odisha news: ସୁନ୍ଦରଗଡ଼ର ବିକାଶ ପାଇଁ ୯୮୪ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Reporterspen

odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଆଜି ସୁନ୍ଦରଗଡ ଠାରେ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା ‘ସୁଭଦ୍ରା’ ଅଧୀନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦ ଲକ୍ଷ ରୁ ଉର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତା ପ୍ରଧାନମନ୍ତ୍ରୀଙ୍କ କରକମଳରେ ହସ୍ତାନ୍ତର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତା ମୟୂରଭଞ୍ଜର ବାରିପଦା ଠାରେ ପ୍ରଦାନ କରଯାଇଥିଲା। ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ୮୦ ଲକ୍ଷ ମହିଳା ୪ ହଜାର କୋଟି ଟଙ୍କାର ସହାୟତା ପାଇଛନ୍ତି।

ଏହି ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସହାୟତା ମହିଳାମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ବାସ୍ତବତାର ରୂପଦେବାରେ ସାହାଯ୍ୟ କରିବ । ମୁଖ୍ୟମନ୍ତ୍ରୀ କହିଲେ ଯେ ବିକାଶର ସୁଫଳକୁ ସବୁ ବର୍ଗର ଲୋକ ଅନୁଭବ କରିବା ଉଚିତ୍। ସୁଭଦ୍ରା ଏ ଦିଗରେ ଏକ ସୁଚିନ୍ତିତ ଓ ସୁନ୍ଦର ପଦକ୍ଷେପ। ଯେଉଁଠାରେ ମହିଳାମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯାଏ, ସେଠାରେ ଦେବତାମାନେ ବିଚରଣ କରିଥାନ୍ତି ବୋଲି ଶାସ୍ତ୍ରରେ ଲେଖା ହୋଇଛି। ଆମ ଓଡିଆ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତିର ପ୍ରତିଛବି। ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମା’ ସୁଭଦ୍ରା ହେଉଛନ୍ତି ସମାନତା ଓ ଶକ୍ତିର ସ୍ୱରୂପ। ଓଡ଼ିଶାର ସମସ୍ତ ମା’ ଭଉଣୀମାନେ ମୋ ପାଇଁ ମା’ ସୁଭଦ୍ରାଙ୍କ ସ୍ଵରୂପ । ଓଡ଼ିଶା ସଂସ୍କୃତିରେ ମହିଳା ମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବାର ଦୃଷ୍ଟାନ୍ତ ରହିଆସିଛି । ଏହାର ଜୀବନ୍ତ ଉଦାହରଣ ହେଲା ଆମ ରଜ ପର୍ବ । ଭାରତରେ ଓଡ଼ିଶା ଏକ ମାତ୍ର ରାଜ୍ୟ ଯେଉଁଠାରେ ଧରିତ୍ରୀ ମାତାର ନାରୀତ୍ୱକୁ ସମ୍ମାନ ଜଣାଇ ରଜ ପର୍ବ ପାଳନ କରାଯାଏ ବୋଲି ସେ କହିଥିଲେ ।

ନିଜ ଅଭିଭାଷଣରେ ସୁନ୍ଦରଗଡ଼ ଜିଲ୍ଲାର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସୁନ୍ଦରଗଡ଼ ହେଉଛି ହକି ର ଏନ୍ତୁଡ଼ିଶାଳ । ଏ ପବିତ୍ର ମାଟିରେ ମାଟିରେ ମାଇକେଲ କିଣ୍ଡୋ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପଦ୍ମଶ୍ରୀ ଇଗ୍ନେସ ତିର୍କୀ, ଲାଜରସ ବାର୍ଲା, ଉଇଲିୟମ ଖେସ, ଅମିତ୍ ରୋହିଦାସ, ନିଲମ ସଞ୍ଜୀବ ଖେଶ, ସୁଭଦ୍ରା ପ୍ରଧାନ, ନିଳୀମା କୁଜୁର, ଜ୍ୟୋତି ସୁନୀତା କୁଲ୍ଲୁ, ନମିତା ଟପ୍ପ ଙ୍କ ଭଳି ଅନେକ ଅନ୍ତର୍ଜାତୀୟ କ୍ରୀଡାବିତ୍ ଜନ୍ମ ନେଇଛନ୍ତି। ଶିକ୍ଷା, ସ୍ଵାସ୍ଥ୍ୟ, ଖଣି, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାକୁ ସୁନ୍ଦରଗଡର ଅବଦାନକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ସୁନ୍ଦରଗଡର କଳା, ସଂସ୍କୃତି, ପରମ୍ପରା ଓ ବିଶେଷକରି ଆଦିବାସୀ ସଂସ୍କୃତିର ଉଚ୍ଚ ପ୍ରଶଂସା କରିଥିଲେ ।ଆଦିବାସୀ ଗୀତ, କର୍ମା ନାଚ, ଖାଡ଼ିଆ ନାଚ, ସାନ୍ତାଳୀ ନାଚ ଇତ୍ୟାଦି ପ୍ରତ୍ୟେକ ପର୍ବ ପର୍ବାଣୀରେ ଦେଖିବାକୁ ମିଳିଥାଏ ବୋଲି ସେ କହିଥିଲେ।

ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସୁନ୍ଦରଗଡ଼ର ଅବଦାନକୁ ସ୍ମରଣ କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଯେ, ବୀର ସୁରେନ୍ଦ୍ର ସାଏ ଏବଂ ବୀର ବିର୍ସା ମୁଣ୍ଡାଙ୍କ ପ୍ରତି ସୁନ୍ଦରଗଡ଼ର ଅକୁଣ୍ଠ ସମର୍ଥନ ରହିଥିଲା ଏବଂ ତାଙ୍କ ନେତୃତ୍ୱରେ ଅଗଣିତ ଆଦିବାସୀ ଭାଇ ଭଉଣୀମାନେ ଇଂରେଜ ଶାସନ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମ ରେ ସାମିଲ ହୋଇଥିଲେ। ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଠାରେ ନିର୍ମଳ ମୁଣ୍ଡାଙ୍କ ନେତୃତ୍ୱ ରେ ବିଶାଳ ପ୍ରଜା ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେହିଭଳି ଏହି ମାଟିର ସଂଗ୍ରାମୀ ପୁତ୍ର ଜଗନ୍ ତନ୍ତୀ, ବଳଭଦ୍ର ତନ୍ତୀ, ଦ୍ବାରିକା ନାଥ କୁସୁମ ପ୍ରମୁଖ ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସୁନ୍ଦରଗଡ ଜିଲ୍ଲାରେ ସମୁଦାୟ ୪ ଲକ୍ଷ ୫୯ ହଜାର ରୁ ଉର୍ଦ୍ଧ୍ୱ ମା’ ଓ ଭଉଣୀମାନେ ସୁଭଦ୍ରାରେ ପଞ୍ଜିକରଣ କରିଥିବା ବେଳେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୩ ଲକ୍ଷ ୩୭ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ପ୍ରଥମ କିସ୍ତିର ଅର୍ଥ ରାଶି ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।


Reporterspen