r & b department: ଭୁବନେଶ୍ୱର, (ରିପୋଟର୍ସ ପେନ୍) : ବେଆଇନ ସମ୍ପତ୍ତି ଠୁଳ କରିବାରେ ‘ନମ୍ବର ୱାନ’ କୁହାଯାଉଥିବା ଯନ୍ତ୍ରୀଙ୍କ ଉପରେ ଏବେ ଭିଜିଲାନ୍ସ ତୀକ୍ଷ୍ଣ ନଜର ରଖିଛି । ସୁବିଧା-ସୁଯୋଗ ଦେଖି ସରକାରଙ୍କ ବଦନାମ କରୁଥିବା ଏହି ଯନ୍ତ୍ରୀମାନଙ୍କ ଉପରେ ଚଢାଉ କରୁଛି । ଏହି ତାଲିକାରେ ଆରଡବ୍ଲ୍ୟୁ ବା ରୁରାଲ ୱାର୍କ୍ସ ଡିଭିଜନ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ଷଡଙ୍ଗୀଙ୍କ ସମେତ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନର ପଣ୍ଡା-ଜେନାଙ୍କ ନାଁ ମଧ୍ୟ ରହିଛି । ଆଜି ଶ୍ରୀ ଷଢଙ୍ଗୀଙ୍କ ଘରେ ଚଢାଉ କରାଯାଇଥିବା ବେଳେ ପଣ୍ଡାଜେନା ଏବେ ଭିଜିଲାନ୍ସ ରାଡାରକୁ ଆସିଥିବା ଜଣାପଡିଛି ।
ରାସ୍ତା ଓ ଗୃହନିର୍ମାଣ ବିଭାଗ ଭୁବନେଶ୍ୱର ଡିଭିଜନରେ କାର୍ଯ୍ୟରତ ରାଙ୍ଗା-ବିଲ୍ଲା ଓରଫ ‘ପଣ୍ଡାଜେନା’ଙ୍କ ଉପରେ ଏବେ ଭିଜିଲାନ୍ସ ନଜର ପଡିଛି । ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଠୁଳ କରିବା, ଖୋଲାଖୋଲି ଏଷ୍ଟିମେଟ ଉପରେ ପିସି ଦାବି କରିବା ଓ ନାମଦାମୀ ଗାଡି ଚଢୁଥିବାରୁ ଏହି ଦୁହିଁଙ୍କ ଉପରେ ଏବେ ଭିଜିଲାନ୍ସର ସନ୍ଦେହୀ ଆଖି ପଡିଛି । ତାଙ୍କ ବିରୋଧରେ ମଧ୍ୟ ଭିଜିଲାନ୍ସରେ ଏକାଧିକ ଅଭିଯୋଗ ହୋଇଥିବା ଜଣାପଡିଛି । ଖୁବଶୀଘ୍ର ତାଙ୍କ ଘରେ ଭିଜିଲାନ୍ସ ପଶିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ଏହି ‘ପଣ୍ଡାଜେନା’ ବିପୁଳ ପରିମାଣର ବେନାମୀ ସମ୍ପତ୍ତିର ମାଲିକ ବୋଲି ଜଣାପଡିଛି । ଭୁବନେଶ୍ୱର ସହର, ଉପକଣ୍ଠ ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସେମାନଙ୍କର ଏକାଧିକ ବିଳାଶପୂର୍ଣ୍ଣ କୋଠା, ନଗଦ ଟଙ୍କା ଓ ସୁନା ଗହଣା ରହିଥିବା କୁହାଯାଉଛି । ସେପଟେ ‘ପଣ୍ଡାଜେନା’ ଠିକା କାମରେ ହେରଫେର କରିବାରେ ମାଷ୍ଟର । ଅଧିକ ପିସି ପାଉଥିବା ଠିକାଦାରଙ୍କୁ ବେଆଇନ ଭାବେ ଠିକା କାମ ଦେଇ ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବାରେ ମାହିର । ଉଦାହରଣ ସ୍ୱରୂପ- ସାଧାରଣତଃ ବିଲ ଉପରେ ପିସି ନେବାର ନଜୀର ରହିଥିବା ବେଳେ ଏମାନେ ଏଷ୍ଟିମେଟ ଉପରେ ପିସି ନେଉଛନ୍ତି । ପିସି ନଦେଲେ କାମ ଦେଉନାହାନ୍ତି, ଯଦି କେହି କାମ ନେଉଛି, ତାକୁ ନିମ୍ନମାନର କହି ତା’ ବିଲ ପାସ୍ କରୁନାହାନ୍ତି । ଫଳରେ ଠିକାଦାରମାନେ ମୋଟା ଅଙ୍କର ପିସି ଦେବାକୁ ବାଧ୍ୟ ହେଉଛନ୍ତି ।
ସେହିପରି ୫ଲକ୍ଷରୁ ଅଧିକ ବଜେଟ କାମ ଟେଣ୍ଡର ଡକାଯିବାର ନିୟମ ରହିଛି । ମାତ୍ର ଏହି କରିତକର୍ମା ‘ପଣ୍ଡାଜେନା’ କାମକୁ ଭାଗ କରି ବିନା ଟେଣ୍ଡରରେ କାମ ଦେଇଥାନ୍ତି । ଫଳସ୍ୱରୂପ ଏହି ବାବଦରେ ସେ ମୋଟା ଅଙ୍କର ଫାଇଦା ନେଇଥାନ୍ତି । ଏଥିସହିତ ନିମ୍ନମାନର ମାନ କରିବାକୁ ପରାମର୍ଶ ଦେଇ ସରକାରୀ ଅର୍ଥକୁ ବାଟ ମାରଣା କରିଥାନ୍ତି ।
ସେହି ବିଭାଗର ଜଣେ କର୍ମଚାରୀ କହିଛନ୍ତି, ‘ପଣ୍ଡାଜେନା’ କାମକୁ ଭାଗ କରି ବିନା ଟେଣ୍ଡରରେ ନିଜ ଲୋକଙ୍କୁ ବାଣ୍ଟି ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି । ଉପରିସ୍ଥ ଅଧିକାରୀଙ୍କୁ କେତେକ କ୍ଷେତ୍ରରେ ବ୍ଲାକମେଲ କିମ୍ବା ଆନୁଗତ୍ୟ ଦେଖାଇ ଚୁପ କରାଇଦେଉଛନ୍ତି । ଫଳରେ ବେଆଇନ କାମକୁ ଅତି ସହଜରେ ଗଳାବାଟରେ ଖସାଇନେଉଛନ୍ତି । ଏହିଭଳି ଭାବେ ସେମାନେ ଏବେ କଳା ସାମ୍ରାଜ୍ୟର ବାଦଶାହା ପାଲଟି ଯାଇଛନ୍ତି । ରାଜଧାନୀ ଠାରୁ ଗାଁ ପର୍ଯ୍ୟନ୍ତ ଘର, ବ୍ୟବସାୟ ପ୍ରତିଷ୍ଠାନ, ସୁନା-ରୂପା ଭଳି ସେ ବିପୁଳ ସମ୍ପତ୍ତି ଠୁଳ କରିଛନ୍ତ । ଯଦି ଭିଜିଲାନ୍ସ ତଦନ୍ତ କରାଯାଆନ୍ତା, ତେବେ ‘ପଣ୍ଡାଜେନା’ଙ୍କ ସମ୍ପତ୍ତି ଦେଖି ସରକାରଙ୍କ ଆଖି ଟେରା ହୋଇଯାଆନ୍ତା ।
ଉଲ୍ଲେଖଥାଉ କି, ରାସ୍ତା ଓ ଗୃହନିର୍ମାଣ ବିଭାଗର ଡିଭିଜନ-୩ ଅଧିନରେ ଏହି ରାଙ୍ଗା-ବିଲ୍ଲା କାମ କରୁଛନ୍ତି । ଏମାନେ ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ଗାଦି ମାଡି ବସିଛନ୍ତି । ଏମାନଙ୍କ ଅଧିନରେ ହେଉଥିବା ଗୃହ ନିର୍ମାଣ, ମରାମତି ଓ ରାସ୍ତା ନିର୍ମାଣ କାର୍ଯ୍ୟ ତାଙ୍କର ଇଛାଧିନ ବ୍ୟାପାର ହୋଇଥାଏ । କେଉଁ ଠିକାଦାର କାମ ନେବ, କେତେ ଟଙ୍କା ବିଲ ହେବ ସବୁ ତାଙ୍କ ଇସାରାରେ କରାଯାଏ । ତେବେ ଏଦିଗରେ ସରକାର ଓ ବିଭାଗୀୟ ମନ୍ତ୍ରୀ, ସଚିବ ଦୃଷ୍ଟି ନଦେଲେ,ଭିଜିଲାନ୍ସ ହାତରେ ଧରାପଡି ସେମାନେ ସରକାରଙ୍କୁ ବଦନାମ କରିବା ଏକ ପ୍ରକାର ନିଶ୍ଚିତ ।