Traffic Constable Murder : ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): କମିଶନରେଟ୍ ପୋଲିସର ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇଛି। ଶୁଭମିତ୍ରାଙ୍କୁ ତାଙ୍କ ସ୍ୱାମୀ ତଥା ପ୍ରେମିକ କନଷ୍ଟେବଲ ଦୀପକ ରାଉତ ତଣ୍ଟି ଚିପି ହତ୍ୟା କରିଛି। ଭୁବନେଶ୍ୱରରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଦୁଇ ସହଯୋଗୀଙ୍କ ସହ ତାଙ୍କୁ କେନ୍ଦୁଝର ଜିଲ୍ଲା ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିଲା। ତଦନ୍ତ ବେଳେ କମିଶନରେଟ ପୋଲିସ ଏହା ଜାଣିବାକୁ ପାଇଛି। ପରେ ହତ୍ୟାକାରୀ ଦୀପକ ସହ ୩ଜଣଙ୍କୁ ଗିରଫ କରିଛି।
ଜଗତସିଂହପୁର ଜିଲ୍ଲା ପାରାଦୀପର ବାସିନ୍ଦା ଏବଂ ଭୁବନେଶ୍ୱରରେ ଟ୍ରାଫିକ୍ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ମୃତ ଶୁଭମିତ୍ରା ସାହୁ ସେପ୍ଟେମ୍ବର ୬ ତାରିଖରେ ଡ୍ୟୁଟି ପାଇଁ ଘରୁ ବାହାରିବା ପରେ ନିଖୋଜ ହୋଇଯାଇଥିଲେ। ପରଦିନ ଅର୍ଥାତ ୭ ତାରିଖରେ ଶୁଭମିତ୍ରାଙ୍କ ମା ସୁକାନ୍ତି ସାହୁ କ୍ୟାପିଟାଲ ଥାନାରେ ଝିଅ ନିଖୋଜ ହୋଇଥିବା ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ବେଳେ କମିଶନରେଟ ମୁଖ୍ୟାଳୟରେ କାର୍ଯ୍ୟରତ କନଷ୍ଟେବଲ ଦୀପକଙ୍କ ସହ ତାଙ୍କର ବନ୍ଧୁତା ଓ ଫୋନ କଲକୁ ଆଧାର କରି ପୋଲିସ ତାଙ୍କୁ ସନ୍ଦେହ ଘେରକୁ ନେଇଥିଲା। ଏପରିକି କିଛିଦିନ ହେଲା ଦୀପକ ତାଙ୍କ ଝିଅକୁ ହଇରାଣ ହରକତ କରୁଥିବା ଶୁଭମିତ୍ରାଙ୍କ ପରିବାର ଲୋକେ ପୋଲିସକୁ କହିଥିଲେ। ତଦନ୍ତ ବେଳେ ଶୁଭମିତ୍ରା ଓ ଦୀପକ କୋର୍ଟରେ ବିବାହ କରିଥିବା ପୋଲିସ ଜାଣିବାକୁ ପାଇଥିଲା।୨୦୨୪ ଜୁଲାଇ ୭ ତାରିଖରେ ସେମାନେ କୋର୍ଟରେ ବିବାହ କରିଥିଲେ। ଉଭୟଙ୍କ ମ୍ୟାରେଜ୍ ସାର୍ଟିଫିକେଟ୍ ମଧ୍ୟ ପୋଲିସର ହସ୍ତଗତ ହୋଇଛି। ଏହା ପରେ ପୋଲିସ ଦୀପକକୁ ହେପାଜତକୁ ନେଇ ଜେରା କରିଥିଲା। ଜେରା ବେଳେ ସେ ସତ ଓଗାଳିଥିଲା।
ଗତ ୬ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ୟୁନିଟ-୬ ସ୍ଥିତ ଏକ ଜାମୁଗଛ ତଳେ ଦୀପକ ନିଜ କାରରେ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ତା’ପରେ ସେହି କାରରେ ମୃତଦେହକୁ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କୁସୁନପୁର ଗାଁକୁ ନେଇଯାଇଥିଲେ। ସେହି ଗାଁରେ ରହନ୍ତି ଦୀପକଙ୍କ ମାଉସୀ ପୁଅ ଭାଇ ବିନୋଦ ଭୂୟାଁ। ସେଠାରେ ଉଭୟେ ମିଶି ନିକଟସ୍ଥ ଜଙ୍ଗଲରେ ଏକ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ। ଏଥିରେ ସେମାନଙ୍କୁ ଜଟିଆ ନାମକ ଆଉ ଜଣେ ବ୍ୟକ୍ତି ମଧ୍ୟ ସହଯୋଗ କରିଥିଲେ। ପୋଲିସ ବିନୋଦ ଭୂୟାଁ ଓ ଜଟିଆଙ୍କୁ ମଧ୍ୟ ଗିରଫ କରିଛି।
୧୦ ଲକ୍ଷ ଟଙ୍କା ପାଇଁ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ଦୀପକ ରାଉତ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ପୋଲିସ କମିଶନର କହିଛନ୍ତି, ୧୦ ଲକ୍ଷ ଟଙ୍କା ପାଇଁ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ସେହି ଟଙ୍କା ମାଗିବାରୁ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏନେଇ ପ୍ରମାଣ ମିଳିଛି।
ଦୀପକ ପୂର୍ବରୁ ବାହା ହୋଇଥିଲେ। ଏକ ଦୁର୍ଘଟଣାରେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ବୋଲି ପୋଲିସ ଜାଣିବାକୁ ପାଇଛି। ଦୀପକ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁରେ କୋଟିଏ ଟଙ୍କାର ବୀମା କରିଥିଲେ। ତେଣୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ମାମଲା ଏବେ ସନ୍ଦେହ ଘେରକୁ ଚାଲି ଆସିଛି। କମିଶନରେଟ୍ ପୋଲିସ ଶୁଭମିତ୍ରା ହତ୍ୟା ଘଟଣା ସହିତ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟଣାର ମଧ୍ୟ ତଦନ୍ତ କରୁଛି।
ହତ୍ୟାର ତଥ୍ୟ ପ୍ରମାଣ ମିଳିବା ପରେ କମିଶନରେଟ୍ ପୋଲିସର ଏକ ଟିମ୍ ଅଭିଯୁକ୍ତ ଦୀପକଙ୍କୁ ସାଙ୍ଗରେ ଧରି ଘଟଗାଁ ଯାଇଥିଲେ। ସେଠାରେ ସିନ୍ ରିକ୍ରିଏସନ୍ ସହିତ ଶୁଭମିତ୍ରାଙ୍କ ମୃତଦେହକୁ ମାଟିତଳୁ ବାହାର କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବିରେ ମାଟିଖୋଳି ତାଙ୍କ ମୃତଦେହକୁ ବାହାର କରାଯାଇଥିଲା। ଶୁଭମିତ୍ରାଙ୍କ ମୃତଦେହକୁ ଏକ ବସ୍ତାରେ ଭର୍ତି କରି ମାଟି ଖୋଳି ପୋତି ଦିଆଯାଇଥିଲା। ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୩ଜଣଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।