ଜଲେଶପଟ୍ଟା ଆଶ୍ରମର ବିକାଶ ପାଇଁ ୧୩ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରି ରଖିବା ପାଇଁ ମୋହନ ସରକାର ବଡ଼ ଯୋଜନା କରିଛନ୍ତି । କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସେବା ଓ ଅବଦାନକୁ ସମ୍ମାନ ଜଣାଇବା ପାଇଁ ରାଜ୍ୟ ସରକାର ଏକାଧିକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିଛନ୍ତି । ଏହା ସହ ଜଲେଶପଟ୍ଟା ଆଶ୍ରମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ବା ଉଗଝଇ ପାଣ୍ଠିରୁ ୧୩ କୋଟି ମଞ୍ଜୁର କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, କନ୍ଧମାଳରେ ଥିବା ‘ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ଫୁଲବାଣୀ’ର ନାମ ପରିବର୍ତ୍ତନ କରାଯାଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ରଖାଯିବ । ସେହିପରି ଜଲେଶପଟ୍ଟାରେ ଥିବା ତାଙ୍କ ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ସାମଗ୍ରିକ ବିକାଶ ପାଇଁ ୧୩ କୋଟିର ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରାଯାଇଛି । ଏହି ଅର୍ଥରେ ଛାତ୍ରୀମାନଙ୍କ ପାଇଁ ୫ କୋଟି ବ୍ୟୟରେ ୩୦୦ ଆସନ ବିଶିଷ୍ଟ ଆଧୁନିକ ଛାତ୍ରୀ ନିବାସ ନିର୍ମାଣ କରାଯିବ । ସେହିପରି ୩ କୋଟି ବ୍ୟୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଐତିହ୍ୟ ସ୍ଥଳର ସଂରକ୍ଷଣ ଓ ବିକାଶ କାର୍ଯ୍ୟ ହେବ ।
ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଏବଂ କନ୍ୟାଶ୍ରମକୁ ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ୬୦ ଲକ୍ଷ ବ୍ୟୟରେ ମେଗା ରିଭର ଲିଫ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହାବ୍ୟତୀତ ଶୌଚାଳୟ ନିର୍ମାଣ, ଛାତ୍ରୀ ନିବାସର ସମ୍ପ୍ରସାରଣ, ପ୍ରାଚୀର ନିର୍ମାଣ, ନୂତନ ଶ୍ରେଣୀଗୃହ ନିର୍ମାଣ, ହଷ୍ଟେଲ ଭବନର ନବୀକରଣ ସମେତ ଆବଶ୍ୟକ ଭିତ୍ତିଭୂମି ସୁବିଧା ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, “ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ କନ୍ଧମାଳ ସମେତ ରାଜ୍ୟର ଜନଜାତି ସମାଜର ଶିକ୍ଷା, ସାମାଜିକ ସଚେତନତା ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ । ତାଙ୍କ ଆଦର୍ଶ ଓ ତ୍ୟାଗକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ସହ ଆଶ୍ରମର ଐତିହ୍ୟକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସବୁ ପଦକ୍ଷେପ ନିଆଯାଇଛି ।”
ରାଜ୍ୟ ସରକାରଙ୍କ ଏହି ଘୋଷଣା କନ୍ଧମାଳ ଜିଲ୍ଲାରେ ଶିକ୍ଷା, ଭିତ୍ତିଭୂମି ବିକାଶ ଏବଂ ଐତିହ୍ୟ ସଂରକ୍ଷଣ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି ।

