ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍‌

Reporterspen

ଶିକ୍ଷାର୍ଥୀଙ୍କ ମୋବାଇଲ୍‌ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର, (ରିପୋଟର୍ସ ପେନ୍‌) : ଶିକ୍ଷାର୍ଥୀଙ୍କ  ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ  ପକ୍ଷରୁ ଶକ୍ତିଶ୍ରୀ ଭଳି ଏକ ଯୋଜନା ହାତକୁ  ନିଆଯାଇଛି । ଏହି ଯୋଜନାକୁ ଅଧିକ  କ୍ରିୟାଶୀଳ କରିବାକୁ ବିଭାଗ ପକ୍ଷରୁ ‘ଶକ୍ତିଶ୍ରୀ’  ମୋବାଇଲ ଆପ୍‌ ପ୍ରସ୍ତୁତ ହୋଇଛି । ଏହି  ଆପ୍‌କୁ ଶିକ୍ଷାର୍ଥୀମାନେ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରି କିପରି ବ୍ୟବହାର  କରିବେ ସେନେଇ ସୁନିଶ୍ଚିତ କରିବାକୁ  ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।  ଏସମ୍ପର୍କରେ ଛାତ୍ରୀଙ୍କ ମଧ୍ୟରେ ସଚେତନତା  ସୃଷ୍ଟି କରିବାକୁ କୁହାଯାଇଛି । ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବ ଓ  ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଚିଠି  ଲେଖାଯାଇଛି ।

ଏହି ଆପ୍‌ରେ ମାଧ୍ୟମରେ ବିଶେଷ  କରି ଛାତ୍ରୀମାନେ ବିଭିନ୍ନ ସୁରକ୍ଷା ସମ୍ପର୍କିତ  ସେବା ପାଇବେ । ଏଥିରେ ଏସ୍‌ଓଏସ୍‌  ଆସିଷ୍ଟାଣ୍ଟ, ସେଫ୍ଟି ଚେକ୍‌ ଇନ୍‌, ଶିକ୍ଷାନୁଷ୍ଠାନ  ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଘୋଷଣା ତଥା  ସୂଚନା, କାଉନ୍‌ସେଲିଂ ସପୋର୍ଟ ସମେତ  ଅନ୍ୟ ଛାତ୍ରୀଙ୍କ ହିତାକାଂକ୍ଷୀ ସେବା ଉପଲବ୍ଧ  ରହିଛି । ଅସୁବିଧା ସମୟରେ ଅନ୍ୟ ବ୍ୟକ୍ତିକୁ  କିପରି ମୁକାବିଲା କରି ହେବ ତାକୁ ନେଇ  ତାଲିମ ମଧ୍ୟ ଦିଆଯିବ । ଏଥିସହ ଛାତ୍ରୀ କିମ୍ବା  ଛାତ୍ରମାନେ ଅସୁରକ୍ଷିତ ମଣୁଥିଲେ କିମ୍ବା  କୌଣସି ସ୍ଥାନରେ ବିପଦରେ ପଡ଼ିଲେ ସଙ୍ଗେ  ସଙ୍ଗେ ଲାଇଭ୍‌ ଲେକେସନ୍‌ ପଠାଇ ପାରିବାର  ସୁବିଧା ମଧ୍ୟ ରହିଛି । ଜରୁରୀକାଳୀନ ଫୋନ୍‌  ସୁବିଧା ମଧ୍ୟ ରହିଛି । ପ୍ରତିଦିନ କିପରି ନିଜର  ଦକ୍ଷତା ବୃଦ୍ଧି ହୋଇପାରିବ ଏହି ଆପ୍‌ରେ  ମଧ୍ୟ ପ୍ରଶିକ୍ଷଣ ମିଳିପାରିବ ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କୁ କୁହାଯାଇଛି,  ଯେଉଁ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପଢ଼ୁଛନ୍ତି  ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି  ନିଷ୍ପତ୍ତି ନିଆଯାଇଛି । ପଢ଼ୁଥିବା ସମସ୍ତ  ଛାତ୍ରୀଙ୍କ ମୋବାଇଲ ଫୋନ୍‌ରେ ଗୁଗୁଲ୍‌  ପ୍ଲେ ଷ୍ଟୋରରୁ ଯେପରି ଏହି ଆପ୍‌ ଇନ୍‌ଷ୍ଟଲ  ହେବ ଆଉ ତାର ଉପଯୋଗ କରିବେ ତାକୁ  ସୁନିଶ୍ଚିତ କରାଅ ବୋଲି ନିର୍ଦ୍ଦେଶ ଦେଇଛି  ବିଭାଗ । ଏହାକୁ ଗୁରୁତ୍ୱର ସହ ନେବାକୁ  କୁହାଯାଇଛି । ଏହା ବାବଦରେ ନୋଟିସ୍‌  ପ୍ରକାଶ କରିବାକୁ ନିର୍ଦ୍ଦେଶ ହୋଇଛି ।  ଏଥିସହ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ, କ୍ଲାସରୁମ୍‌  କମ୍ୟୁନିକେସନ୍‌, ହ୍ୱାଟସ୍‌ଆପ୍‌ ଗ୍ରୁପ ଆଦିରେ  ଏହାର ପ୍ରଚାର ପ୍ରସାର କରାଇବାକୁ  କୁହାଯାଇଛି ।

ଏହି ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌  କରିବା ପରେ ପଞ୍ଜୀକରଣ କରିବାକୁ  ତଥ୍ୟ ମାଗିବ । ଏଥିରେ ଛାତ୍ରଛାତ୍ରୀଙ୍କ  ନାମ, ସାମ୍‌ସ ଆଇଡି, କଲେଜ କିମ୍ବା  ବିଶ୍ୱବିଦ୍ୟାଳୟର ପଞ୍ଜୀକରଣ ନମ୍ବର,  ଲିଙ୍ଗ, ସାମ୍‌ସରେ ପଞ୍ଜିକୃତ ମୋବାଇଲ ନମ୍ବର ଦେବା ସହ ଦୁଇଟି ଜରୁରୀକାଳୀନ  ମୋବାଇଲ ନମ୍ବର ପ୍ରଦାନ କରିବେ । ଏହି  ଆପ୍‌ ୨୪ ଘଣ୍ଟିଆ ସେବା ପ୍ରଦାନ କରିବ ।  ଏହାକୁ ବ୍ୟବହାର କରି ଛାତ୍ରଛାତ୍ରୀମାନେ କୌଣସି ଖରାପ ପରିସ୍ଥିତିରେ ଥିଲେ ଏହି  ଆପ୍‌ରେ ତଥ୍ୟ ପ୍ରଦାନ କରିପାରିବେ । ଏହାକୁ  ଉଚ୍ଚଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ବିଭାଗ  ଯାଏ ସମସ୍ତଙ୍କ ପାଖରେ ଏହି ଅଭିଯୋଗ ପହଞ୍ଚିପାରିବ । ଏହାର ତ୍ୱରିତ୍ୱ ସମାଧାନ  ହେବ । ବିଶେଷ କରି ଜରୁରୀକାଳୀନ  ଅପସନ୍‌ରେ କ୍ଲିକ୍‌ କଲେ ଏହା ସଙ୍ଗେ ସଙ୍ଗେ  ଅଧିକାରୀଙ୍କୁ ସତର୍କ କରିବ ।

ସୂଚନାଯୋଗ୍ୟ, ଗତବର୍ଷ ବାଲେଶ୍ୱର  ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣା  ପରେ ସରକାର ତତ୍ପରତା ପ୍ରକାଶ  କରିଥିଲେ । ଶକ୍ତିଶ୍ରୀ ଭଳି କାର୍ଯ୍ୟକ୍ରମକୁ  ହାତକୁ ନେଇଥିଲେ। ଏଥିସହ ଶକ୍ତିଶ୍ରୀ  ମୋବାଇଲ୍‌ ଆପ୍‌ ନେଇ ମଧ୍ୟ ଯୋଜନା  ପ୍ରସ୍ତୁତ ହୋଇଥିଲା । ଏହି ଆପ୍‌କୁ ଗତ ୨  ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଲୋକାର୍ପିତ କରିଛନ୍ତି । ତେବେ ଏହି ଆପ୍‌ର  ବ୍ୟବହାର ବୃଦ୍ଧି କରିବାକୁ ବିଭାଗ ପକ୍ଷରୁ  ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନକୁ ତାଗିଦ୍‌ କରାଯିବା  ଲାଗି ଚିଠି ଲେଖାଯାଇଛି ।


Reporterspen