ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ପୋଲିସ ଭବନଠାରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬”ସଫଳତାର ସହ ଆୟୋଜିତ ହୋଇଯାଇଛି । ରାଜ୍ୟର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଏବଂ ସମୟୋପଯୋଗୀ କରିବା ଲକ୍ଷ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ବର୍ତ୍ତମାନର ଚ୍ୟାଲେଞ୍ଜ, ସମ୍ଭାବ୍ୟ ସମାଧାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, “ସମୃଦ୍ଧ ଓଡ଼ିଶା” ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟରେ ନୂତନ ବନ୍ଦର, ମତ୍ସ୍ୟ ଅବତରଣ କେନ୍ଦ୍ର, ଶିଳ୍ପ ପ୍ରକଳ୍ପ ଏବଂ ସାମୁଦ୍ରିକ ଭିତ୍ତିଭୂମିର ଦ୍ରୁତ ବିକାଶ ସହ ଉପକୂଳ ଅଞ୍ଚଳର ଗୁରୁତ୍ୱ କ୍ରମଶଃ ବୃଦ୍ଧି ପାଉଛି । ସେ ଆହୁରି କହିଥିଲେ ଯେ, ଉପକୂଳକୁ ସୁରକ୍ଷା ରଖିବାକୁ ହେଲେ ସମନ୍ୱିତ ପ୍ରୟାସର ଆବଶ୍ୟକତା ରହିଛି । ବିଭିନ୍ନ ସରକାରୀ ବିଭାଗ, ସୁରକ୍ଷା ସଂସ୍ଥା ଏବଂ ସମୁଦ୍ର ଉପକୂଳ ସହ ଜଡ଼ିତ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକ ଏକ ଟିମ୍ ଭାବେ କାର୍ଯ୍ୟ କଲେ ହିଁ ଏକ ସୁରକ୍ଷିତ, ସଶକ୍ତ ଏବଂ ପ୍ରଭାବଶାଳୀ ଉପକୂଳ ସୁରକ୍ଷା ବ୍ୟବସ୍ଥା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ଶାଖାର କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ସମନ୍ୱୟ, ମାନବ ସମ୍ବଳର ଦକ୍ଷତା ବିକାଶ ଏବଂ ଆବଶ୍ୟକ ଭିତ୍ତିଭୂମି ସୁବିଧା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।
ଅଧିକ ସମ୍ବଳ, ଅଧିକ ପ୍ରଯୁକ୍ତି ଏବଂ ଉନ୍ନତ ସମନ୍ୱୟ ମାଧ୍ୟମରେ ଓଡ଼ିଶାର ଉପକୂଳକୁ ଆହୁରି ସୁରକ୍ଷିତ, ସକ୍ଷମ ଓ ସୁଦୃଢ଼ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଆଜିର ଏହି ସମ୍ମିଳନୀରେ କେରଳ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ସମେତ ଚାରିଟି ଉପକୂଳବର୍ତ୍ତୀ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗଦେଇ ନିଜ ନିଜ ରାଜ୍ୟର ଅନୁଭୂତି ଏବଂ ଉପକୂଳ ସୁରକ୍ଷା କ୍ଷେତ୍ରରେ ଗ୍ରହଣ କରାଯାଉଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ମତ ବିନିମୟ କରିଥିଲେ । ବିଭିନ୍ନ ରାଜ୍ୟର ପ୍ରତିନିଧିମାନଙ୍କ ଅଂଶଗ୍ରହଣ ଏହି ସମ୍ମିଳନୀକୁ ଅଧିକ ଫଳପ୍ରଦ ଏବଂ ଗୁରୁତ୍ୱପୂର୍ଣ୍ଣ କରିଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ସହିତ ଉପକୂଳ ସୁରକ୍ଷା ସହ ସମ୍ପୃକ୍ତ ୧୮ଟି ବିଭିନ୍ନ ବିଭାଗ ଓ ସଂସ୍ଥାର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ ବିଭାଗ ଓ ଏଜେନ୍ସି ମଧ୍ୟରେ ନିରନ୍ତର ସମନ୍ୱୟ, ସୂଚନା ଆଦାନ-ପ୍ରଦାନ ଏବଂ ଆଧୁନିକ ସୁରକ୍ଷା ଉପକରଣର ପ୍ରଭାବଶାଳୀ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହ ଉପକୂଳ ଅଞ୍ଚଳରେ ବାସ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ କରିବାକୁ ପରାମର୍ଶ ଦେଇଥିଲେ ।
ଡିଜିପି (କ୍ରାଇମବ୍ରାଞ୍ଚ) ଶ୍ରୀ ବିନୟତୋଷ ମିଶ୍ର ନିଜ ଅଭିଭାଷଣରେ ରାଜ୍ୟର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କ୍ଷମତାସମ୍ପନ୍ନ କରିବା ପାଇଁ ପ୍ରଯୁକ୍ତି ନିର୍ଭର ନିରୀକ୍ଷଣ, ଗୁପ୍ତଚର ସୂଚନା ଆଦାନ ପ୍ରଦାନ ଏବଂ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।
ପ୍ରାରମ୍ଭରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ କୁମାର ବୋଥ୍ରା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସମ୍ମିଳନୀର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼, ଆଧୁନିକ ଏବଂ ପ୍ରଭାବଶାଳୀ କରିବା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମ ଶେଷରେ ଏଆଇଜିପି (ଉପକୂଳ ସୁରକ୍ଷା) ଶ୍ରୀ ସତ୍ୟଜିତ ମିଶ୍ର ଧନ୍ୟବାଦ ଅର୍ପଣ କରି ସମ୍ମିଳନୀର ସଫଳ ଆୟୋଜନରେ ସହଯୋଗ କରିଥିବା ସମସ୍ତ ଅତିଥି, ପ୍ରତିନିଧି ଏବଂ ଅଂଶଗ୍ରହଣକାରୀ ସଂସ୍ଥାଗୁଡ଼ିକୁ କୃତଜ୍ଞତା ଜଣାଇଥିଲେ ।

