vigilance : ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ଜଣେ ଇଲେକ୍ଟ୍ରିକାଲ ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭୁବନେଶ୍ୱର ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ସର୍କଲ-୧ର ନିର୍ବାହୀ ଯନ୍ତ୍ରୀ (କ୍ୱାଲିଟୀ) ତୁଷାରକାନ୍ତ ରାୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
ଏହି ଇଲେକ୍ଟ୍ରିକାଲ ଠିକାଦାର ଜଣଙ୍କ ଏକ ଆପାର୍ଟମେଂଟରେ ଗୋଟିଏ ଟ୍ରାନ୍ସଫର୍ମର ବସାଇଛନ୍ତି । କିନ୍ତୁ ଗତ ଦୁଇ ମାସ ଧରି ତାଙ୍କର ବାରମ୍ବାର ଅନୁରୋଧ ସତ୍ୱେ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ସେ ସଂପର୍କିତ ଚୁଡାନ୍ତ ଯାଞ୍ଚ ରିପୋର୍ଟ ଦାଖଲ ନକରିବାରୁ ସେଠାକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ । ତା’ସହିତ ଠିକାଦାର ଜଣଙ୍କ ଉକ୍ତ କାମ ବାବଦକୁ ତାଙ୍କ ପ୍ରାପ୍ୟ ମଧ୍ୟ ପାଇନାହାନ୍ତି ।
ଟ୍ରାନ୍ସଫର୍ମର ସଂପର୍କିତ ଚୂଡାନ୍ତ ଯାଞ୍ଚ ରିପୋର୍ଟ ଦେବା ପାଇଁ ଶ୍ରୀ ରାୟ ଇଲେକ୍ଟ୍ରିକାଲ ଠିକାଦାରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେଣୁ ଅନ୍ୟ କୌଣସି ଉପାୟ ନପାଇ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ଯୋଜନା ପ୍ରକାରେ ଗତକାଲି ଠିକାଦାର ଜଣଙ୍କ ଶ୍ରୀ ରାୟଙ୍କୁ ଲାଞ୍ଚ ଅର୍ଥ ଦେବା ପାଇଁ ଯୋଗାଯୋଗ କରିଥିଲେ ।
ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାୟ ଗତକାଲି ବିଳମ୍ବିତ ରାତିରେ ଇଲେକ୍ଟ୍ରିକାଲ ଠିକାଦାରଙ୍କୁ ତାଙ୍କ ବାସଭବନକୁ ଡାକିଥିଲେ । ଠିକାଦାର ଜଣଙ୍କ ସେଠାରେ ପହଞ୍ଚିବା ପରେ ଶ୍ରୀ ରାୟ ତାଙ୍କୁ ଏକ ପାର୍କକୁ ନେଇଯାଇଥିଲେ, ଯାହା ତାଙ୍କ ଘର ନିକଟରେ ରହିଛି । ପାର୍କରେ ସେ ଠିକାଦାରଙ୍କ ଠାରୁ ଲାଞ୍ଚ ଅର୍ଥ ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ତାଙ୍କଠାରୁ ୨୦ ହଜାର ଟଙ୍କା ଜବତ କରାଯାଇଥିଲା ।
ଏହା ପରେ ଭିଜିଲାନ୍ସ ପକ୍ଷରୁ ଶ୍ରୀ ରାୟଙ୍କ ଘର ସମେତ ୩ଟି ଠିକଣାରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ତାଙ୍କ ଘରୁ ନଗଦ ୯ ଲକ୍ଷ ୫୩ ହଜାର ୨୦୦ ଟଙ୍କା ଠାବ କରାଯାଇଛି । ଏହା ସହିତ ବହୁ ସୁନାଗହଣା ପାଇଥିଲା ଭିଜିଲାନ୍ସ । ସେହିପରି ଅଧିକ ଖୋଳତାଡ ପରେ ଡାକଘରେ, ବ୍ୟାଙ୍କରେ ଓ ଅନ୍ୟାନ୍ୟ ସେଭିଂ ଆକାଉଣ୍ଟରେ ସେ ୧.୮୫ କୋଟି ଟଙ୍କା ଜମା ରଖିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।
ଏହି ସବୁ ଜମା ପାଇଁ ଅଧିକାଂଶ ସମୟରେ ନଗଦ ରାଶି ପ୍ରଦାନ କରାଯାଇଥିବାରୁ, ସେଗୁଡିକ ଲାଞ୍ଚ ଅର୍ଥ ହୋଇଥାଇପାରେ ବୋଲି ଭିଜିଲାନ୍ସ ସନ୍ଦେହ କରୁଛି । ଏତେ ଟଙ୍କା ସେ କେମିତି ଜମା କଲେ, ସେ ସଂପର୍କରେ ଜାଣିବା ପାଇଁ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଜେରା କରାଯାଉଛି । ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି ।