Odisha News: ବୁଲାକୁକୁର ଭୟ: ମାସକୁ ହେବ ୨ ହଜାର ବନ୍ଧ୍ୟାକରଣ

Reporterspen

Odisha News: ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଭୁବନେଶ୍ୱର ମ୍ୟୁନିସିପାଲିଟିକୁ ବୁଲା କୁକୁରଙ୍କ ଭୟ ଲାଗିଛି। ଯେଉଁଭଳି ଭାବେ ରାସ୍ତା ଘାଟରେ ବୁଲାକୁକୁରଙ୍କ ସଂଖ୍ୟା ବୃଦ୍ଧି ହେଉଛି ତାହା ମୁଣ୍ଡବିନ୍ଧାର କାରଣ ହୋଇଛି। ଏଣୁ ବିଏମ୍‍ସି ପୁଣିଥରେ ବୁଲାକୁକୁରଙ୍କ ବନ୍ଧ୍ୟାକରଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ଯୋଜନାରେ ମାସିକ ୨ ହଜାର କୁକୁରଙ୍କୁ ଖାସୁ କରିବା ଲାଗି ଯୋଜନା ରଖିଛି ବିଏମ୍‍ସି। ଏଥିଲାଗି ହାଇଦ୍ରାବାଦର ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବିଏମ୍‍ସି ସୂତ୍ରରୁ ସୂଚନା ମିଳିଛି।

ଏହି ସୂଚନା ଅନୁସାରେ, ସଂପ୍ରତି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୭୦ ହଜାରରୁ ଅଧିକ ବୁଲା କୁକୁର ରହିଛନ୍ତି। ରାସ୍ତାଘାଟ, ଗଳିକନ୍ଦିରେ ସେମାନେ ଅନେକ ସମସ୍ୟା ସୃଷ୍ଟି କରୁଛନ୍ତି। ସାଧାରଣ ବାଟୋଇଙ୍କୁ କାମୁଡ଼ିବା, ବିଭିନ୍ନ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରିବା ଆଦି ଏଥିରେ ଅନ୍ତର୍ଭୁକ୍ତ। ଏଥିପାଇଁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି। ଏଣୁ ଏମାନଙ୍କ ବଂଶ ହ୍ରାସ କରିବାକୁ ଯାଇ ବିଏମ୍‍ସି ଏହହି ବନ୍ଧ୍ୟାକରଣ ଯୋଜନା ଆଜିଠାରୁ ଆରମ୍ଭ କରିଛି। ହାଇଦସ୍ଥିତ ଭେଟ୍ସ ସୋସାଇଟ୍ ଫର ଆନିମଲ ଓ୍ୱେଲଫେୟାର ଆଣ୍ଡ ରୁରାଳ ଡେଭଲପମେଣ୍ଟ ବିଏମ୍‍ସି ପକ୍ଷରୁ ଏ କାର୍ଯ୍ୟକୁ ସମ୍ପାଦନ କରିବ।

ଏହି ସଂସ୍ଥା ପ୍ରତି ମାସରେ ପ୍ରାୟ ୨ ହଜାର ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଆଗାମୀ ୩ ବର୍ଷ ଯାଏ ଏହି ବନ୍ଧ୍ୟାକରଣ କରାଯିବାକୁ ଯୋଜନା ହୋଇଛି । ଏହା ଦ୍ୱାରା ସହରରେ ବୁଲା କୁକୁରଙ୍କର ମାତ୍ରାଧିକ ସଂଖ୍ୟା ବୃଦ୍ଧିକୁ ରୋକାଯିବା ସହ ବୁଲା କୁକୁର କାମୁଡା, ସଡକ ଦୁର୍ଘଟଣା ଓ ସେମାନଙ୍କ ଦ୍ୱାରା ବ୍ୟାପୁଥିବା ଜଳାତଙ୍କ ରୋଗ ହ୍ରାସ କରାଯାଇପାରିବ ବୋଲି ବିଏମ୍‍ସି ଆଶା କରିଛି।

ଏହି ବନ୍ଧ୍ୟାକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗରର ସମୁଦାୟ ୬୭ଟି ଓ୍ୱାର୍ଡରେ ପୂର୍ବପରି ବୁଲା କୁକୁର ଗଣନା କାର୍ଯ୍ୟ କରାଯିବାର ଯୋଜନା ରହିଛି । ଏହି ସମସ୍ତ କାର୍ଯ୍ୟକୁ ବିଏମ୍ ସିର ଭେଟେନାରୀ ଡାକ୍ତରମାନେ ତଦାରଖ କରିବେ ।

ଏଣୁ ଭୁବନେଶ୍ୱର ମହାନଗର ନିଗମବାସୀ କୁକୁର ସଂଖ୍ୟା କମାଇବା, ସଡକ ଦୁର୍ଘଟଣା ଏବଂ ଜଳାନ୍ତକ ରୋଗ ବ୍ୟାପିବାରୁ ରକ୍ଷା ପାଇବା ପାଇଁ ବୁଲା କୁକୁରଙ୍କୁ ଠାବ କରିବା ଏବଂ ଧରିବାରେ କର୍ମଚାରୀମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ବିଏମ୍‍ସି ନିବେଦନ କରିଛି।


Reporterspen
!-- afp header code starts here -->