ଭୁବନେଶ୍ୱର,(ରିପୋର୍ଟର୍ସ ପେନ୍): ଇନ୍ଫୋସିଟି ଥାନା ପଥରଗାଡ଼ିଆସ୍ଥିତ ଏକ କାଫେ ନିକଟରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଯୁବତୀ ଆଜି ଆଖି ବୁଜିଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ଯୁବତୀ ମୃତ୍ୟୁବରଣ କରିଛନ୍ତି । ମୃତା ଯୁବତୀ ଜଣକ ଯାଜପୁର ଜିଲ୍ଲା ବଡଚଣା ଅଂଚଳର ଅଜିତ ସାମଲଙ୍କ ଝିଅ କଳ୍ପନା ସାମଲ (୨୧) । ପୋଲିସ ଶବ ଜବତ କରିବା ସହ ଅଭିଯୁକ୍ତ ପୁରୁଷ ବନ୍ଧୁକୁ ଗିରଫ କରିଛି । ଗିରଫ ଯୁବକ ଜଣକ ଅନୁଗୁଳ ଜିଲ୍ଲା ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କଳମଛୁଇଁ ଅଞ୍ଚଳରେ ସୌମ୍ୟରଞ୍ଜନ ପ୍ରଧାନ । ତେବେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା ପୋଲିସ ତଦନ୍ତରୁ ଜଣାପଡିଛି ।
ପୋଲିସର ସୂଚନା ଅନୁଯାୟୀ, ମୃତା କଳ୍ପନା ସାମଲ ପୂର୍ବରୁ ସୌମ୍ୟରଞ୍ଜନଙ୍କ ସହ ସଂପର୍କରେ ଥିଲେ । ପ୍ରାୟ ଏକ ବର୍ଷ ପୂର୍ବେ ଉଭୟଙ୍କ ସଂପର୍କ ଭାଙ୍ଗି ଯାଇଥିଲା । ଏହାପରେ ଯୁବତୀ ଜଣକ ସୌମ୍ୟରଞ୍ଜନଙ୍କ ସଂପର୍କୀୟ ଭାଇ ଆଶୁତୋଷ ପ୍ରଧାନଙ୍କ ସହ ଘନିଷ୍ଠ ହୋଇଥିଲେ । ପରେ ସେ ଭୁବନେଶ୍ୱରର ସାଇ ପାରାଡାଇଜ୍ କଲୋନୀରେ ଥିବା ଆଶୁତୋଷଙ୍କ ଭଡ଼ା ଘରେ ରହୁଥିଲେ ।
ଏହାକୁ ସୌମ୍ୟରଞ୍ଜନ ପସନ୍ଦ କରୁନଥିଲେ । ଯୁବତୀଙ୍କୁ ବାରମ୍ବାର ଫୋନ୍ କରିବା ସହ ନିଜ ଆଶୁତୋଷକୁ ଛାଡ଼ି ଦେବା ଏବଂ ଭଡ଼ା ଘର ଖାଲି କରିବାକୁ ଧମକ ଦେଉଥିଲେ । ଏହାକୁ ନେଇ ବେଶ କିଛିଦିନ ହେଲା ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।
ଗତ ୧୬ ନଭେମ୍ବରରେ ଆଶୁତୋଷ ଦୁର୍ଘଟଣାରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପାଇଁ ୧୭ ନଭେମ୍ବରରେ ଯୁବତୀ ଜଣକ ସୌମ୍ୟରଞ୍ଜନଙ୍କୁ ଫୋନ୍ କରିଥିଲେ । ଏହି ସମୟରେ ଅଭିଯୁକ୍ତ ପୁଣି ତାଙ୍କୁ ଗାଳିଗୁଲଜ କରିବା ସହ ଘର ଛାଡ଼ିବା ଏବଂ ନିଜ ସଂପର୍କୀୟ ଭାଇଙ୍କ ଠାରୁ ଦୂରେଇ ରହିବାକୁ କହିଥିଲେ । ସୌମ୍ୟରଂଜନ ବାରମ୍ବାର ଚାପ ଦେବାରୁ କଳ୍ପନା ମାନସିକ ଭାରସାମ୍ୟ ହରାଇଥିଲେ ।
ଏହାପରେ ମାନସିକ ଚାପରେ ଥିବା ଯୁବତୀ ଜଣକ ରାତି ପ୍ରାୟ ୯ଟା ୩୫ ମିନିଟ୍ରେ ନିଜର ୧୮ବର୍ଷୀୟା ସଂପର୍କୀୟ ଭଉଣୀଙ୍କୁ ଫୋନ୍ କରି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଯାଉଥିବା ଜଣାଇଥିଲେ । ଏହାର ମାତ୍ର ୬ ମିନିଟ୍ ପରେ ଅର୍ଥାତ୍ ରାତି ୯ଟା ୪୧ ମିନିଟ୍ରେ ସେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ୯୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ଗତ ୧୮ ତାରିଖ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ପରିବାର ସଦସ୍ୟ ଓ ସଂର୍ପକୀୟଙ୍କ ଉପସ୍ଥିତିରେ ପୋଲିସ ଶବର ପଞ୍ଚନାମା କରିଥିଲା । ଡାକ୍ତରୀ ଟିମ୍ ଦ୍ୱାରା ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି ।
ଅନ୍ୟପକ୍ଷରେ, ଘଟଣାସ୍ଥଳର ସିସିଟିଭି ଫୁଟେଜ୍, ସାକ୍ଷୀଙ୍କ ବୟାନ, ମୃତ୍ୟୁ ପୂର୍ବରୁ ଯୁବତୀ ଦେଇଥିବା ବୟାନ ଏବଂ ବୈଷୟିକ ତଥ୍ୟ ଆଧାରରେ ପୋଲିସ ତଦନ୍ତ କରିଥିଲା । ଏହାପରେ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୮ ଅନୁଯାୟୀ ମାମଲାର ପ୍ରାଥମିକ ପ୍ରମାଣ ମିଳିଥିବା ଦର୍ଶାଇ ତାଙ୍କୁ ଗିରଫ କରାଯାଇଛି ।

