କିନ୍ନର ହତ୍ୟାକରୀକୁ ପୋଲସ ଏନକାଉଣ୍ଟର

Reporterspen

ଭୁବନେଶ୍ଵର, (ରିପୋର୍ଟର୍ସ ପେନ୍‌): କିନ୍ନର ଅଞ୍ଜଳି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୋଲସ ଏନକାଉଣ୍ଟର କରିଛି । ଅପରାଧୀ କ୍ରିଷ୍ଣା କାଣ୍ଡି ପୋଲିସ ଗୁଳିରେ ଘାଇଲା ହୋଇଛି । ପିପିଲିର ନାୟରା ପେଟ୍ରୋଲ ପମ୍ପ ନିକଟରେ ଅଭିଯୁକ୍ତ ମୁହାଁମୁହିଁ ହୋଇଥିବା ବେଳେ ତା’ ବାମ ଗୋଡରେ ଗୁଳି ବାଜିଛି । ଘାଇଲା କ୍ରିଷ୍ଣାକୁ ପୋଲିସ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ କଟକ ବଡମେଡିକାଲକୁ ପଠାଇ ଦେଇଛି । ତେବେ ପୋଲିସ ଗୁଳିରେ ଘାଇଲା ହୋଇଥିବା ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିର ଘର କୋଣାର୍କରେ ବୋଲି ଜଣାପଡିଛି ।

କିନ୍ନର ହତ୍ୟାକାଣ୍ଡକୁ ପୁରୀ ପୋଲିସ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ହତ୍ୟାକାରୀ କ୍ରିଷ୍ଣା କାଣ୍ଡି ବୋଲି ପୋଲିସ ଜାଣିବାକୁ ପାଇଥିଲା । ପରେ ତାକୁ ଧରିବକୁ ଉଦ୍ୟମ ଚଳାଇଥିଲା । ବୁଧବାର ସନ୍ଧ୍ୟାରେ କ୍ରିଷ୍ଣା ବାଇକ ଯୋଗେ ପୁରୀ ଅଭିମୁଖେ ଆସୁଥିବା ପୋଲିସ ଖବର ପାଇଥିଲା । ପରେ ତାକୁ ଧରିବାକୁ ଅଧା ରାସ୍ତାରେ ଛକି ବସିଥିଲା । ପୋଲିସ ତାକୁ ଅକାଇବାକୁ ଉଦ୍ୟମ କରିବା ବେଳେ ସେ ଗୁଳି ମାଡ କରି ଖସି ଯିବାକୁ ଉଦ୍ୟମ କରିଥିଲା । ପରେ ପୋଲିସ ପାଲଟା ଗୁଳି ମାଡ କରିଥିଲା । ପୋଲିସ ଗୁଳିରେ ସେ ଘାଇଲା ହୋଇଥିଲା ।

ଗତ ୩ ତାରିଖରେ ରାଜଧାନୀ ଉପକଣ୍ଠ ଉତ୍ତରା କୌଶଲ୍ୟାଗଙ୍ଗ ଏନ୍‌ଏଚ୍‌-୩୧୬ କଡ ସିଫା ନିକଟରେ କିନ୍ନର ଅଞ୍ଜଳିକୁ ଛୁରୀ ଭୁସି ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା । ଅଞ୍ଜଳି କିଛି ଦିନ ହେବ ସିଫା ନିକଟସ୍ଥ ରାସ୍ତା କଡ଼ରେ ଛିଡ଼ା ହେଉଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ଚାଲିଯାଇଥିଲେ । ଅଞ୍ଜଳୀ ତାଙ୍କ ସାଥି କିନ୍ନରଙ୍କୁ ଫୋନ୍ କରି କହିଥିଲେ । ତାଙ୍କୁ ଦୁଇ ଜଣ ଛୁରୀ ଭୁସି ଦେଇଛନ୍ତି କହିବା ପରେ ଆଉ କିଛି କହିନଥିଲେ । ଖବରପାଇ ପିପିଲି ଥାନା ପୋଲିସ ପହଁଚି ଘଟଣାସ୍ଥଳରୁ ତାଙ୍କ ମୃତ ଅବସ୍ଥାରେ ପାଇଥିଲା ।

ଏହି ହତ୍ୟାକାଣ୍ଡକୁ ନେଇ କିନ୍ନର ସମାଜ ତାତିଥିଲେ । ଶତାଧିକ କିନ୍ନର କ୍ୟାପିଟାଲ ହସ୍ପିଟାଲ-ଏୟାରପୋର୍ଟ ରାସ୍ତାକୁ ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ । ଯଥାଶୀଘ୍ର ହତ୍ୟାକାରୀମାନଙ୍କୁ ଗିରଫ ନ କରାଗଲେ, ସାମୂହିକ ଆତ୍ମାହୂତି ଦେବେ ବୋଲି ଚେତାଇଥିଲେ । ପୋଲିସ ସେମାନଙ୍କୁ ଅନେକ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ହଟିଥିଲେ ।


Reporterspen