ଆଇପିଏଲ୍‌ରେ ୯୪ ମ୍ୟାଚ୍‌, ୱିଣ୍ଡୋ ବଦଳାଇବାକୁ ଲଳିତ ମୋଦିଙ୍କ ପ୍ରସ୍ତାବ

Reporterspen

ଭୁବନେଶ୍ୱର: ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ୍‌ ଫ୍ରାଞ୍ଚାଇଜ୍‌ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରତିଷ୍ଠାତା ଲଳିତ ମୋଦି ଏହାର ଆଗାମୀ ଆୟୋଜନକୁ ନେଇ କିଛି ବଡ଼ ପ୍ରସ୍ତାବ ଦେଇଛନ୍ତି। ଆଇପିଏଲ୍‌ର ବର୍ତ୍ତମାନର ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଥିବା ସମୟସୀମା (ୱିଣ୍ଡୋ) ପରିବର୍ତ୍ତନ କରି ଅକ୍ଟୋବରରୁ ଏପ୍ରିଲ୍‌ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ ଆଇପିଏଲ୍‌ର ମ୍ୟାଚ୍‌ ସଂଖ୍ୟା ୯୪କୁ ବୃଦ୍ଧି କରିବାକୁ ମଧ୍ୟ ସେ ମତ ଦେଇଛନ୍ତି। ଏନେଇ ନୂଆ କ୍ରିକେଟ୍‌ କ୍ୟାଲେଣ୍ଡର ପ୍ରସ୍ତୁତିରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ସହଯୋଗ କରିବାକୁ ଲଳିତ ମୋଦି ଅନୁରୋଧ କରିଛନ୍ତି।

କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁଯାୟୀ, ଲଳିତ ମୋଦି କହିଛନ୍ତି ଯେ ୨୦୦୮ରେ ଆଇପିଏଲ୍‌ ଆରମ୍ଭ ହେବା ସମୟରେ ଏପ୍ରିଲ୍‌ ଓ ମେ’ ମାସ ହିଁ ଏକମାତ୍ର ଉପଲବ୍ଧ ସମୟ ଥିଲା। କିନ୍ତୁ ଏବେ ପରିସ୍ଥିତି ବଦଳିଛି। ଆଇପିଏଲ୍‌ର ସ୍ୱରୂପ ଏବେ ସମ୍ପୂର୍ଣ୍ଣ ଭିନ୍ନ। ଆରମ୍ଭରୁ ଏହି ଲିଗ୍‌କୁ ଅନେକ ବିରୋଧ କରିଥିଲେ। ସେତେବେଳେ ଯେଉଁ ସମୟକୁ କେହି ଚାହୁଁ ନଥିଲେ, ସେହି ସମୟକୁ ବାଛି ଏକ ସଫଳ ଟୁର୍ଣ୍ଣାମେଣ୍ଟ ଗଢ଼ିବାକୁ ଉଦ୍ୟମ କରିଥିଲି। ଆଜି ଆଇପିଏଲ୍‌ ଯେଉଁ ସଫଳତା ହାସଲ କରିଛି, ତାହା ସହଜରେ ମିଳିନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଆଇପିଏଲ୍‌ ଆରମ୍ଭ ସମୟରେ ୮ଟି ଦଳକୁ ନେଇ ୫୯ଟି ମ୍ୟାଚ୍‌ ଖେଳାଯାଉଥିଲା। ପରବର୍ତ୍ତୀ ସମୟରେ ବିସିସିଆଇ ଦଳ ସଂଖ୍ୟା ବଢ଼ାଇ ୧୦ କରିଥିଲା। ବର୍ତ୍ତମାନ ୧୦ଟି ଦଳ ମଧ୍ୟରେ ହୋମ୍‌-ଆଣ୍ଡ୍‌-ଆୱେ ଫର୍ମାଟ୍‌ରେ ଲିଗ୍‌ ପର୍ଯ୍ୟାୟରେ ୯୦ଟି ମ୍ୟାଚ୍‌ ଏବଂ ୪ଟି ପ୍ଲେଅଫ୍‌ ମ୍ୟାଚ୍‌ ମିଶାଇ ମୋଟ ୯୪ଟି ମ୍ୟାଚ୍‌ ଆୟୋଜନ କରାଯାଇପାରିବ। ଏହା ପ୍ରାରମ୍ଭିକ ଫର୍ମାଟ୍‌ ତୁଳନାରେ ୩୫ଟି ଅଧିକ ମ୍ୟାଚ୍‌, ଅର୍ଥାତ୍‌ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ବୋଲି ସେ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ, ଚଳିତ ବର୍ଷ ଆରମ୍ଭରେ ଆଇପିଏଲ୍‌ ଅଧ୍ୟକ୍ଷ ଅରୁଣ ଧୂମଲ ମଧ୍ୟ ଏକ କ୍ରୀଡ଼ା ପତ୍ରିକାକୁ ସାକ୍ଷାତକାର ଦେଇ ଅଧିକ ମ୍ୟାଚ୍‌ ଆୟୋଜନ ପାଇଁ ଟୁର୍ଣ୍ଣାମେଣ୍ଟକୁ ଦୁଇଟି ୱିଣ୍ଡୋରେ ବିଭକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ଲଳିତ ମୋଦିଙ୍କ ପ୍ରସ୍ତାବ ଅନୁଯାୟୀ, ଯଦି ଜାନୁଆରୀରୁ ଆଇପିଏଲ୍‌ ଆରମ୍ଭ ହୁଏ, ତେବେ ଭାରତର ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାଲେଣ୍ଡର ସହ ଘରୋଇ କ୍ରିକେଟ୍‌ ସୂଚୀରେ ମଧ୍ୟ ବଡ଼ ପରିବର୍ତ୍ତନ ଆବଶ୍ୟକ ହେବ। ଏହାର ପ୍ରଭାବ ଟେଷ୍ଟ୍‌ କ୍ରିକେଟ୍‌ ଏବଂ ଘରୋଇ କ୍ରିକେଟ୍‌ ପ୍ରତିଯୋଗିତାଗୁଡ଼ିକର କାର୍ଯ୍ୟସୂଚୀ ଉପରେ ମଧ୍ୟ ପଡ଼ିପାରେ।


Reporterspen