୨୦୩୦ ସୁଦ୍ଧା ସମସ୍ତଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ସେବା

Reporterspen

୨ ବର୍ଷରେ ୧୫ଟି ନୂଆ ଗ୍ରୀଡ୍ ସବଷ୍ଟେସନ ନିର୍ମାଣ
୭୮୮.୯୯ ସର୍କିଟ୍ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ ସ୍ଥାପିତ
ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ନିର୍ମାଣ କରାଯାଉଛି ୭୬୫ କେଭି ଗ୍ରୀଡ୍ର ରିଙ୍ଗ୍ ସିଷ୍ଟମ୍‌
୩ଟି ୭୬୫/୪୦୦ କେଭି ସବଷ୍ଟେସନ ନିର୍ମାଣ କରିବା ପାଇଁ ଯୋଜନା
୯ଟି ୪୦୦ କେଭି ଗ୍ରୀଡ୍ ସବଷ୍ଟେସନ ନିର୍ମାଣ କରିବାର ଯୋଜନା

 

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍‌): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଆଗାମୀ ଦିନରେ ହେବାକୁ ଥିବା ଶକ୍ତି ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରୁ ଜଣାଯାଇଛି ଯେ, ବର୍ତ୍ତମାନ ରାଜ୍ୟରେ ୨୧୦ଟି ଗ୍ରୀଡ୍ ସବ୍‌ଷ୍ଟେସନ୍ କାର୍ଯ୍ୟକ୍ଷମ ଅଛି । ସେଥିମଧ୍ୟରୁ ଗତ ୨ ବର୍ଷ ମଧ୍ୟରେ ୧୫ଟି ନୂଆ ଗ୍ରୀଡ୍ ସବ୍‌ଷ୍ଟେସନ୍ ସ୍ଥାପନ କରାଯାଇଛି । ସେହିଭଳି ୨ ବର୍ଷ ମଧ୍ୟରେ ୭୮୮.୯୯ ସର୍କିଟ୍ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍ ମଧ୍ୟ ବିଛାଯାଇଛି ।

ବୈଠକରେ ୨୦୩୦ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ରାଜ୍ୟବାସୀଙ୍କ ପାଇଁ ନିରବଛିନ୍ନ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ତଥା ଦ୍ରୁତ ଶିଳ୍ପାୟନକୁ ଦୃଷ୍ଟିରେ ରଖି ୭୬୫ କେଭି ଗ୍ରୀଡ୍‌ର ଏକ ରିଙ୍ଗ୍ ସିଷ୍ଟମ୍ ସ୍ଥାପନ କରାଯାଉଛି ବୋଲି ବୈଠକରୁ ଜଣାଯାଇଛି ।

ଏହି ସିଷ୍ଟମ ପାଇଁ ଅନୁଗୋଳ ଓ ସୁନ୍ଦରଗଡରେ ୨ଟି ୭୬୫/୪୦୦ କେଭି ଗ୍ରୀଡ୍ କାର୍ଯ୍ୟକ୍ଷମ ଥିବା ବେଳେ ଗୋପାଳପୁର ଓ ପାରାଦୀପରେ ୨ଟି ୭୬୫/୪୦୦ କେଭି ବିଶିଷ୍ଟ ଗ୍ରୀଡ୍ ଷ୍ଟେସନ୍ ନିର୍ମାଣ କରାଯାଉଛି । ଏହା ସହିତ କୋଲାବିରା, ଡୁବୁରି ଓ ଆଠଗଡ ନିକଟସ୍ଥ ବେତଖୋଲି ଠାରେ ଆଉ ୩ଟି ୭୬୫/୪୦୦ କେଭି ସବ୍‌ଷ୍ଟେସନ୍ ନିର୍ମାଣ କରିବା ପାଇଁ ଯୋଜନା କରାଯାଇଛି ।

ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ୪୦୦ କେଭି ବିଶିଷ୍ଟ ୫ଟି ଗ୍ରୀଡ୍ ସବ୍‌ଷ୍ଟେସନ୍ ଥିବା ବେଳେ ଆଉ ୪ଟି ୪୦୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍ ନିର୍ମାଣାଧୀନ ରହିଛି ଏବଂ ୨ଟି ଟେଣ୍ଡର ଷ୍ଟେଜ୍‌ରେ ଅଛି । ଆଗକୁ ଆହୁରି ୯ଟି ୪୦୦ କେଭି ଗ୍ରୀଡ୍ ସବ୍‌ଷ୍ଟେସନ୍ ନିର୍ମାଣ କରିବାର ଯୋଜନା ରହିଛି । ଏସବୁ ସବ୍‌ଷ୍ଟେସନ୍ ଗୁଡିକ କାର୍ଯ୍ୟକ୍ଷମ ହେଲେ ଓଡିଶାରେ ବିଦ୍ୟୁତ୍ ସମସ୍ୟା ରହିବ ନାହିଁ ।

ସେହିଭଳି, ବିଭିନ୍ନ ଗ୍ରୀଡ୍ ଗୁଡିକର ଆଧୁନିକୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି । ୨୦୩୦-୩୧ ସୁଦ୍ଧା ରାଜ୍ୟରେ ପ୍ରାୟ ୫୯୦ଟି ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି । ଏହି ଶିଳ୍ପ ସଂସ୍ଥା ତଥା ଉପଭୋକ୍ତା ମାନଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୬ ହଜାର କୋଟି ଟଙ୍କାର ଶକ୍ତି ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ବୈଠକରୁ ଜଣାପଡିଛି ।

ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଉନ୍ନୟନ କମିଶନର ଡି.କେ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ ଦେବ, ଓପିଟିସିଏଲ ସିଏମଡି ଭାସ୍କର ଜ୍ୟୋତି ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


Reporterspen