ହାର୍ଦ୍ଦିକଙ୍କ ଧମାଲ ଓ ବରୁଣଙ୍କ ଚକ୍ରବ୍ୟୁହରେ ଧରାଶାୟୀ ଦକ୍ଷିଣ ଆଫ୍ରିକା

Reporterspen

ଅହମ୍ମଦାବାଦ,୧୯ ।୧୨: ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ପରାସ୍ତ କରି ସିରିଜରେ ୩-୧ ବିଜୟ ହାସଲ କରିଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୩୧ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ କେବଳ ୨୦୧ ରନ କରିପାରିଛି । ହାଦ୍ଦିକ ପାଣ୍ଡ୍ୟା ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ଟି ୱିକେଟ ନେଇ ଭାରତର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି ।

ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା, ଯାହାକି ସେମାନଙ୍କ ପାଇଁ ବୁମରାଂ ସାବ୍ୟସ୍ତ ହୋଇଥିଲା । ଶୁଭମନ ଗିଲ୍‌ଙ୍କ ଅନୁପସ୍ଥିତିରେ, ସଞ୍ଜୁ ସାମସନ୍ ଅଭିଷେକ ଶର୍ମାଙ୍କ ସହ ଇନିଂସ୍ ଓପନ କରିଥିଲେ । ସାମସନ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସମଗ୍ର ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ ଏବଂ ସେ ୨୨ ବଲ୍‌ରେ ୩୭ ରନ୍ କରିଥିଲେ । ଅଭିଷେକ ଶର୍ମା ମଧ୍ୟ ୩୪ ରନ୍ କରିଥିଲେ । ହାଦ୍ଦିକ ପାଣ୍ଡ୍ୟା ପଞ୍ଚମ ଟି-୨୦ରେ ୨୫ ବଲରେ ୬୩ ରନ୍ କରିଥିଲେ । ସେ ୧୬ ବଲ୍ ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ ।

ଟି-୨୦ ଇତିହାସରେ ଏହା ଜଣେ ଭାରତୀୟ ବ୍ୟାଟର ଦ୍ୱାରା ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା । ତିଲକ ବର୍ମା ମଧ୍ୟ ୪୨ ବଲ୍ ରେ ୭୩ ରନ୍ କରି ଭାରତକୁ ୨୩୧ ରନ୍ ରେ ପହଞ୍ଚାଇଥିଲେ । ୨୩୨ ରନର ଟାର୍ଗେଟକୁ ପିଛା କରି ଦକ୍ଷିଣ ଆଫ୍ରିକା କ୍ୱିଣ୍ଟନ ଡି କକ୍ ସହିତ ଏକ ଚମତ୍କାର ଶୁଭାରମ୍ଭ କରିଥିଲା । ହେଣ୍ଡ୍ରିକ୍ସ ମାତ୍ର ୧୩ ରନ କରି ଆଉଟ ହୋଇଥିଲେ, କିନ୍ତୁ ଡି କକ୍ ଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଦକ୍ଷିଣ ଆଫ୍ରିକା ପାୱାରପ୍ଲେରେ କୌଣସି ୱିକେଟ ନ ହରାଇ ୬୭ ରନ କରିଥିଲା ।

ଦକ୍ଷିଣ ଆଫ୍ରିକା ୧୦ ଓଭରରେ ୧୧୮ ରନରେ ପହଞ୍ଚିଥିଲା, କିନ୍ତୁ ୧୧ତମ ଓଭରରେ ଜସପ୍ରିତ ବୁମରାହ ଡି କକଙ୍କୁ ତାଙ୍କ ନିଜ ବୋଲିଂରେ କ୍ୟାଚ୍ ଦେଇ ତାଙ୍କୁ ୬୫ ରନରେ ଆଉଟ କରିଥିଲେ । ଡି କକ ୩୫ ବଲରେ ୬୫ ରନ କରିଥିଲେ । ଏହା ପରେ ଦକ୍ଷିଣ ଆଫ୍ରିକାର ରନ ହାର ମନ୍ଥର ହେବାକୁ ଲାଗିଲା । ଡି କକଙ୍କ ଆଉଟ ହେବା ପରେ, ଆଫ୍ରିକା ପରବର୍ତ୍ତୀ ପାଞ୍ଚ ଓଭରରେ କେବଳ ୩୮ ରନ କରିପାରିଥିଲା ଏହିପରି ଭାବରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍କୁ ହାତେଇବାରେ ସଫଳ ହୋଇଥିଲା ଭାରତ ।

ବରୁଣ ଚକ୍ରବର୍ତ୍ତୀ ଭାରତର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ସେ ଚାରି ଓଭରରେ ୫୩ ରନ ଦେଇ ଚାରି ଜଣ ଦକ୍ଷିଣ ଆଫ୍ରିକୀୟ ବ୍ୟାଟରଙ୍କୁ ଆଉଟ୍ କରିଥିଲେ । ବରୁଣ ତାଙ୍କ ସ୍ପେଲର ଶେଷ ଓଭରରେ ତିନୋଟି ଛକା ସହିତ ୨୧ ରନ ଦେଇଥିଲେ । ଉଲ୍ଲେଖନୀୟ ଯେ ବରୁଣ ଚକ୍ରବର୍ତ୍ତୀ ଏହି ବର୍ଷ ଟି-୨୦ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି ।


Reporterspen