୨୦୪୭ ସୁଦ୍ଧା ମୁଣ୍ଡ ପିଛା ଆୟ ୩୨ ଲକ୍ଷ କରିବାକୁ ଯୋଜନା : ରାଜ୍ୟପାଳ

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପରମ୍ପରା ଅନୁସାରେ ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ତାଙ୍କର ଅଭିଭାଷଣ ରଖିଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ, ବିବରଣୀ ଓ ସଫଳତାର କାହାଣୀ ଗୃହରେ ବଖାଣିଛନ୍ତି । ସରକାର ହାତକୁ ନେଇଥିବା ବିଭିନ୍ନ ପ୍ରକାର ଜନକଲ୍ୟାଣ କାର୍ଯ୍ୟକ୍ରମ ସହ ଆଗାମୀ ଦିନର ରୋଡ୍ ମ୍ୟାପ୍ ସମ୍ପର୍କରେ ସ୍ପଷ୍ଟ ଧାରଣା ଦେଇଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣକୁ ଶସକ ଦଳ ଟେବୁଲ ବାଡ଼େଇ ସମର୍ଥନ ଦେଇଥିବା ବେଳେ ବିରୋଧୀ ବିଜେଡିର ବିଧାୟକ ମାନେ ଅଧାରୁ ବର୍ଜନ କରି କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଏକ ଫମ୍ପା ଓ ଅନ୍ତ ସାର ଶୂନ୍ୟ ବୋଲି ଅଭିଯୋଗ କରିଥିଲେ ।

ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶୃତିବଦ୍ଧ: ରାଜ୍ୟପାଳ ଡ. ହରିବାବୁ କମ୍ଭମପାତି କହିଲେ ଯେ, ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶୃତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ଅଂଶ ମିଳୁଛି । ଯାହାଦ୍ବାରା ପୂର୍ବ ଭାରତରେ ଓଡ଼ିଶା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ ହେବ। ସେହିପରି ଆତ୍ମନିର୍ଭର ଭାରତରେ ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍। ୨୦୩୬ ଓ ୨୦୪୭ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ୨୦୪୭ ସୁଦ୍ଧା ମୁଣ୍ଡ ପିଛା ଆୟ ୩୨ ଲକ୍ଷ କରିବାକୁ ଯୋଜନା କରାଯାଇଛି। ଏହାଛଡ଼ା ସରକାର ସହରୀ ବିକାଶ ଯୋଜନାକୁ ଗୁରୁତ୍ଵ ଦେଉଛନ୍ତି ।

ମେକ୍ ଇନ୍ ଓଡ଼ିଶା MoU: ରାଜ୍ୟପାଳ ପୁଣି କହିଛନ୍ତି ଯେ, ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ବିକଶିତ ଓଡ଼ିଶା ପାଇଁ ସହାୟକ ହେବ । ରାଜ୍ୟ ସରକାର ‘ମେକ୍ ଇନ୍ ଓଡ଼ିଶା’ MoU ମଧ୍ୟରୁ ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏଥିରେ ପ୍ରାୟ ୧ଲକ୍ଷ ୬୫ ହଜାର ନିଯୁକ୍ତି ସୁଯୋଗ ମିଳିବ । ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି, ‘ମେକ୍ ଇନ୍ ଓଡିଶା’ ୨୦୨୫ରେ ମୋଟ୍ ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶର ସମ୍ଭାବନା ରହିଛି । ଏଥିରେ ୪ଲକ୍ଷ ୬୫ ହଜାର ନିଯୁକ୍ତି ସୃଷ୍ଟି ହେବ । ଏହାଛଡ଼ା ରାଜ୍ୟରେ ୩୪୩ ବୃହତ ଶିଳ୍ପକୁ ଅନୁମୋହିତ କରାଯାଇଛି ବୋଲି ରାଜ୍ୟପାଳ ହରିବାକୁ କମ୍ଭମପାଟି ନିଜ ଅଭିଭାଷଣରେ କହିଛନ୍ତି ।

ରାଜ୍ୟରେ ରାସ୍ତାର ଆଧୁନିକୀକରଣ: ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ଯେ, ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ପ୍ରତିଶୃତିବଦ୍ଧ। ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି । ଭୁବନେଶ୍ଵର-ଖୋର୍ଦ୍ଧା-କଟକକୁ ନେଇ ରିଂରୋଡ୍ ନିର୍ମାଣ ହେଉଛି। ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ । ପ୍ରାୟ ୮୩୦୮ କୋଟି ଟଙ୍କା ବିନିଯୋଗରେ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରବେଶ କରିବ । ନିୟନ୍ତ୍ରିତ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିନ୍ ରିଙ୍ଗ ରୋଡ୍ (ଭୁବନେଶ୍ବର ବାଇପାସ୍) ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି । ଭୁବନେଶ୍ବର, କଟକ ଏବଂ ଖୋର୍ଦ୍ଧାରେ ଯାନବାହାନ ଭିଡ଼ କମାଇବା ସହିତ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସାହାର୍ଯ୍ୟ କରିବ । ଏହି ରାସ୍ତା ସୁଗମ ବହୁ ମାଧ୍ୟମିକ ସଂଯୋଜନା ମାଧ୍ୟମରେ ବାଣିଜ୍ୟକୁ ସୁଦୃଢ଼ କରିବ । ଏହାଛଡ଼ା ୮୩୦୦ କୋଟି ଟଙ୍କା ବ୍ୟୟରେ ରାମେଶ୍ବର -ପାରାଦୀପ ଉପକୂଳ ରାଜପଥକୁ ଅନୁମୋଦନ ମିଳିଛି । ଏହାଦ୍ବାର ଦୂରତା ଏବଂ ଯାତ୍ରା ସମୟ ପ୍ରାୟ ୪୫ ପ୍ରତିଶତ ହ୍ରାସ ପାଇବ ଏବଂ ଉପକୂଳ ଯୋଗାଯୋଗରେ ଯଥେଷ୍ଟ ଉନ୍ନତି ଆସିବ ବୋଲି ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି ।

ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍: ରାଜ୍ୟପାଳ ପୁଣି କହିଛନ୍ତି ଯେ, ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଅଧୀନରେ କେନ୍ଦ୍ର ସରକାର ୨୦୬୬ କୋଟିରୁ ଅଧିକ ଅର୍ଥ ବିନିଯୋଗରେ ଓଡ଼ିଶାରେ ଦୁଇଟି ଆତ୍ୟାଧୁନିକ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି । ଏହା ଓଡ଼ିଶାକୁ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କେନ୍ଦ୍ର ଭାବେ ପରିଚିତ କରିବ। ଏହା ଏକ ଐତିହାସିକ ପଦକ୍ଷେପ ଯାହା ଉଚ୍ଚ- ଦକ୍ଷତାମୂଳକ ରୋଜଗାର ସୃଷ୍ଟି କରିବ। ଏହା ସହଯୋଗୀ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗେଇ ନେବ।

ଚାଷୀଙ୍କ ମୁଣ୍ଡପିଛା ଆୟ ବୃଦ୍ଧି: ରାଜ୍ୟପାଳ କହିଛନ୍ତି ଯେ, ସରକାରଙ୍କ କୃଷି ବିକାଶ ନୀତି ପାଇଁ ରାଜ୍ୟରେ ଚାଷୀଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ଚାଷୀ ପରିବାରର ହାରାହାରି ଆୟ ବଢ଼ିଛି । ସମୃଦ୍ଧ କୃଷକ ଯୋଜନାରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଯାଇଛି । ଚାଷୀଙ୍କୁ ଧାନ କ୍ବିଣ୍ଟାପିଛା ୩୧ ଶହ ଟଙ୍କା ପ୍ରଦାନ କରାଯାଉଛି । ଏନେଇ ସରକାର ୬ ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି । ସେହିପରି ସିଏମ୍ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ଖର୍ଚ୍ଚ ହୋଇଛି । ଏହାଦ୍ବାରା ରାଜ୍ୟରେ ତିନି ଗୁଣା ଫସଲ ଉତ୍ପାଦନ ବଢ଼ିବା ସହିତ ଚାଷୀଙ୍କ ମୁଣ୍ଡପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି । ଫସଲ ଉତ୍ପାଦନ ୨୦୦୦-୦୧ରେ ୫୫.୩୫ ଲକ୍ଷ ମେଟ୍ରିକ ଟନ୍ ଥିଲା । ଏହା ୨୦୨୪-୨୫ରେ ୧୫୦ ଲକ୍ଷ ମେଟ୍ରିକ ଟନ୍ ହୋଇଛି । ୨୦୨୪-୨୫ ଖରିଫ ଋତୁରେ ପ୍ରାୟ ୨୦ ଲକ୍ଷ ପଞ୍ଜୀକୃତ ଚାଷୀଙ୍କ ଠାରୁ ୯୨.୬୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି । ଉଭୟ ଧାନ ସଂଗ୍ରହ ଏବଂ ଚାଷୀ ପଞ୍ଜିକରଣରେ ଏହା ସର୍ବକାଳୀନ ରେକର୍ଡ । ଗତ ଦଶ ବର୍ଷରେ ଚାଉଳ ଉତ୍ପାଦନ ୩୪.୩୬ ଲକ୍ଷ ମେଟ୍ରିକ୍ ଟନ୍ ରୁ ବଢ଼ି ୬୨.୮୫ ଲକ୍ଷରେ ପହଞ୍ଚିଛି ବୋଲି ରାଜ୍ୟପାଳ ଗୃହରେ ତଥ୍ୟ ରଖିଛନ୍ତି ।

ସୁଭଦ୍ରା ଯୋଜନାରେ ମହିଳା ସଶକ୍ତ: ରାଜ୍ୟପାଳ କହିଛନ୍ତି ଯେ, ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନା ମଧ୍ୟରୁ ଅନ୍ୟତମ । ଏହି ଯୋଜନାରେ ରାଜ୍ୟ ମହିଳା ମାନେ ସଶକ୍ତ ହେଉଛନ୍ତି । ନାରୀ ନିଜ ଗୋଡ଼ରେ ଛିଡ଼ା ହେଉଛି । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ୧.୧୨ କୋଟିରୁ ଅଧିକ ମହିଳା ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ କୋଟିରୁ ଅଧିକ ହିତାଧିକାରୀଙ୍କୁ ତିନୋଟି କିସ୍ତିରେ ସୁଭଦ୍ରା ସହାୟତା ପ୍ରଦାନ କରାଯାଇଛି । ଏବାବଦରେ ରାଜ୍ୟ ସରକାର ୧୫ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ରାଜ୍ୟପାଳ ଆହୁରି କହିଛନ୍ତି ଯେ ରାଜ୍ୟ ସରକାର ଏସଏଚଜି ବ୍ୟାଙ୍କ୍ କ୍ରେଡିଟ୍ ଲିଙ୍କେଜ୍ ମାଧ୍ୟମରେ ସାଂସ୍ଥାଗତ ଆର୍ଥିକ ସଂଯୋଗକୁ ଯଥେଷ୍ଟ ପରିମାଣରେ ସମ୍ପ୍ରସାରିତ କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ୩.୫୨ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୭,୪୫୪ କୋଟି ଟଙ୍କାର ବ୍ୟାଙ୍କ୍ ଋଣ ପ୍ରଦାନ କରାଯାଇଥିଲା । ଯାହା ଫଳରେ ହାରାହିର ସ୍ୱୟଂ ସହାୟତା ଗୋଷ୍ଠୀଙ୍କ ଋଣ ୪.୯୫ ଲକ୍ଷକୁ ବୃଦ୍ଧି ପାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟାଙ୍କ୍ କ୍ରେଡିଟ୍ ଲିଙ୍କେଜ୍ ଲକ୍ଷ୍ୟ ରଖାଯାଇଛି । ଏପର୍ଯ୍ୟନ୍ତ ୧.୬୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଛି ବୋଲି ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି ।​​​​​​​

ଲକ୍ଷପତି ଦିଦି ସୃଷ୍ଟି ଧାର୍ଯ୍ୟ: ରାଜ୍ୟପାଳ କହିଛନ୍ତି, NRLM ଅନ୍ତର୍ଗତ ଲକ୍ଷପତି ଦିଦି ପଦକ୍ଷେପ SHG ସଦସ୍ୟମାନଙ୍କୁ ବାର୍ଷିକ ଅନ୍ୟୁନ ୧ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ କରି କରାଯାଇଛି । ଏହା ରାଜ୍ୟ ସରକାରଙ୍କ ଏକ ଉଲ୍ଲେଖନୀୟ ସଫଳତା । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲକ୍ଷପତି ଦିଦି ସୃଷ୍ଟି ଧାର୍ଯ୍ୟ ଲକ୍ଷ୍ୟ ୧୬.୯୯ ଲକ୍ଷ ଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୧୬.୪୨ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଆଗକୁ ଆହୁରି ଅଧିକ ମହିଳାଙ୍କୁ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟପାଳ କହିଛନ୍ତି । ​​​​​​​

ନାରୀ ଅଦାଲତ ପାଇଁ ଅନୁମୋଦନ: ରାଜ୍ୟପାଳ କହିଛନ୍ତି ଯେ, ମହିଳାମାନଙ୍କ ପାଇଁ ସୁଗମ ଏବଂ ଗୋଷ୍ଠୀ- ଭିତ୍ତିକ ଅଭିଯୋଗ ସମାଧାନ ସୁନିଶ୍ଚିତ କରିବା ପାଇଁ ଆକାଂକ୍ଷୀ ଜିଲ୍ଲାର ୧୦ଟି ଗ୍ରାମ ପଞ୍ଚାୟତରେ ନାରୀ ଅଦାଲତ ସ୍ଥାପନ କରାଯାଇଛି। ହିଂସା ଦ୍ୱାରା ପ୍ରଭାବିତ ମହିଳାଙ୍କୁ ସମନ୍ୱିତ ସହାୟତା ପ୍ରଦାନ କରିବା ପାଇଁ ଓ୍ୱାନ୍ ଷ୍ଟପ୍ ସେଣ୍ଟର ସ୍ଥାପନ କରାଯାଇଥିଲା । ଏହାକୁ ବୃଦ୍ଧି କରି ଆଉ ୯ଟି ଅତିରିକ୍ତ କେନ୍ଦ୍ରକୁ ଅନୁମୋଦନ କରାଯାଇଛି । ଚଳିତବର୍ଷ ପ୍ରାୟ ୬, ୫୩୨ ମହିଳାଙ୍କୁ ଉପକୃତ କରିଛି । ମହିଳା ହେଲ୍ପ ଲାଇନ ୧୮୧, ଶିଶୁ ହେଲପ୍‌ ଲାଇନ ୧୦୯୮ ଓ ERSS-୧୧୨ର ଏକତ୍ରିକରଣ କରାଯାଇଛି। ୨୪X୭ ଆପାତକାଳୀନ ସହାୟତା ବ୍ୟବସ୍ଥା ସୁନିଶ୍ଚିତ ହୋଇଛି । ଯାହା ଦ୍ୱାରା ଏପର୍ଯ୍ୟନ୍ତ ପ୍ରାୟ ୯୬୪୫ ମହିଳା ସହାୟତା ପାଇଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି

​​​​​​​ଆଜିଠୁ ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ପ୍ରଥମ ବାଚସ୍ପତି ସୁରମା ପାଢ଼ୀ ଗୃହରେ ପ୍ରବେଶ କରିଥିଲେ । ପରେ ମହାମହିମ ରାଜ୍ୟପାଳଙ୍କୁ ପାଚ୍ଛୋଟି ନେଇଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଶାସକ ଦଳର ବିଧାୟକ ମାନେ ଏବଂ ବିରୋଧୀ ବିଜେଡି ଓ କଂଗ୍ରେସର ବିଧାୟକ ମାନେ ବିଧାନସଭାରେ ଉପସ୍ଥିତ ଥିଲେ । ରାଜ୍ୟ ବଜେଟରେ 28 କାର୍ଯ୍ୟ ଦିବସ ରହିଛି । ଫେବ୍ରୁଆରୀ 20 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନ କରିବେ ।


Reporterspen