ଅଧିକାର ସୁରକ୍ଷିତ ହେଲେ ସମାଜ ସମୃଦ୍ଧ ହୁଏ: ରାଜ୍ୟପାଳ

Reporterspen

ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଅଧିକାର ସୁରକ୍ଷିତ ହେଲେ ସାମାଜ ସୁଦୃଢ଼ ହୁଏ । ବୁଧବାର ଓଡ଼ିଶା ମାନବିକ ଅଧିକାର ଆୟୋଗ ଆନୁକୂଲ୍ୟରେ ସମ୍ବଲପୁରଠାରେ ଆୟୋଜିତ ବିଶ୍ୱ ମାନବାଧିକାର ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି । ଏଥି ସହ ମାନବାଧିକାରକୁ ବଜାୟ ରଖିବା ପାଇଁ ସାମୂହିକ ପ୍ରତିବଦ୍ଧତା ପାଇଁ ଆହ୍ୱାନ ଜଣାଇଛନ୍ତି । ଅଧିକାରଗୁଡ଼ିକ କେବଳ ଆଇନ ମାଧ୍ୟମରେ ନୁହେଁ ବରଂ ନାଗରିକ, ଅନୁଷ୍ଠାନ ଏବଂ ଗୋଷ୍ଠୀମାନଙ୍କର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ବିକଶିତ ହେବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି ।

ରାଜ୍ୟପାଳ କହିଛନ୍ତି ଯେ ବିଶ୍ୱ ମାନବାଧିକାର ଦିବସ ଏକ ସ୍ମରଣକାରୀ ଦିବସ ଭାବରେ କାର୍ଯ୍ୟ କରେ । ଯାହା ସମସ୍ତଙ୍କ ପାଇଁ ନ୍ୟାୟ ଉପଲବ୍ଧ କରାଇବା, ସମାଜରେ ଭେଦଭାବର କୌଣସି ସ୍ଥାନ ନ ରହିବା ଏବଂ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ମାନର ସହିତ ବଞ୍ଚିବାର ସୁଯୋଗ ମିଳିବା ଆବଶ୍ୟକ ବୋଲି ସ୍ମରଣ କରାଇଦିଏ । ଚଳିତ ବର୍ଷର ବିଷୟବସ୍ତୁ \”ମାନବାଧିକାର ଆମର ଦୈନନ୍ଦିନ ଆବଶ୍ୟକତା” ଉପରେ ଆଲୋକପାତ କରି ଶିକ୍ଷା, ଅଭିବ୍ୟକ୍ତିର ସ୍ୱାଧୀନତା, ନିରାପଦ କାର୍ଯ୍ୟ ପରିବେଶ, ଖାଦ୍ୟ, ପାଣି, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଭଳି ଅଧିକାର ମାନବିକ ମର୍ଯ୍ୟାଦାର ମୂଳଦୁଆ ଗଠନ କରେ ବୋଲି ରାଜ୍ୟପାଳ କହିଥିଲେ । ଯେତେବେଳେ ଏହି ଅଧିକାରଗୁଡ଼ିକୁ ବଜାୟ ରଖାଯାଏ ସମାଜ ସମୃଦ୍ଧ ହୁଏ; ଯେତେବେଳେ ପ୍ରତ୍ୟାଖ୍ୟାନ କରାଯାଏ ସମାଜରେ ଅବକ୍ଷୟ ଦେଖାଯାଏ ବୋଲି ରାଜ୍ୟପାଳ କହିଥିଲେ ।

ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କ ନେତୃତ୍ୱରେ ଆୟୋଗର କାର୍ଯ୍ୟକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଓ ସ୍ୱତଃସ୍ଫୁର୍ତ୍ତ ଭାବେ ଅଭିଯୋଗର ପଞ୍ଜିକରଣ କରିବା, ଅଭିଯୋଗର ତୁରନ୍ତ ସମାଧାନ ଏବଂ ଦୁର୍ବଳ ଗୋଷ୍ଠୀକୁ ସୁରକ୍ଷା ଦେବା ପାଇଁ ଆୟୋଗର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ।

ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘନ ପୂଜାହାରୀ, ମାନବାଧିକାର କର୍ମୀ ତଥା ରମନ ମାଗାସେସେ ପୁରସ୍କାର ବିଜେତା ବେଜୱାଡା ୱିଲସନ ଏବଂ ପୂର୍ବତନ ଡିଜିପି ତଥା ଓପିଏସସିର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାନବାଧିକାର ଆୟୋଗର ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ମଞ୍ଚାସୀନ ଥିଲେ ।


Reporterspen