Murder : ଭୁବନେଶ୍ୱର (ରିପୋଟର୍ସ ପେନ୍) : ଆଜି ସାରା ରାଜ୍ୟରେ ରଙ୍ଗର ପର୍ବ ହୋଲି ପାଳନ କରାଯାଉଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧୀମାନେ ରକ୍ତର ହୋଲି ଖେଳିଛନ୍ତି l ଏହି କ୍ରମରେ ରାଜଧାନୀ ଭୁବନେଶ୍ଵରରେ ଦୁଇଟି ମୁଣ୍ଡ ଗଡିଛି। ଗୋଟିଏ ମଞ୍ଚେଶ୍ୱର ଓ ଅନ୍ୟଟି ସହିଦନଗର ଥାନା ଅଞ୍ଚଳରେ ଘଟିଛି l
ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ପିଏନବି ବ୍ୟାଙ୍କ୍ ଗଳିରେ ସମେଇ ଗାଡିଆ ଅଞ୍ଚଳର ନିଲୁ ବେହେରା ଓ ତାର ୩ ଜଣ ସହଯୋଗୀ ହୋଲି ଖେଳୁଥିଲେ। ସମସ୍ତେ ନିଶାସକ୍ତ ଅବସ୍ଥାରେ ଥିଲେ। ଏହି ସମୟରେ ସେହି ଅଞ୍ଚଳର ଅଂଶୁମାନ ପତି (୩୦) ନିଜ ସ୍କୁଟିରେ ଫେରିଥିଲେ। ସେମାନେ ତାଙ୍କୁ ଅଟକାଇ ରଙ୍ଗ ମାରିବା ସହ ଗାଳି ଗୁଲଜ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
ପରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏହି ସମୟର ନିଲୁ ଓ ତାର ସହଯୋଗୀମାନେ ବ୍ଲେଡ ଓ ଛୁରୀ ସାହାଯ୍ୟରେ ଅଂଶୁମାନଙ୍କୁ ଆକ୍ରମଣ କରିଥିଲେ। ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇ ଅଂଶୁମାନ ସେଠାରୁ ଦୌଡ଼ି ପଳାଇଯାଇଥିଲେ। କିଛି ବାଟ ଯିବା ପରେ ଏକ ଗଛ ମୂଳେ ପଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ଆମ୍ବୁଲାନ୍ସ ଡାକି ତାଙ୍କୁ ହସ୍ପିଟାଲ ପଠାଇଥିଲେ। ସେଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ଖବରପାଇ ମଞ୍ଚେଶ୍ୱର ଥାନା ପୋଲିସ୍ ଘଟଣାସ୍ତଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି।
ସେହିପରି ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ଜଣେ ଯୁବକଙ୍କୁ ସର୍ବ ସମ୍ମୁଖରେ ହତ୍ୟା କରାଯାଇଛି। ସେହି ବସ୍ତିରେ ରହୁଥିବା ଗୋପୀ ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି। ଆଜି ଅପରାହ୍ନ ରେ ବସ୍ତିରେ ସମସ୍ତେ ହୋଲି ଖେଳୁଥିଲେ। କୌଣସି କଥାକୁ ନେଇ ବାନା, ଚିକୁ ଓ କାହ୍ନା ସହିତ ଗୋପିର ପାଟିତୁଣ୍ଡ ହୋଇଥିଲା l ଏହାକୁ ନେଇ ବାନା ଓ ତାର ସହଯୋଗୀମାନେ ହଠାତ୍ ଛୁରୀ ବାହାର କରି ଆକ୍ରମଣ କରିଥିଲେ।
ଗୋପୀର ଭାଇ ଓ ତା ସ୍ତ୍ରୀ ତାକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତରଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ହୋଲିକୁ ନେଇ ରାଜଧାନୀରେ ପୋଲିସ୍ ସଜାଗ ରହିଥିଲା। ପିସିଆର ଓ ସ୍ଵତନ୍ତ୍ର ପୋଲିସ୍ ଟିମ୍ ପଇଁତରା ମାରୁଥିଲା। ଏହା ସତ୍ତ୍ୱେ ରାଜଧାନୀରେ ଦୁଇଟି ମୁଣ୍ଡ ଗଡିବା ପୋଲିସ୍ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି।