ଭୁବନେଶ୍ୱର, (ରିପୋଟର୍ସ ପେନ୍) : ଗତ କିଛିଦିନ ହେଲା ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଛି। ଅପରାଧୀମାନେ ପୋଲିସ ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଗୋଟିକ ପରେ ଗୋଟିଏ ଜଘଂନ୍ୟକାଣ୍ଡ ଘଟାଇ ଚାଲିଛନ୍ତି। କଣାସ, ବାଲିଅନ୍ତା ଭିଡ଼ ହତ୍ୟାକାଣ୍ଡ ପରେ ଏବେ ବ୍ରହ୍ମପୁରରେ ଅପରାଧୀମାନେ ଯେଉଁ ଆତଙ୍କ ରଚିଛନ୍ତି, ତାହା ଏହା ଜ୍ୱଳନ୍ତା ଉଦାହରଣ ସ୍ୱରୂପ। ତେବେ ପୋଲିସର ଆଖିଦୃଶୀୟା କାର୍ଯ୍ୟାନୁଷ୍ଠା ନହେବା ଯୋଗୁଁ ଅପରାଧୀମାନେ ଏଭଳି ଉପରମୁହାଁ ହୋଇଉଠିଥିବା କୁହାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି, ନୂଆ ସରକାର ଆସିବା ପରେ ପୋଲିସ ସ୍ଥାଣୁ ପାଲଟି ଯାଇଛି ନା ପୋଲିସର ହାତ ବାନ୍ଧି ଦିଆଯାଇଛି? ଯଦିଓ ପୋଲିସ ପୋଲିସ ଡିଜି ୱାବି ଖୁରାନିଆ ଅପରାଧୀଙ୍କୁ ଏନକାଉଣ୍ଟର ଚେତାବନୀ ଦେଇଛନ୍ତି, ତଥାପି ଅପରାଧ କମିବାର ନାଁ ନେଉନାହିଁ। ଅନ୍ୟପକ୍ଷରେ ଅଭିଯୋଗ ହେଉଛି, ପୋଲିସର କାଉଣ୍ଟର ଏତଲା ମାଧ୍ୟମରେ ମାମଲାକୁ ସମାଧାନ କରିବା ୭ବର୍ଷର କମ୍ ସଜ୍ଜା ଥିବା ଅଭିଯୁକ୍ତଙ୍କୁ ଥାନାରୁ ଜାମିନରେ ଛାଡିବା ଅପରାଧୀଙ୍କ ବେଶ ପ୍ରୋତ୍ସାହିତ କରୁଛି।
ଉଲ୍ଲେଖଥାଉ କି, ମେ’ ୨ ତାରିଖରେ ପୁରୀ ଜିଲ୍ଲା କଣାସରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା। ମୃତ୍ୟୁଞ୍ଜୟ ଭାରିମଲ ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମାଛକଟି ପନିକିରେ ହାଣିବା ସହ ତାଙ୍କ ଉପରେ ବୁଲେଟ ଚଢାଇ ଦେଇଥିଲେ। ଏହି ଭିଡ଼ିଓ ଭାଇରାଲ ହେବା ପରେ ସାରାଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପୁରୀ ପୋଲିସ ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍ ହାପି ସହ ୫ଜଣଙ୍କୁ ଗିରଫ କରିଛି। ହେଲେ ସର୍ବସମ୍ମୁଖରେ ଦିନଦ୍ୱିପ୍ରହରରେ ଏଭଳି ଜଘନ୍ୟ ଅପରାଧ ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା।
ସେହିପରି ଏହାର ମାତ୍ର କେଇଦିନ ପରେ ଅର୍ଥାତ ଗତ ୭ ତାରିଖ (ଗୁରୁବାର) ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର କାଜ ନିକଟରେ ସଡକ ଦୁର୍ଘଟଣାକୁ ନେଇ ଦୁଇ ଯୁବତୀଙ୍କ ସହ ଯୁବକଙ୍କ ପାଟିତୁଣ୍ଡ ଓ ପରେ ଅସଦାଚରଣ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ପୋଲିସ ଆଖି ଆଗରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ପିଟି ଚାଲିଥିଲେ। ଶେଷରେ ତାଙ୍କର ଜୀବନ ଚାଲିଯାଇଥିଲା । ଏହି ଭିଡ ହତ୍ୟା ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏବେ ସୁଦ୍ଧା ପୁଲିସ ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରିସାରିଛି। ବାକି ଅଭିଯୁକ୍ତଙ୍କୁ ଖୋଜାଚାଲିଛି। ମୃତ କନଷ୍ଟେବଳ ସୌମ୍ୟଙ୍କ ପରିବାର କମିଶନରେଟ ପୁଲିସର ତଦନ୍ତକୁ ନେଇ ସନ୍ତୁଷ୍ଟ ନଥିଲେ। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେମାନେ ଦାବି କରିଥିଲେ। ଶନିବାର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ ମୃତକଙ୍କ ପରିବାର ନ୍ୟାୟ ପାଇବା ନେଇ ସନ୍ଦେହ ପ୍ରକାଶ ପାଇଛି।
ସେହିପରି ଗତ ୧୮ ତାରିଖ ଦିନ ବ୍ରହ୍ମପୁରର ଜନଗହଳିପୂର୍ଣ୍ଣ ଗିରିମାର୍କେଟ୍ରେ ଜଣେ ଯୁବକ ଓ ଯୁବତୀଙ୍କୁ ଅତି ନିର୍ମମ ଭାବେ ମାଡ ମାରି ଦୁଇଜଣ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି। ରାତି ପ୍ରାୟ ୯ଟା ବେଳେ ମାଡଖାଇଥିବା ଯୁବକ ଓ ତାଙ୍କର ବାନ୍ଧବୀ ଗିରିମାର୍କେଟ୍ରେ ରାସ୍ତାକଡରେ ଥିବା ଏକ ଫାଷ୍ଟ୍ଫୁଡ୍ କେନ୍ଦ୍ରକୁ ଖାଇବାକୁ ଆସିଥିଲେ। ଏହି ସମୟରେ ଦୁଇଜଣ ଯୁବକ ହକିଷ୍ଟିକ୍ ଓ ଠେଙ୍ଗା ଧରି ସେଠାରେ ପହଞ୍ଚି ଯୁବକଙ୍କୁ ନିସ୍ତୁକ ମାଡ ମାରିଥିଲେ। ଯୁବକଜଣକ ତଳେ ପଡି ସହାୟତା ପାଇଁ ଚିତ୍କାର କରୁଥିବା ବେଳେ ଯୁବତୀ ଜଣକ ମଧ୍ୟ ତାଙ୍କୁ ବଂଚେଇବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ। କିନ୍ତୁ ଆକ୍ରମଣକାରୀ ଯୁବକମାନେ କୌଣସି କଥା ନଶୁଣି ଉଭୟଙ୍କୁ ଆଖିବୁଜା ମାଡ ମାରିଚାଲିଥିଲେ। ଜଣେ ଆକ୍ରମଣକାରୀ ତଳେ ପଡିଥିବା ଯୁବକଙ୍କ ମୁଣ୍ଡ ଓ ପିଠିକୁ ମାଡ ମାରୁଥିବା ବେଳେ ଅନ୍ୟଜଣେ ଗୋଡ ଉପରେ ପାହାର ଉପରେ ପାହାର ବସାଉଥିଲେ। ଏହି ଘଟଣା ଆଖପାଖର ଶତାଧିକ ଲୋକ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିବା କିମ୍ବା ଯୁବକ-ଯୁବତୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିନଥିଲେ। ଏହି ଘଟଣାରେ ସୂଚନା ପାଇଁ ପୁଲିସ ଛାନଭିନ୍ ଆରମ୍ଭ କରିଛି। କିନ୍ତୁ ଭିଡିଓଟି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୋଲିସର ତତ୍ପରତାରେ ବିଳମ୍ବ ଓ ଲୋକଙ୍କ କେବଳ ଦେଖଣାହାରି ମାନସିକତାକୁ ନେଇ ତୀବ୍ର ସମାଲୋଚନା ଓ ଉଦ୍ବେଗ ପ୍ରକାଶ ପାଇଛି।
ତେବେ ଏସବୁ ଘଟଣାକୁ ତର୍ଜମା କଲେ ଅପରାଧୀମାନେ ଏବେ ପୋଲିିସକୁ ସାମାନ୍ୟତମ ଖାତିର କରୁନଥିବା ସ୍ପଷ୍ଟ ହୋଇଛି। ପୋଲିସ ମଧ୍ୟ ଏସବୁ ଘଟଣାରେ କୋହଳ ମନୋଭାବ ପୋଷଣ କରୁଥିବା ଭଳି ଜଣାପଡୁଛି। ଯଦି ଏଭଳି ଲୋମହର୍ଷଣକାରୀ ଘଟଣାକୁ ଗମ୍ଭୀରତାର ସହ ନେଇ ତୁରନ୍ତ କାଉଣ୍ଟର କରି ଅପରାଧୀଙ୍କୁ ମୁହଁତୋଡ ଜବାବ ଦେବାର ଆବଶ୍ୟକତା ରହିଛି। ଏଥିସହିତ ପୋଲିସ ମଧ୍ୟ ଅପରାଧୀଙ୍କୁ ବିଚ ରାସ୍ତାରେ ଗୋଡାଇ ଗୋଡାଇ ପିଟିବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏଭଳି ଅପରାଧୀକୁ ରୋକିବାକୁ ହେଲେ ସରକାର ଓ ପୋଲିସକୁ କଠୋର ହେବାକୁ ପଡିବ, ନଚେତ ପରିସ୍ଥିତି ବିଗିଡିଯିବ ଏଥିରେ ସନ୍ଦେହ ନାହିଁ।

