ମହିଳା ଇନ୍ସପେକ୍ଟର ମୃତ୍ୟୁ ଘଟଣା : ମୋବାଇଲ ଖୋଲିବ ରହସ୍ୟ, ଫୋରେନସିକ ଲାବ୍‌କୁ ଯାଞ୍ଚ ପାଇଁ ପଠାଗଲା

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଚାଉଳିଆଗଞ୍ଜ ଥାନା ଅଧିକାରୀ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଛାନଭିନ୍ ଆରମ୍ଭ ହୋଇଛି । ଜବତ ହୋଇଥିବା ବିୟୁଟିଙ୍କ ୨ଟି ମୋବାଇଲ୍ ଫୋନ୍ ଷ୍ଟେଟ ଫୋରେନସିକ ଲାବରୋଟୋରୀକୁ ଯାଞ୍ଚ ପାଇଁ ପଠାଯାଇଛି । କମିଶନରେଟ୍ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଚାଉଳିଆଗଞ୍ଜ ଥାନାର ଅତିରିକ୍ତ ଇନିସପେକ୍ଟରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ମାଜିଷ୍ର୍ଟ୍ରେଟଙ୍କ ଉପସ୍ଥିତିରେ ବିୟୁଟିଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଏହା ସହ ବ୍ୟବଚ୍ଛେଦ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଭିଡିଓଗ୍ରାଫି କରାଯାଇଛି । କୌଣସି ବ୍ୟକ୍ତିଗତ ସମସ୍ୟା ନାଁ କର୍ମକ୍ଷେତ୍ରର ଚାପ ଯୋଗୁଁ ବିୟୁଟି ଏଭଳି ଚରମ ପଦକ୍ଷେପ ନେଲେ, ସେ ନେଇ କମିଶନରେଟ ପୋଲିସ ତଦନ୍ତ କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି । ଏହା ସହ ବିୟୁଟିଙ୍କ ମୃତ୍ୟୁ ପଛରେ କୌଣସି ବ୍ୟକ୍ତିଙ୍କର କିଛି ଭୂମିକା ଅଛି କି ନାହିଁ, ସେ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି । ଗତ ମାସ ୧୯ତାରିଖରେ ବିୟୁଟି କରିଥିବା ଫେସବୁକ ପୋଷ୍ଟ ସାମ୍ନାକୁ ଆସିଛି ।

ଭାଇ ଆଣିଲେ ହତ୍ୟା ଅଭିଯୋଗ
ମୋ ଭଉଣୀର ଆତ୍ମହତ୍ୟା କରିଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ସେଥିରେ ମୋର ସନ୍ଦେହ ରହିଛି । ଫାଶି ଦେଇ ମରିଥିଲେ ସେ ଜିଭ କାମୁଡି ଥାନ୍ତେ ଓ ଝାଡା ପରିଶ୍ରା ହୋଇଥାଆନ୍ତା । ହେଲେ ସେମିତି କିଛି ଭଉଣୀର ଶରୀରରେ ଆମେ ଦେଖିବାକୁ ପାଉନାହିଁ । ଶରୀରରେ କଳା ଦାଗ ଏକାଧିକ ସ୍ଥାନରେ ରହିଛି । ଏହା ଆତ୍ମହତ୍ୟା ନୁହେଁ, ମୋ ଭଉଣୀକୁ ହତ୍ୟା (ମର୍ଡର) କରାଯାଇଛ ବୋଲି ଚାଉଳିଆଗଞ୍ଜ ଥାନାର ଆଇଆଇସି ଦାୟିତ୍ୱରେ ଥିବା ମୃତ ଇନ୍ସପେକ୍ଟର ବିଉଟି ମହାନ୍ତିଙ୍କ ବଡ ଭାଇ ସନ୍ତୋଷ କୁମାର ମହାନ୍ତି ଅଭିଯୋଗ କରିଛନ୍ତି ।

ଭଉଣୀର ମୃତ୍ୟୁରେ ସନ୍ତୋଷ ଆଉ କିଛି ଚାଞ୍ଚଲ୍ୟକର ଖୁଲାସା ମଧ୍ୟ କରିଛନ୍ତି । ମୃତ୍ୟୁ ଘଟିବାର ପୂର୍ବଦିନ ଚାଉଳିଆଗଞ୍ଜ ଥାନା ଭିତରେ କେହି ଜଣେ ଲୋକ ଆସି ଜୋରଦାର ପାଟିତୁଣ୍ଡ କରିଯାଇଥିଲେ । ଏକଥା ଭଉଣୀର ଶାଶୂ ଜାଣିଛନ୍ତି ଏବଂ ସେ ମୋତେ ମଧ୍ୟ କହୁଥିଲେ । ଥାନା ଭିତରେ ଆଇଆଇସିଙ୍କୁ ପାଟିତୁଣ୍ଡ କରିଥିବା ବ୍ୟକ୍ତି ଜଣକ କିଏ ବୋଲି ସନ୍ତୋଷ ପ୍ରଶ୍ନ କରିଛନ୍ତି । ଏହା ଥାନା ନାଁ ଆଉ କ’ଣ ବୋଲି ସେ ଆପତ୍ତି ଉଠାଇଛନ୍ତି । ପୁଲିସ ସବୁ ଜାଣିଛି, କିନ୍ତୁ କଥା ଲୁଚାଯାଉଛି । ଶବ ବ୍ୟବଚ୍ଛେଦରେ ବି ଚଞ୍ଚକତା କରାଯାଇପାରେ, ତେଣୁ ଏସ୍ସିବି ମେଡିକାଲରେ ଠିକ୍ ଭାବେ ମୋ ଭଉଣୀର ବ୍ୟବଚ୍ଛେଦ କରାଯାଉ ବୋଲି ମୃତ ବିଉଟି ମହାନ୍ତିଙ୍କ ଭାଇ ସନ୍ତୋଷ ନିବେଦନ କରିଛନ୍ତି ।

ପୁଲିସର ତଦନ୍ତକୁ ନେଇ ସନ୍ତୋଷ ଅସନ୍ତୋଷ ପ୍ରକାଶ କରିବା ସହ ଫିଙ୍ଗର ପ୍ରିଣ୍ଟ୍ ଆଦି କିଛି ତଦନ୍ତ ପ୍ରକ୍ରିୟାକୁ ସେ ଆପତ୍ତି ଉଠାଇଛନ୍ତି । ହତ୍ୟାକାଣ୍ଡକୁ ଭିନ୍ନ ରୂପ ଦିଆନଯାଉ ବୋଲି ସେ ଦାବି କରିଛନ୍ତି । ମୋ ଭଉଣୀ ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର୍ ଥିଲେ । ଇନ୍ସପେକ୍ଟର ବିଉଟିଙ୍କ ମୃତ୍ୟୁ ଘଟଣାକୁ ବଡଭାଇ ସନ୍ତୋଷଙ୍କର ଏପରି ବୟାନ ଚର୍ଚ୍ଚାର ବିଷୟ ହୋଇଛି । ବାସ୍ତବରେ ବିଉଟି ଆତ୍ମହତ୍ୟା କିମ୍ବା ହତ୍ୟା ତାହା ସ୍ପଷ୍ଟ ଭାବେ କେହି ପାରୁନଥିଲେ ମଧ୍ୟ ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହିଛି । ଥାନା ଅଧିକାରୀଙ୍କ ମୃତ୍ୟୁକୁ ନେଇ ଚାଉଳିଆଗଞ୍ଜ ଥାନାର କନ୍‌ଷ୍ଟେବଳ୍‌ଙ୍କଠାରୁ ଆରମ୍ଭ କରି ଅନ୍ୟ ଅଫିସରମାନେ କିଏ କିଛି ପାଟି ଖୋଲୁନାହାନ୍ତି । ରାତିରେ ମାଡମ୍ କବାଟ ବନ୍ଦ କରି ବିଶ୍ରାମ ନେଉଥିଲେ ।

ତା ପରେ ଆଉ କ’ଣ ହେଲା ଆମେ କେହି ଜାଣିନୁ ବୋଲି ଥାନା କର୍ମଚାରୀମାନେ କହିଛନ୍ତି । ଜଣେ ଆଇଆଇସି ଥାନା ପରିସରରେ ନିଜ ବିଶ୍ରାମ କକ୍ଷରେ ଝୁଲିପଡିବା ଏକ ସାଧାରଣ ଘଟଣା ନୁହେଁ । ଉକ୍ତ ଘଟଣାକୁ ନେଇ ପୁଲିସ ବାହିନୀରେ ଅନେକ ଅଫିସର ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି । ମୃତ୍ୟୁ ପଛରେ ଅନେକ କିଛି କାରଣ ଛପି ରହିଛି ବୋଲି କେତେକ ଅଧିକାରୀ କହିଛନ୍ତି । ଉକ୍ତ ଘଟଣାରେ ଚାଉଳିଆଗଞ୍ଜ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିଲେ ହେଁ ମୃତ୍ୟୁ ପଛରେ ଦାୟୀ ଥିବା ଲୋକକୁ ଖୋଜି ବାହାର କରିବା ଜରୁରି ବୋଲି ରାଜ୍ୟ ପୁଲିସ ବାହିନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

କହି ରଖୁଛୁ କି, ୨୦୧୦ ବ୍ୟାଚ୍ର ଅଫିସର ବିଉଟି ମହାନ୍ତି, ପୁରୁଣା ଲାଲ୍ୱାଗ ଥାନା କ୍ୟାମ୍ପସ୍ ଭିତରେ ଥିବା କ୍ୱାଟର୍ସରେ ନିଜ ୯ ବର୍ଷର ପୁଅ ଓ ଶାଶୂଙ୍କ ସହ ରହୁଥିଲେ । ପୈତୃକ ଘର ସଦର ଥାନା ଡାହାଳିଆବାଗ ଗ୍ରାମରେ । ଶାଶୂଘର କେନ୍ଦ୍ରାପଡା ମାର୍ଶାଘାଇ ଥାନା ଅଞ୍ଚଳରେ । ସବୁଦିନ ରାତି ସମୟରେ ସେ ଥାନାରୁ କାମସାରି ନିଜ କ୍ୱାର୍ଟର୍ସକୁ ଫେରିଯାନ୍ତି । ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ସେ ଥାନା ଉପର ରେଷ୍ଟରୁମ୍କୁ ଯାଇଥିଲେ । ମାତ୍ର ରାତି ସା?? ୧୧ଟା ସୁଦ୍ଧା ସେ ତଳକୁ ନଆସିବାରୁ ଅନ୍ୟ କର୍ମଚାରୀ ପଳାଇଥିଲେ । ଡ୍ରାଇଭର ମଧ୍ୟ ପଳାଇଲେ । ସକାଳେ ଡ୍ରାଇଭର୍ ଆସି ଇନ୍ସପେକ୍ଟରଙ୍କୁ ଖୋଜିଥିଲା । ଡିସିଓ ରେଷ୍ଟରୁମ୍ର କବାଟ ବାଡେଇଥିଲେ ।

ଏହା ପରେ ବାରମ୍ବାର ଫୋନ୍ କରିଥିଲେ । ହେଲେ ଭିତରୁ କିଛି ଉତ୍ତର ମିଳିଲାନି । ଅତିରିକ୍ତ ଥାନା ଅଧିକାରୀ ଓ ଜୋନ୍ ଏସିପି ଆସିବା ପରେ ରେଷ୍ଟରୁମ୍ କବାଟକୁ ଭଙ୍ଗାଗଲା । ଭିତର ରୁମ୍‌ରେ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ବିଉଟି ମହାନ୍ତିଙ୍କୁ ଉଦ୍ଧାର କରାଗଲା । ଏକ ଓଢଣିକୁ ବେକରେ ବାନ୍ଧି ଫ୍ୟାନ୍‌ରେ ଝୁଲିଥିଲେ । ତାଙ୍କୁ ଏସ୍ସିବି ନିଆଗଲା, ଡାକ୍ତର ସେଠାରେ ମୃତ ବୋଲି ଘୋଷଣା କଲେ । ବିଉଟି ମହାନ୍ତି ଆତ୍ମହତ୍ୟା କରିଥିବା ପ୍ରାଥମିକ ଭାବେ ପୁଲିସ କହୁଛି । ମାତ୍ର ଏହାକୁ ପରିବାର କିମ୍ବା ତାଙ୍କ ସମ୍ପର୍କୀୟମାନେ ଗ୍ରହଣ କରିପାରୁ ନାହାନ୍ତି ।


Reporterspen