Unit-1 Market: ଆମେ କେବଳ ବେପାର କରୁନୁ, ଓଡ଼ିଶାର କଳା-ସଂସ୍କୃତିକୁ ବଂଚାଇବାକୁ ଚେଷ୍ଟା କରୁଛୁ : କବିରାଜ

Reporterspen

Unit-1 Market: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ରାଜ୍ୟର ସର୍ବପୁରାତନ ହାଟ ତଥା ୟୁନିଟ୍‌-୧ ମାର୍କେଟରେ ଆମେ କେବଳ ବେପାର କରୁନୁ, ବରଂ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ହଜି ଯାଉଥିବା ଓଡ଼ିଶାର କଳା ଓ ସଂସ୍କୃତିକୁ ବଂଚାଇବାକୁ ଚେଷ୍ଠା କରୁଛୁ ବୋଲି ହାଟ ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି ।

ଏଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି, ଦୀର୍ଘଦିନ ହେଲା ୟୁନିଟ-୧ ହାଟରେ ଦୁର୍ନୀତି ଚାଲୁଥିଲା । ଗତ କିଛଦିନ ହେଲା ଆମେ ଦାୟିତ୍ୱ ନେବା ପରେ ବ୍ୟବସାୟୀଙ୍କ ସୁବିଧା-ଅସୁବିଧାକୁ ପ୍ରାଥମିକତା ଦେବା ସହ ହାଟର ଉନ୍ନତି ନେଇ ପ୍ରୟାସ ଆରମ୍ଭ କରିଛୁ । ଏଥିପାଇଁ ଆମକୁ ବହୁଘାତ ଓ ପ୍ରତିଘାତ ସହିବାକୁ ପଡୁଛି ।
ନିର୍ବାଚିତ ପ୍ରତିନିଧିମାନଙ୍କ ଦ୍ୱାରା ହାଟକୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରାଯାଉଛି । ହାଟ ଭିତରେ କୌଣସି ଅସାମାଜିକ କାର୍ଯ୍ୟକୁ ସଂଘ ପ୍ରଶୟ ଦେଉନାହିଁ । ବରଂ ବ୍ୟବସାୟୀମାନଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରେରଣା ଦିଆଯାଉଛି । ଏଥିସହିତ ବିପଦ ସଂକୁଳ ଅବସ୍ଥାରେ ଥିବା ମାର୍କେଟକୁ ମରାମତି କରିବାକୁ ସଂଘର ସମସ୍ତ କର୍ମକର୍ତା ସର୍ବଦା ଚେଷ୍ଠା କରୁଛନ୍ତି ।

ବିଶେଷ କରି ହାଟର ପରିମଳ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ ପ୍ରଭୃତିକୁ ତ୍ୱରାନ୍ୱିତ କରିବାକୁ ଆମେ ଉପ-କମିଟିମାନ ଗଠନ କରିବାକୁ ଯାଉଛୁ । ଏତିକିରେ ଆମ ପ୍ରଚେଷ୍ଟା ପ୍ରତିହତ ହୋଇନାହିଁ, ଆମ ସଂସ୍କୃତି ନିମ୍ନ ଗାମୀ ହେବା ଆମେ ଅନୁଭବ କରୁଛୁ । ଏଣୁ ଓଡିଶାର ପ୍ରାଚୀନ ଲୋକ କଳା ମାଧ୍ୟମରେ ଲୋକଙ୍କୁ ନୀତି ଉପରେ ଶିକ୍ଷା ଦେବା ପାଇଁ ଆମେ ପ୍ରତିବର୍ଷ ବାଦୀ ପାଲା ଅନୁଷ୍ଠିତ କରୁଛୁ । ଫଳରେ କର୍ମମୟ ଜଂଜାଳରୁ ବ୍ୟବସାୟୀମାନେ କିଛି କ୍ଷଣ ମୁକ୍ତ ହେବା ନିତିଶିକ୍ଷା ଲାଭ କରୁଛନ୍ତି ।

କେବଳ ଏତିକି ନୁହେଁ, ଆଧୁନିକ ଯୁଗରେ ହଜିଯାଉଥିବା ଓଡ଼ିଶାର କଳା-ସଂସ୍କୃତିକୁ ବଂଚାଇ ରଖିବାକୁ ଆମେ ପ୍ରୟାସ କରୁଛୁ । ପ୍ରତି ମାସରେ ଅନ୍ୟୁନ ଦୁଇ ଦିନ ବାଦୀପାଲା ବା ଅନ୍ୟ କଳା ସଂସ୍କୃତି ଉପରେ କାର୍ଯକ୍ରମମାନ ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର କୌଣସି ଏକ ମୂର୍ଦ୍ଧନ ପାଲା ଗାୟକଙ୍କୁ ଭବ୍ୟ ସମ୍ବଦ୍ଧିତ କରିବା ପାଇଁ ଆମର ଯୋଜନା ରହିଛି । ଏକ ନମ୍ବର ହାଟ କିପରି ବ୍ୟବସାୟ ଓ ପ୍ରାଚୀନ କଳାର ସାମଗ୍ରିକ ଉନତି ହୋଇ ଏକ ନମ୍ବର ହେବ ସେଥିପାଇଁ ଆମର ଚେଷ୍ଟା ଅବ୍ୟାହତ ରହିବ । ଗ୍ରାହକ ଆମ ପାଇଁ ଭଗବାନ ଏବଂ ସେମାନଙ୍କ ପାଇଁ ଆମେ ଆଜି ପର୍ଯନ୍ତ ତିଷ୍ଠି ରହିଛୁ । ସେ କଥା ଆମେ ଭୁଲିନାହୁଁ । ସେଥିପାଇଁ ଆମେ ପ୍ରଶାସନର ସହଯୋଗ କାମନା କରୁଛୁ ।


Reporterspen