଏମ୍ କିଷାନ ଯୋଜନାରେ ଆମ ରାଜ୍ୟର ଚାଷୀ ଭାଇ ଭଉଣୀ ମାନେ ବାର୍ଷିକ ୧୦ ହଜାର ଟଙ୍କା ପାଉଛନ୍ତି । ଏହି ରାଶିକୁ ସଠିକ୍ ଭାବେ ଉପଯୋଗ କଲେ କୃଷି କାର୍ଯ୍ୟରେ ସଫଳତା ମିଳି ଅଭାବ ଦୂର ହେବ । କୃଷକ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଓଡିଶା ସରକାରଙ୍କର କୃଷକ କଲ୍ୟାଣ କାର୍ଯ୍ୟକୁ ମଡେଲ ଭାବେ ଗ୍ରହଣ କରିବା ପାଇଁ କହିଛନ୍ତି ।
ଓୟୁଏଟିର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ ରାଉଳ କହିଥିଲେ ଯେ, କୃଷି ପାଇଁ ତିନୋଟି ସମ୍ବଳ ଆବଶ୍ୟକ । ଜମି, ଶ୍ରମ ଓ ପୁଞ୍ଜି । କୃଷକଙ୍କ ପାଖରେ ସବୁବେଳେ ଜମି ଓ ଶ୍ରମଥାଏ କିନ୍ତୁ ପୁଞ୍ଜି ନଥାଏ । ଏହାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ପିଏମ୍ କିଷାନର ସହାୟତା ରାଶି ଚାଷୀ ମାନଙ୍କୁ ମାନସିକ ଓ ଆର୍ଥିକ କ୍ଷେତ୍ରରେ ସୁଦୃଢ କରୁଛି । କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।


Reporterspen