ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ବରିଷ୍ଠ ନାଗରିକ କୁଞ୍ଜଲତା ନନ୍ଦଙ୍କ ହତ୍ୟା ଓ ଲୁଟ୍ ଘଟଣାକୁ ପ୍ରାୟ ଏକ ସପ୍ତାହ ବିତିଲାଣି । ହେଲେ ପୋଲିସ ଏବେ ବି ଅଭିଯୁକ୍ତ କେୟାରଟେକର ବଳଭଦ୍ର ମହାରଣାକୁ ପୋଲିସ ଖୋଜି ପାଉନାହିଁ । ହତ୍ୟାକାରୀ କେୟାରଟେକର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବେଳେ ସିସିଟିଭି ଫୁଟେଜ ମଧ୍ୟ ଜବତ କରିଛି । ହେଲେ କେୟାରଟେକରକୁ ଠାବ କରିବାରେ ବିଫଳ ହୋଇଛି । ତେବେ ହତ୍ୟା ଅଭିଯୁକ୍ତ ବଳଭଦ୍ର ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା କୁହାଯାଉଛି ।
ଗତ ୩ ତାରିଖରେ ବୁଦ୍ଧନଗର ଅଞ୍ଚଳରେ ବରିଷ୍ଠ ନାଗରିକ କୁଞ୍ଜଲତା ନନ୍ଦଙ୍କୁ ହତ୍ୟା କରାଯାଇଥିଲା । ପରଦିନ ସକାଳୁ ଏହା ଜଣାପଡିବା ସହ ଏକ ସିସିଟିଭି ଫୁଟେଜ ମଧ୍ୟ ଭାଇରାଲ ହୋଇଥିଲା । ଘଟଣାଦିନ ହତ୍ୟାକାଣ୍ଡ ପରେ ରାତିରେ ପ୍ଲଟ୍ ନଂ ୧୬/୯ସ୍ଥିତ କୁଞ୍ଜଲତାଙ୍କ ଘରୁ କେୟାର ଟେକର ବଳଭଦ୍ର ବ୍ୟାଗରେ ସାମଗ୍ରୀ ଧରି ବାହାରି ଥିଲା ଏବଂ ସ୍କୁଟିରେ ଫେରାର ହେଉଥିବା ଦେଖିବାକୁ ମିଳିଥିଲା । ତେବେ ଅଳ୍ପ ଶିକ୍ଷିତ ବଳଭଦ୍ର ୭ଦିନ ଧରି ପୋଲିସକୁ ଭୁଆଁ ବୁଲାଇବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ପୋଲିସର କହିବା କଥା, ଅଭିଯୁକ୍ତ କୁହାଯାଉଥିବା ବଳଭଦ୍ରକୁ ଧରିବାକୁ ପ୍ରୟାସ ଚାଲିଛି । ତାକୁ ଧରିବାକୁ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ରାଜ୍ୟ ବାହାରକୁ ଯାଇଛି । ହେଲେ ବଳଭଦ୍ର ବିଭିନ୍ନ ସମୟରେ ଠିକଣା ବଦଳାଉଛି । ସେଥିପାଇଁ ତାକୁ ଧରିବା ସମ୍ଭବପର ହୋଇପାରୁନାହିଁ । ଖୁବଶୀଘ୍ର ସେ ଧରାପଡିବ ଏବଂ ଘଟଣାରେ ପର୍ଦ୍ଦାଫାଶ ହେବ । ମାତ୍ର ପୋଲିସର ଏଭଳି ବୟାନ ସାଧାରଣରେ ସନ୍ତୋଷଜନକ ହେଉନାହିଁ । ତେବେ ଦେଖାଯାଉ, ହତ୍ୟାକାରୀ ଚିହ୍ନଟ ପରେ ମଧ୍ୟ ପୋଲିସ ତାକୁ କେତେ ଖୋଜୁ ପାଉଛି?
ଅପରପକ୍ଷରେ ପୂର୍ବରୁ ରାଜଧାନୀରେ ଏଭଳି ଅନେକ ଘଟଣା ଘଟିଥିବା ନଜୀର ରହିଛି । ଘରୋଇ ସହାୟକଙ୍କ ଦ୍ୱାରା ହତ୍ୟାର ଶିକାର ହେବା ଘଟଣାରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ୨୦୧୩ରେ ରସୁଲଗଡ଼ ମଧୁକନ୍ ଜନ୍ ଏଗ୍ରୋ ଅଟୋମୋବାଇଲ୍ସର ମାଲିକ ମନୁଚର ପଟ୍ଟନାୟକଙ୍କ ପତ୍ନୀ ବଚନସୁଧା(୫୩)ଙ୍କୁ ତାଙ୍କ ସୁରକ୍ଷାକର୍ମୀ ଦୀପ୍ତିରଞ୍ଜନ ପଟ୍ଟନାୟକ ଛୁରି ଭୁସି ହତ୍ୟା କରିଥିଲା । ବଚନସୁଧାଙ୍କୁ ହତ୍ୟା କରିବା ପରେ ଦୀପ୍ତିରଞ୍ଜନ ତାଙ୍କ ବେକରୁ ସୁନାହାର ଲୁଟି ନେଇଥିଲା ।
୨୦୧୫ରେ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାରରେ ଅବସରପ୍ରାପ୍ତ ଡାକ୍ତର ପ୍ରଫୁଲ୍ଲ ମିଶ୍ର (୭୨) ଓ ତାଙ୍କ ପତ୍ନୀ ସୁଷମା ମିଶ୍ର (୭୦)ଙ୍କୁ ହତ୍ୟା ଲାଗି ତାଙ୍କ ଘରୋଇ ସହାୟିକା ଟିକିନା ହିଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଗତ ୬ ମାସ ମଧ୍ୟରେ ରାଜଧାନୀରେ ଘରୋଇ ସହାୟକ ହିଁ ଲୁଟ୍ପାଟ୍ କରିବା ନେଇ ୪୦ରୁ ଅଧିକ ମାମଲା ରୁଜୁ ହୋଇଛି ବୋଲି ପୋଲିସ ଠାରୁ ତଥ୍ୟ ମିଳିଛି । ତେବେ ଏଭଳି ସ୍ଥିତିରେ ଘରୋଇ ସହାୟକ ରଖିବା ପୂର୍ବରୁ ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

