ଫେବୃୟାରୀ ୧୮ରୁ ଯୁକ୍ତ ୨ପରୀକ୍ଷା, ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ

Reporterspen

ଏଆଇ ସର୍ଭିଲିଆନ୍ସରେ ରହିବ ୨୧୦ ପରୀକ୍ଷା ହବ୍‌
ପ୍ରାକ୍ଟିକାଲ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ

ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଫେବୃୟାରୀ ୧୮ରୁ ଯୁକ୍ତ ୨ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୧ରେ ସରିବ । ୨୨ ଦିନ ଧରି ପରୀକ୍ଷା ଚାଲିବ । ଡିସେମ୍ବର ୧୫ ସୁଦ୍ଧା ଆଡମିଟ କାର୍ଡ ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ।

ସେହିପରି ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୨୨ରୁ ୩୧ ଇଣ୍ଟରନାଲ ପରୀକ୍ଷା ହେବ । ଯେଉଁମାନେ ପ୍ରଥମ ଇଣ୍ଟରନାଲ ପରୀକ୍ଷା ଦେଇନଥିବେ ସେମାନେ ଜାନୁୟାରୀ ୧୦ ରୁ ୧୫ ଭିତରେ ପରୀକ୍ଷା ଦେଇପାରିବେ । ଜାନୁଆରୀ ୧୨ରୁ ୧୫ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ।

ଚଳିତବର୍ଷ ମୋଟ ୪ ଲକ୍ଷ ୭୩୭ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ସେମାନଙ୍କ ମଧ୍ୟରେ କଳାରେ ୨ଲକ୍ଷ ୫୬ହଜାର ୪୩ ଜଣ, ବାଣିଜ୍ୟରେ ୨୪ହଜାର ୫୩୩ ଜଣ, ଧନ୍ଦାମୂଳକରେ ୫୯୨୩ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଚଳିତବର୍ଷ ୧୩୫୦ ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଆବଶ୍ୟକତା ଅନୁସାରେ ବଢ଼ିପାରେ ପରୀକ୍ଷା କେନ୍ଦ୍ର । ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ଥର ପାଇଁ ଇଓ ସର୍ଭିଲିଆନ୍ସରେ ରହିବ ୨୧୦ ପରୀକ୍ଷା ହବ । ସେହିପରି ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଙ୍ଗ । ଯାହାର ମନିଟରିଂ ସିଏଚଏସଇ ମୁଖ୍ୟାଳୟରେ ରହିବ ।

ଫେବ୍ରୁଆରୀ ୧୫ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର । ୨୧୦ଟି ଏଆଇ ସର୍ଭିଲିଆନ୍ସ ବିଶିଷ୍ଟ ପରୀକ୍ଷା ପରିଚାଳନା ହବ କରାଯାଇଛି । କଡା ସୁରକ୍ଷା ଭିତରେ ହେବ ପରୀକ୍ଷା । ଚଳିତବର୍ଷ ଜିଲ୍ଲାସ୍ତରରେ ପରୀକ୍ଷା ପରିଚାଳନା ପାଇଁ ଅଧିକ ସ୍କ୍ୱାର୍ଡ଼ ବ୍ୟବସ୍ଥା କରାଯିବ । ପଞ୍ଚସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା ରହିବ । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷା ୱେବକାଷ୍ଟ ବା ଲାଇଭ ଷ୍ଟ୍ରମିଙ୍ଗ କରାଯିବ । ପରୀକ୍ଷା ସରିବାର ୪୦ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ ବୋଲି ସିଏଚଏସଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତ ଥର ୧୨୬୮ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।


Reporterspen