odisha assembly: ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

Reporterspen

ଐତିହାସିକ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

odisha assembly: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଆଜି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓଡ଼ିଶାଗସ୍ତରେ ଆସୁଛନ୍ତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ବିଧାନସଭାର ଶୀତକାଳୀନ ଅଧିବେଶନରେ ବିଧାୟକମାନଙ୍କୁ ସମ୍ବୋଧିତ କରିବେ । ଯାହା ଏକ ଐତତିହାସିକ ବିଧାନସଭା ଅଧିବେଶନ ହେବ । ଭାରତ ଇତିହାସରେ ପ୍ରଥମ ଥର ପାଇଁ କୌଣସି ବିଧାନସଭା ଅଧିବେଶନକୁ ଜଣେ ରାଷ୍ଟ୍ରପତି ସମ୍ବୋଧନ କରିବା ଏହା ପ୍ରଥମ ଘଟଣା ହେବ । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ସଂପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଛି ବିଧାନସଭା । ସୁରକ୍ଷା ଦୃଷ୍ଟିରୁ ବି କାରକେଡ ରିହର୍ସଲ କରଯାଇଛି । ବିମାନ ବନ୍ଦରରୁ ରାଜଭବନ ଓ ରାଜଭବନରୁ ବିଧାନସଭା ଯାଏଁ ହୋଇଛି କାରକେଡ୍ ଅଭ୍ୟାସ । ପୋଲିସ ଡିଜି, ସିପି ଓ ଡିସିପିଙ୍କ ସହ ବରିଷ୍ଠ ଅଧିକାରୀମାନେ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ଲୁବୁକ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଧାନସଭାର ଶୀତକାଳୀନ ଅଧିବେଶନ ବେଳେ ରାଷ୍ଟ୍ରପତି ପାଖାପାଖି ଘଣ୍ଟାଏ ଧରି ଗୃହକୁ ସମ୍ବୋଧନ କରିବେ । ପ୍ରଥମ ଥର ବିଧାନସଭାରୁ ରାଷ୍ଟ୍ରପତି କ’ଣ ବାର୍ତ୍ତା ଦେବେ ତାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଗଲାଣି । ଆସନ୍ତାକାଲି ଦିନ ୨ଟା ୩୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧା ରାଜଭବନ ଯାଇ ଅପରାହ୍ଣ ୪ଟା ୨୦ରେ ବିଧାନସଭାରେ ପହଞ୍ଚିବେ । ସାଢେ ୪ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ଘଣ୍ଟାଏ ଧରି ବିଧାନସଭାରେ ରହିବେ । ଯେଉଁଠି ରାଜନୀତିର ନୂଆ ପରିଚୟ ମିଳିଥିଲା ସେହିଠାରୁ ରାଜବାସୀଙ୍କୁ ସମ୍ବୋଧିତ କରିବେ । କ’ଣ କହିବେ ମହାମହିମ ଯାହାକୁ ନେଇ ଜନପ୍ରତିନିଧିଙ୍କ ଠାରୁ ନେଇ ଜନତାଙ୍କ ଯାଏ ଉତ୍କଣ୍ଠା । ଏଥିପାଇଁ ବିଧାନସଭା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମେଗା ପ୍ରସ୍ତୁତି ଚାଲିଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଧାନସଭାକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ୩୩ ପ୍ଲାଟୁନ୍ ପୁଲିସ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ବୋମା ନିଷ୍କ୍ରିୟକାରୀ ଦଳ ସଜାଗ ରହିଛନ୍ତି । ଭୁବନେଶ୍ୱର ବିମାନର ବନ୍ଦରରୁ ରାଜଭବନ ଏବଂ ରାଜଭବନରୁ ବିଧାନସଭା ପର୍ଯ୍ୟନ୍ତ କାରେକେଡ୍ ରିହରସାଲ କରାଯାଇଛି । ତେବେ ବିଧାନସଭାରେ ଅଭିଭାଷଣ ରଖିବା ପରେ ରାଷ୍ଟ୍ରପତି ବିଧାନସଭାର ୧୧ନଂ ରୁମ୍‌କୁ ଯିବେ । ସେଠାରେ ପୁରୁଣା ଦିନର ସେହି ସ୍ମୃତି ସାଉଁଟିବାକୁ ୧୧ନଂ ରୁମ୍‌ରେ କିଛି ସମୟ ବିତାଇବେ ମହାମହିମ । କାରଣ, ୨୦୦୦ ରୁ ୨୦୦୪ ଯାଏଁ ପରିବହନ ମନ୍ତ୍ରୀ ଥିବା ବେଳେ ୧୧ନଂ ରୁମ୍ ତାଙ୍କର କାର୍ଯ୍ୟାଳୟ ଥିଲା । ସେଥିପାଇଁ ବିଧାନସଭା ସମେତ ଏହି ଚାମ୍ୱରକୁ ସଜା ଯାଇଛି ।


Reporterspen