odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ୟୁଜିସି (ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ଓ ଏକାଡେମିକ୍ କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ଏବଂ ଉଚ୍ଚଶିକ୍ଷାରେ ମାନକ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ) ନିୟମାବଳୀ, ୨୦୨୫ର ଡ୍ରାଫ୍ଟ ଉନ୍ମୋଚନ କରିବା ସହ ୟୁଜିସିର ନୂଆ ଅଡିଟୋରିୟମ ‘ପୁଷ୍ପଗିରି’କୁ ଉଦଘାଟନ କରିଛନ୍ତି ।
ୟୁଜିସି ନବନିର୍ମିତ ଅଡିଟୋରିୟମ୍ ‘ପୁଷ୍ପଗିରି’ ରଖି ଓଡ଼ିଶାର ବୌଦ୍ଧିକ ଐତିହ୍ୟକୁ ସମ୍ମାନିତ କରିଥିବାରୁ ଶ୍ରୀ ପ୍ରଧାନ ଏହାର ପ୍ରଶଂସା କରିଛନ୍ତି । ଏହା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ବ୍ୟକ୍ତିଗତ ଆନନ୍ଦର ବିଷୟ ବୋଲି ଉଲ୍ଲେଖ କରିବା ସହ ଓଡ଼ିଶାର ଯାଜପୁରର ପୁଷ୍ପଗିରି କିପରି ଜ୍ଞାନର ପୀଠ ଓ ଜ୍ଞାନର ପ୍ରତୀକ ତାହା ଉପରେ ସେ ଆଲୋକପାତ କରିଥିଲେ । ଏକବିଂଶ ଶତାବ୍ଦୀରେ ଭାରତର ବୌଦ୍ଧିକ ଐତିହ୍ୟ ଓ ମୂଲ୍ୟବୋଧର ପୁନରୁଦ୍ଧାର ଦିଗରେ ୟୁଜିସିର ଏହି ପ୍ରଶଂସନୀୟ ପଦକ୍ଷେପ ପାଇଁ ସେ ପ୍ରଶଂସା କରିଥିଲେ । ଏଥିସହିତ ଏହି ଅତ୍ୟାଧୁନିକ ଅଡିଟୋରିୟମ ଜୀବନ୍ତ ବୌଦ୍ଧିକ ଆଲୋଚନାର କେନ୍ଦ୍ର ଭାବେ ଉଭା ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଉଲ୍ଲଖନୀୟ, ଡ୍ରାଫ୍ଟ ୟୁଜିସି (ବିଶ୍ୱବିଦ୍ୟାଳୟ ଓ କଲେଜରେ ଶିକ୍ଷକ ଓ ଏକାଡେମିକ କର୍ମଚାରୀଙ୍କ ନିଯୁକ୍ତି ଓ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ଏବଂ ଉଚ୍ଚଶିକ୍ଷାରେ ମାନକ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ) ନିୟମାବଳୀ, ୨୦୨୫ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସୁବିଧା ଉପାୟରେ ସେମାନଙ୍କ ଅନୁଷ୍ଠାନରେ ଶିକ୍ଷକ ଏବଂ ଶୈକ୍ଷିକ କର୍ମଚାରୀଙ୍କୁ ନିଯୁକ୍ତି ଏବଂ ପଦୋନ୍ନତି ଦେବାରେ ସହାୟକ ହେବ । ଡ୍ରାଫ୍ଟ ନିୟମାବଳୀ ଏବଂ ମାର୍ଗଦର୍ଶିକା ଗୁଡିକ ଜନସାଧାରଣଙ୍କ ପରାମର୍ଶ ପାଇଁ ଉପଲବ୍ଧ, ଅଂଶୀଦାରମାନଙ୍କଠାରୁ ମତାମତ ଏବଂ ପରାମର୍ଶ ଦେବା ପାଇଁ ଅପିଲ୍ କରାଯାଇଛି ।
ନିୟମାବଳୀର ପ୍ରମୁଖ ବିଶେଷତା ହେଉଛି ଯୋଗ୍ୟତା ସହ ପିଏଚଡି ଅଭିଜ୍ଞତା ଉପରେ ବିଶେଷ ଧ୍ୟାନ ଦିଆଯିବ । ଭାରତୀୟ ଭାଷାକୁ ପ୍ରୋତ୍ସାହିତ କରାଯିବା ସହ ସାମଗ୍ରିକ ମୂଲ୍ୟାୟନ, ସରଳୀକରଣ ପଦୋନ୍ନତି ପ୍ରକ୍ରିୟା, ଅନ୍ତର୍ଭୁକ୍ତୀକରଣ ସହ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ଯୋଗ୍ୟତା ଆଧାରରେ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବ । ଭିନ୍ନକ୍ଷମଙ୍କ ସମେତ ଦକ୍ଷ କ୍ରୀଡ଼ାବିତମାନଙ୍କୁ ଶିକ୍ଷକତା ବୃତ୍ତିରେ ପ୍ରବେଶ କରିବାର ସୁଯୋଗ ଆଦି ପ୍ରଦାନ କରିବ ।