dj vehicle: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ରାଜ୍ୟ ସରକାର ମୋଟରଯାନ ଆଇନକୁ କଡାକଡି କରିଛନ୍ତି। ବିଶେଷ କରି ଡିଜେ ଗାଡ଼ି ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୋଟର ଯାନ ଆଇନ ଅନୁଯାୟୀ ଜରିମାନା ସହ ପଞ୍ଜିକରଣ ଓ ଫିଟନେସ୍ ରଦ୍ଦ ହେବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପରିବହନ ପ୍ରାଧିକରଣ ଏଭଳି ପଦକ୍ଷେପ ନେଇଛି। ବିଗତ କିଛି ଦିନ ମଧ୍ୟରେ ବେଆଇନ ଡିଜେ ଗାଡ଼ି ଯୋଗୁଁ ସାମ୍ନାକୁ ଆସିଥିବା ଅଘଟଣକୁ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଡିଜେ ଯାନ ଗୁଡ଼ିକ ବେଆଇନ ଭାବେ ଯାନର ଷ୍ଟ୍ରକଚର୍ ବା ମୂଳଢାଞ୍ଚାରେ କରୁଥିବା ପରିବର୍ତନ, ଯାନର ଉଚ୍ଚତା, ଲମ୍ବ ଏବଂ ପ୍ରସ୍ଥରେ ପରିବର୍ତନ, ଯାନରେ ଲଗାଉଥିବା ଅତି ଉଚ୍ଚ ସ୍ୱରର ଲାଉଡ ସ୍ପିକର ଏବଂ ଚିକମିକ୍ କରୁଥିବା ବେଆଇନ ଆଲୋକ ଇତ୍ୟାଦିକୁ ରୋକିବା ନିମନ୍ତେ ଏଣିକି ପରିବହନ ବିଭାଗ କଠୋର ଆଭିମୂଖ୍ୟ ଗ୍ରହଣ କରିବ। ଏନେଇ ଏକ ସର୍କୁଲାର ପରିବହନ ଆୟୁକ୍ତଙ୍କ ଦ୍ୱାରା ଜାରି କରାଯାଇଛି।
ମୋଟରଯାନ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ବେଆଇନ ଭାବେ ତାକୁ ଡିଜେ ଯାନ ଭାବେ (ମୋଟର ଯାନ ଆଇନରେ ଡିଜେ ଭ୍ୟାନର କୌଣସି ପ୍ରଚଳିତ ବ୍ୟବସ୍ଥା ନାହିଁ) ପରିବର୍ତନ କରି ବେଆଇନ ଭାବେ ବ୍ୟବହାର କରାଯାଉଛି। ଏହାଦ୍ୱାରା ଶବ୍ଦ ପ୍ରଦୂଷଣ ଓ ଚିକମିକ୍ ଆଲୋକ ଦ୍ୱାରା ରାସ୍ତାରେ ଯାତାୟତ କରୁଥିବା ଅନ୍ୟ ଯାନଗୁଡିକ ଅସୁବିଧାର ସମ୍ମୁଖୀନ ହେବା ସହ ବେଆଇନ ଉଚ୍ଚତା ଯୋଗୁଁ ସର୍ଟସର୍କିଟ୍ ଓ ଭାରସମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଭଳି ଅଘଟଣର ତଥ୍ୟ ବିଭାଗ ଦୃଷ୍ଟିକୁ ଆସିଛି। ଏହି ତଥାକଥିତ ଡିଜେ ଭ୍ୟାନର ବ୍ୟବହାର ବହୁଳ ଭାବରେ ହେଉଛି। ତେଣୁ ଆଇନରେ ଥିବା ବିଧିବ୍ୟବସ୍ଥା ଅନୁଯାୟୀ କଡ଼ାକଡ଼ି ଯାଂଚ ଏବଂ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ ଯେ, କୌଣସି ଯାନକୁ ମୂଳ ଢାଂଚାରୁ ପରିବର୍ତନ କରାଯାଇପାରିବ ନାହିଁ । ମୋଟର ଯାନର ଷ୍ଟ୍ରକଚର୍ ପରିବର୍ତନ କରି ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ମୋଟର ଯାନ ଆଇନର ଧାରା ୧୯୦ (୨) ଏବଂ ଧାରା ୧୮୨ (କ) (୪) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜରିମାନା ଲାଗୁ କରାଯିବ । ଏହାସହ ଏପରି ଯାନଗୁଡ଼ିକର ଫିଟନେସ୍ ଓ ପଞ୍ଜିକରଣ ପ୍ରମାଣପତ୍ର ବାତିଲ କରିବାକୁ ମୋଟର ଯାନ ଆଇନର ଧାରା ୫୩ ଓ ୫୬ (୪)ର ବ୍ୟବହାର କରାଯିବ। ବହୁରଙ୍ଗୀ ଏଲଇଡି/ଲେଜର/ନିଅନ୍ ଲାଇଟ୍, ଘୁରୁଥିବା ଊଔ ଲାଇଟ୍, କିମ୍ବା ଏଆଇଏସ୍-୦୦୮ ନିର୍ଦ୍ଦିଷ୍ଟକରଣ ଅନୁଯାୟୀ ନଥିବା ଯେକୌଣସି ଆଲୋକ ବ୍ୟବସ୍ଥା ବ୍ୟବହାର ନିଷେଧ ରହିଛି। ସେହିଭଳି ମୋଟର ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ଏବଂ ସମାନ ସେଟଅପ୍ ବ୍ୟବହାର ମଧ୍ୟ ବେଆଇନ ଅଟେ। ଡିଜେ ଗାଡ଼ିର ଶବ୍ଦ, ଆଲୋକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ଅନେକ ସମୟରେ ଦୁର୍ଘଟଣା ଓ ଅଘଟଣର କାରଣ ସାଜୁଛି। ସେହିଭଳି ଗାଡ଼ିରେ ଡିଜେ ସେଟ୍ ଅପ୍ ପାଇଁ ମନଇଚ୍ଛା ଯନ୍ତ୍ରାଂଶ ପରିବହନ ମଧ୍ୟ ବେଆଇନ।
ଜନସାଧାରଣଙ୍କ ସୁରକ୍ଷା ପାଇଁ ଏହି ଅସୁରକ୍ଷିତ ଡିଜେ ଗାଡ଼ିକୁ ରୋକିବା ଆବଶ୍ୟକୀୟ ହୋଇପଡ଼ିଛି। ବିଭାଗ ପକ୍ଷରୁ ଏହି ଅଭିଯାନକୁ ଅଧିକ ପ୍ରଭାବୀ କରିବାକୁ ରାତି ତଥା ଉତ୍ସବ ଆଦି ସମୟରେ ବିଶେଷ ଧ୍ୟାନ ରଖାଯିବ। ଯେକୌଣସି କାର୍ଯ୍ୟକ୍ରମ ହେଉ, ସର୍ବଦା ନିୟମ ପାଳନ ହେବା ଉଚିତ୍ । ନିୟମ ଉଲ୍ଲଙ୍ଘନ ସର୍ବଦା ଅଘଟଣକୁ ଆମନ୍ତ୍ରଣ କରେ । ଉତ୍ସବରେ ଆନନ୍ଦକୁ ଦୁଃଖରେ ପରିଣତ କରେ । ତେଣୁ ଯେଉଁମାନେ ସାମୂହିକ ସୁରକ୍ଷା ସୁନିଶ୍ଚିତ କରିବାକୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଚାଲାଣ କଟାଯିବ ଓ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଏହାସହ ଗାଡ଼ି ମାଲିକ ତଥା ଅପରେଟରମାନଙ୍କୁ ଆଇନ ଓ ସୁରକ୍ଷା ମାନଦଣ୍ଡ ବିଷୟରେ ସଚେତନ କରିବା ପାଇଁ ବିଭାଗ ଦ୍ୱାରା ସଚେତନତା ଅଭିଯାନ ଆରମ୍ଭ କରାଯିବ । ଲୋକମାନେ ଯେଉଁ ଯାନକୁ ଭଡ଼ାରେ ନେଉଛନ୍ତି ବା ବ୍ୟବହାର କରୁଛନ୍ତି, ସେହି ଯାନ ପଞ୍ଜିକୃତ ଅଛି କି ନାହିଁ, ଏହା ସୁରକ୍ଷା ମାନଦଣ୍ଡକୁ ପାଳନ କରୁଛି କି ନାହିଁ ସେଥିପ୍ରତି ମଧ୍ୟ ଯତ୍ନବାନ ହେବାକୁ ଅନୁରୋଧ କରାଯାଇଛି ।