duplicate shoes: ଷ୍ଟାଇଲ ସୁ’ରେ ନକଲି ଜୋତା, ପୋଲିସ ଚଢାଉ

Reporterspen

duplicate shoes: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ରାଜଧାନୀର ଛାତି ଉପରେ ଥିବା ଏକ ନାମକରା ଜୋତା ଦୋକାନ ‘ଷ୍ଟାଇଲ ସୁ’ରେ ନକଲି ଜୋତା ବେପାର ହେଉଛି । ଏଭଳି ଅଭିଯୋଗ ମିଳିବା ପରେ ଆଜି ପୋଲିସ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ଜୋତା ଜବତ କରାଯାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ, ଭୁବନେଶ୍ୱରରେ ଦାମୀ ବ୍ରାଣ୍ଡ ‘କ୍ରସ୍‌’ ଜୋତାର ନକଲି ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଥିଲା । ଜୋତାକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ କମ୍ପାନୀର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଆସିଥିଲା । ଜନପଥର ଅଶୋକ ନଗରରେ ଥିବା ‘ଷ୍ଟାଇଲ ସୁ’କୁ କମ୍ପାନୀ ପ୍ରତିନିଧି ଦଳ ଗ୍ରାହକ ସାଜି ଯାଇଥିଲେ । ଜୋତା କିଣିବା ପରେ ଏହା ନକଲି ବୋଲି ଜଣାପଡିଥିଲା । ପରେ ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ଟିମ ସେଠାରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ନକଲି କ୍ରସ୍ କମ୍ପାନୀ ଜୋତା ଜବତ କରାଯାଇଛି । ପୋଲିସ ଜୋତା ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଥିସହିତ ଅନ୍ୟ କମ୍ପାନୀର ଟିମ୍‌ଙ୍କୁ ଆସି ଦୋକାନରେ ଅସଲି-ନକଲି ଯାଞ୍ଚ କରିବାକୁ ପୋଲିସ ଆହ୍ୱାନ ଦେଇଛି । ଅସଲି ପଇସା ନେଇ ନକଲି ଜୋତା ବିକ୍ରି କରି ମାଲାମାଲ ହେଉଥିବା ଏହି ଦୋକାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।


Reporterspen
!-- afp header code starts here -->