ଭୁବନେଶ୍ୱର, (ରିପୋଟର୍ସ ପେନ୍) : ରେଳ ଭିତ୍ତିଭୂମିର ରୂପାନ୍ତର ଏବଂ ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶବ୍ୟାପୀ ୭୫ଟି ପୁନନିର୍ମିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି । ଏହି କ୍ରମରେ, ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଲଗଡ଼କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି ।
ପ୍ରାୟ ୧୦୯ କୋଟି ଟଙ୍କା ବ୍ୟୟରେ ପୁନନିର୍ମିତ ଏହି ଷ୍ଟେସନଗୁଡ଼ିକ, ସେମାନଙ୍କର ସମ୍ପୃକ୍ତ ଅଞ୍ଚଳର ସାଂସ୍କୃତିକ ପରିଚୟ, ସ୍ଥାପତ୍ୟ କଳା ଓ ଐତିହ୍ୟକୁ ସଂରକ୍ଷଣ କରିବା ସହିତ ଆଧୁନିକ, ଯାତ୍ରୀ କେନ୍ଦ୍ରିକ ରେଳ ଷ୍ଟେସନ ବିକଶିତ କରିବା ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ।
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରେଳ ଷ୍ଟେସନଗୁଡ଼ିକର ସାମଗ୍ରିକ ବିକାଶ କରାଯାଇଛି । ଏଥିରେ ଆଧୁନିକ ଷ୍ଟେସନ ଭବନ, ଉନ୍ନତ ଚଳାଚଳ ପରିସର, ଅତ୍ୟାଧୁନିକ ପ୍ରତୀକ୍ଷାଳୟ, ଆଧୁନିକ ଶୌଚାଳୟ, ଉନ୍ନତ ପ୍ଲାଟଫର୍ମ ଛାଉଣି , ଡିଜିଟାଲ ଯାତ୍ରୀ ସୂଚନା ପ୍ରଣାଳୀ, ଉନ୍ନତ ଆଲୋକୀକରଣ, ମାନକ ସୂଚନାଫଳକ ଏବଂ ବହୁମାଧ୍ୟମ ପରିବହନ ସଂଯୋଗୀକରଣ ଭଳି ଯାତ୍ରୀ ସୁବିଧା ଅନ୍ତର୍ଭୁକ୍ତ ।
ପରିଚାଳନାଗତ ଆବଶ୍ୟକତା ଓ ପ୍ରତ୍ୟେକ ଷ୍ଟେସନର ବିଶେଷ ଚାହିଦାକୁ ଦୃଷ୍ଟିରେ ରଖି, ଉପଯୁକ୍ତ ଷ୍ଟେସନଗୁଡ଼ିକରେ ଲିଫ୍ଟ ସୁବିଧା ସହିତ ୧୨ ମିଟର ଚଉଡ଼ା ପାଦଚଲା ଓଭରବ୍ରିଜ୍ (ଏଫ୍ଓବି) ନିର୍ମାଣ କରାଯାଇଛି, ଯାହା ଦିବ୍ୟାଙ୍ଗ ଓ ବୃଦ୍ଧ ଯାତ୍ରୀଙ୍କ ସମେତ ସମସ୍ତଙ୍କ ପାଇଁ ବାଧାମୁକ୍ତ ଯାତାୟାତ ସୁନିଶ୍ଚିତ କରିବ । ଏହା ସହ ଷ୍ଟେସନ ଭବନ ଗୁଡ଼ିକରେ ସ୍ଥାନୀୟ କଳା, ସଂସ୍କୃତି ଓ ସ୍ଥାପତ୍ୟର ଉପାଦାନ ସ୍ଥାନ ପାଇଛି, ଯାହା ସମ୍ପୃକ୍ତ ଅଞ୍ଚଳର ସ୍ୱତନ୍ତ୍ର ଐତିହ୍ୟକୁ ପ୍ରତିଫଳିତ କରୁଛି ।
ଏହି ରୂପାନ୍ତରିତ ଷ୍ଟେସନଗୁଡ଼ିକ ଯାତ୍ରୀଙ୍କ ସୁବିଧାକୁ ଯଥେଷ୍ଟ ବୃଦ୍ଧି କରିବ, ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବ ଏବଂ ପର୍ଯ୍ୟଟନ, ବାଣିଜ୍ୟ ତଥା ସ୍ଥାନୀୟ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି । ଏହା ‘ବିକଶିତ ଭାରତ’ର ଦୃଷ୍ଟିକୋଣ ଅନୁଯାୟୀ ବିଶ୍ୱସ୍ତରୀୟ ରେଳ ଭିତ୍ତିଭୂମି ଗଢ଼ି ତୋଳିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ପୁନର୍ବାର ସୁନିଶ୍ଚିତ କରୁଛି ।
ଓଡ଼ିଶାରେ ରେଳ ଭିତ୍ତିଭୂମିର ଆଧୁନିକୀକରଣ ଏବଂ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ ଆଜି ଓଡ଼ିଶାର ରେଳ ଭିତ୍ତିଭୂମିର କାୟାକଳ୍ପ ବଦଳିବାରେ ଲାଗିଛି । ଓଡ଼ିଶାରେ ଏଭଳି ଐତିହାସିକ ନିବେଶ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଆହୁରି ମଜବୁତ ଓ ଭବିଷ୍ୟତ-ଉପଯୋଗୀ କରି ଗଢ଼ି ତୋଳୁଛି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ଅଦ୍ଭୁତପୂର୍ବ ସହଯୋଗ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବାରେ ସହାୟକ ହେବ । ଏହାସହ “ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା ୨୦୩୬” ଏବଂ “ବିକଶିତ ଭାରତ ୨୦୪୭”ର ସଂକଳ୍ପ ପୂରଣ ଦିଗରେ ଓଡ଼ିଶାର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ ।
କେନ୍ଦ୍ର ସରକାରଙ୍କ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଓଡ଼ିଶାରେ ପୁନର୍ବିକଶିତ ହୋଇଥିବା ୭ଟି ରେଳ ଷ୍ଟେସନକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ନୂତନ ଷ୍ଟେସନଗୁଡ଼ିକ କେବଳ ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ଯୋଗାଇବ ନାହିଁ, ବରଂ ଓଡ଼ିଶାର ବିବିଧ ଆଞ୍ଚଳିକ ପରିଚୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବ ବୋଲି ସେ କହିଛନ୍ତି । ରେଳମନ୍ତ୍ରୀ ନିଜ ଟ୍ୱିଟରେ ରାଜ୍ୟର ସାତଟି ପୁନର୍ବିକଶିତ ଷ୍ଟେସନ – ତାଳଚେର, ବଲାଙ୍ଗୀର, ପାରଳାଖେମୁଣ୍ଡି, କେସିଙ୍ଗା, ବରପାଲି, ବିମଳଗଡ଼ ଜଂକ୍ସନ ଏବଂ ବାରିପଦାର ନାମ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ସମ୍ବଲପୁରୀ ହସ୍ତତନ୍ତ ଓ ସ୍ଥାନୀୟ ରାଜକୀୟ ଐତିହ୍ୟଠାରୁ ଆରମ୍ଭ କରି ପ୍ରସିଦ୍ଧ ଖଣି ଅଞ୍ଚଳ ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ପର୍ଯ୍ୟନ୍ତ, ସବୁ କିଛି ଏହି ଷ୍ଟେସନ ଗୁଡ଼ିକର କୋଠା ଓ ସ୍ଥାପତ୍ୟ କଳାରେ ସ୍ଥାନ ଦିଆଯାଇଛି ।ଏହି ପୁନର୍ବିକାଶ କାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ପ୍ରତିଟି ଅଞ୍ଚଳର ଅନନ୍ୟ ସଂସ୍କୃତି ଓ ଗୌରବକୁ ସମ୍ମାନ ଜଣାଯାଇଥିବା ନେଇ ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି ।

