ଟି-୨୦ ବିଶ୍ୱକପ୍‌ ମହାକୁମ୍ଭ; ଲଢିବେ ୨୦ ଦଳ

Reporterspen

ନୂଆଦିଲ୍ଲୀ,; ଆସନ୍ତା ୭ ତାରିଖରୁ ଟି-୨୦ ବିଶ୍ୱକପ୍‌ର ଦଶମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହାର ଆୟୋଜକ ରହିଛନ୍ତି । ମୋଟ୍‌ ୨୦ଟି ଦଳ ଏଥିରେ ଭାଗ ନେଇଛନ୍ତି। ଫାଇନାଲ ପର୍ଯ୍ୟନ୍ତ ୫୫ଟି ମ୍ୟାଚ ଭାରତରେ ୫ଟି ଏବଂ ଶ୍ରୀଲଙ୍କାରେ ୩ଟି ଷ୍ଟାଡିୟମରେ ଖେଳାଯିବ। ବିଶ୍ୱକପ୍‌ ପୂର୍ବରୁ ବାଂଲାଦେଶ ବାଦ ପଡିବା ଏବଂ ପାକିସ୍ତାନ ସରକାର ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ବିପକ୍ଷ ମ୍ୟାଚ ବୟକଟ୍‌ କରିବା ବିଷୟ ଘୋଷଣା କରିବା ବିଶ୍ୱକପ୍‌କୁ କିଛି ମାତ୍ରାରେ ବିବାଦୀୟ କରି ଦେଇଛି।

୨୦ ଦଳ, ୫୫ ମ୍ୟାଚ, ୮ ଷ୍ଟାଡିୟମ- ଟି-୨୦ ଫଟାଫଟ କ୍ରିକେଟ୍‌ର ଭରପୂର ରୋମାଞ୍ଚ ଭରା ହେବ। ପ୍ରତି ୨ ବର୍ଷରେ ଏହି ଫର୍ମାଟରେ ବିଶ୍ୱକପ୍‌ ଆୟୋଜିତ ହେଉଛି। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ପ୍ରଥମ ୪ଟି ସଂସ୍କରଣରେ ୧୨ଟି ଲେଖାଏଁ ପ୍ରମୁଖ ଦଳ ଭାଗ ନେଉଥିଲେ। ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ୧୬ଟି ଦଳ ଥିଲେ ଏବଂ ୨୦୨୪ ସଂସ୍କରଣରୁ ଦଳ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ତେଣୁ ଦଶମ ସଂସ୍କରଣରେ ମଧ୍ୟ ୨୦ଟି ଦଳ ଭାଗ ନେଉଛନ୍ତି । ଦଳ ସଂଖ୍ୟା ବଢୁଥିବାରୁ ଟୁର୍ଣ୍ଣାମେଣ୍ଟର ମ୍ୟାଚ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ୨୦ଟିଦଳ ଏଥର ଫାଇନାଲ ପର୍ଯ୍ୟନ୍ତ ୫୫ଟି ମ୍ୟାଚ ଖେଳିବେ। ୪ଟି ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଲେଖାଏଁ ଦଳ ସୁପର-୮କୁ ଉନ୍ନୀତ ହେବେ। ସୁପର-୮ରେ ଦୁଇଟି ଗ୍ରୁପ୍‌ ହେବ ଏବଂ ପ୍ରତ୍ୟେକ ଗ୍ରୁପ୍‌ର ୨ଟି ଦଳ ସେମି ଫାଇନାଲ ଖେଳିବେ। ଏଥରକୁ ମିଶାଇ ଭାରତ ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ୍‌ ଆୟୋଜନ କରୁଛି। ଆୟୋଜକ ଭାବରେ ଭାରତ ଓ ଶ୍ରୀଲଙ୍କା ବିଶ୍ୱକପ୍‌ ସିଧାସଳଖ ଯୋଗ୍ୟତା ହାସଲ କରିଥିଲେ। ସେମିତି ୨୦୨୪ ସଂସ୍କରଣର ଶ୍ରେଷ୍ଠ ୭ ଦଳ ଦଶମ ସଂସ୍କରଣକୁ ଟିକେଟ୍‌ ପାଇଥିଲେ।

ଆଇସିସି ଟି-୨୦ ମାନ୍ୟତା ଅନୁସାରେ ୩ଟି ଦଳ ଯୋଗ୍ୟ ବିବେଚିତ ହୋଇଥିଲେ। ଅବଶିଷ୍ଟ ୮ଟି ଦଳ ଯୋଗ୍ୟତା ପର୍ଯ୍ୟାୟରୁ ଆସିଥିଲେ। ଇଟାଲୀର ପଦାର୍ପଣ ଯୋଗ୍ୟତା ପର୍ଯ୍ୟାୟରୁ ଯେଉଁ ୮ଟି ଦଳ ବିଶ୍ୱକପ୍‌ ଟିକେଟ୍‌ ହାସଲ କରିଛନ୍ତି ସେମାନଙ୍କ ମଧ୍ୟରେ ଇଟାଲୀ ଅନ୍ୟତମ । ପ୍ରଥମ ଥର ଦଳ ଏଥର ବିଶ୍ୱକପ୍‌ ଖେଳିବ । ଆମେରିକାରୁ କାନାଡା, ୟୁରୋପରୁ ଇଟାଲୀ ଓ ନେଦରଲାଣ୍ଡସ, ଆଫ୍ରିକାରୁ ନାମିବିୟା ଓ ଜିମ୍ବାୱେ ଏବଂ ଏସିଆରୁ ନେପାଳ, ଓମାନ ଓ ୟୁଏଇ ରହିଛନ୍ତି। ଭେନ୍ୟୁ ଭାରତ ୫, ଶ୍ରୀଲଙ୍କା ୩ ଗତ ଚାମ୍ପିଅନ୍ସ ଟ୍ରଫି ସମୟରେ ଆଇସିସିର ମଧ୍ୟସ୍ଥତାରେ ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ମଧ୍ୟରେ ଚୁକ୍ତି ଅନୁସାରେ ଭାରତ ଗସ୍ତରେ ପାକିସ୍ତାନ ଏବଂ ପାକିସ୍ତାନ ଗସ୍ତରେ ଭାରତ ଯିବ ନାହିଁ । ଯଦି ଭାରତ କିମ୍ବା ପାକିସ୍ତାନ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରନ୍ତି, ତେବେ ଦୁଇ ଦଳ ନିରପେକ୍ଷ ଭେନ୍ୟୁରେ ଖେଳିବେ। ସେହି ଆଧାରରେ ବିସିସିଆଇ ଆଉ ଏକାକୀ କୌଣସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରିବ ନାହିଁ । ଏଥର ବିଶ୍ୱକପ୍‌ ଆୟୋଜନରେ ଶ୍ରୀଲଙ୍କାକୁ ସାଥି କରିବାକୁ ପଡିଛି। ପାକିସ୍ତାନ ଦଳ ତା’ର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ। ଭାରତରେ ୫ଟି ଯଥା-ଅହମ୍ମଦାବାଦ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇ ଏବଂ ଶ୍ରୀଲଙ୍କାରେ କଲମ୍ବୋ ଓ କାଣ୍ଡିରେ ୩ଟି ଷ୍ଟାଡିୟମରେ ଖେଳାଯିବ।

ଭାରତ ଡିଫେଣ୍ଡି ଚାମ୍ପିୟନ- ୨୦୦୭ରେ ଆୟୋଜିତ ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିଅନ ହୋଇଥିଲା । ପୁଣି ୨୦୨୪ରେ ଦଳ ଦ୍ୱିତୀୟ ଟାଇଟଲ ଜିତିବାରେ ସଫଳ ହୋଇଛି। ଡିଫେଣ୍ଡିଂ ଚାମ୍ପିଅନ ଭାବରେ ଦଳ ଏଥର ଘରୋଇ ଗ୍ରାଉଣ୍ଡରେ ଟାଇଟଲ ବଜାୟ ରଖିବ ବୋଲି ଆଶା କରାଯାଉଛି । ପୂର୍ବରୁ ଇଂଲଣ୍ଡ (୨୦୧୦, ୨୦୨୨) ଏବଂ ୱେଷ୍ଟଇଣ୍ଡିଜ (୨୦୧୨ ଓ ୨୦୧୬) ଦୁଇ ଥର ଲେଖାଏଁ ଚାମ୍ପିଅନ ହୋଇଛନ୍ତି।

ପାକିସ୍ତାନର ବୟକଟ୍‌ – କୌଣସି କାରଣ ନଦର୍ଶାଇ ପାକିସ୍ତାନ ସରକାର ଗତ ରବିବାର ଦିନ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ, ପାକିସ୍ତାନ ଦଳ ବିଶ୍ୱକପ୍‌ ଖେଳିବା ପାଇଁ ଶ୍ରୀଲଙ୍କା ଯାତ୍ରା କରିବ । କିନ୍ତୁ ଆସନ୍ତା ୧୫ ତାରିଖରେ ଭାରତ ବିପକ୍ଷରେ ଆମ ଦଳ ପଡିଆକୁ ଓହ୍ଲାଇବ ନାହିଁ । ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଯଦିଓ ଏ ବିଷୟରେ ଲିଖିତ ଭାବେ କିଛି ଆଇସିସିକୁ ଜଣାଇ ନାହାନ୍ତି। କିନ୍ତୁ ଆଇସିସି ଏ ବିଷୟରେ ଗଣମାଧ୍ୟମରୁ ସୂଚନା ପାଇ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି।

ବାଂଲାଦେଶ ବିଦା – ବିସିସିଆଇ ଆଇପିଏଲରୁ ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବା ପରେ ଭାରତ ଓ ବାଂଲାଦେଶ କ୍ରୀଡା ସଂପର୍କ ତିକ୍ତ ହୋଇ ପଡିଥିଲା । ବାଂଲାଦେଶ ସୁରକ୍ଷା କାରଣ ଦର୍ଶାଇ ଭାରତ ଗସ୍ତରେ ଆସିବାକୁ ମନା କରିଦେଇଥିଲା। ଶ୍ରୀଲଙ୍କା କିମ୍ବା ନିରପେକ୍ଷ ଭେନ୍ୟୁରେ ବିଶ୍ୱକପ୍‌ ଖେଳିବା ବିଷୟରେ ଲିଖିତ ଭାବେ ଆଇସିସିକୁ ଜଣାଇଥିଲା। ବାରମ୍ବାର ଆଲୋଚନା ପରେ ବି ଆଇସିସି ବାଂଲାଦେଶକୁ ବୁଝାଇ ପାରି ନଥିଲା। ଶେଷରେ ବାଂଲାଦେଶ ବିଶ୍ୱକପ୍ରୁ ବାଦ ପଡିଥିଲା। ଆଇସିସି ସେହି ସ୍ଥାନରେ ସ୍କଟଲାଣ୍ଡକୁ ସାମିଲ କରିଥିଲା।


Reporterspen