Vidhan Sabha News: ଭୁବନେଶ୍ୱର (ରିପୋଟର୍ସ ପେନ୍) : ରାଜ୍ୟରେ ପ୍ରଥମ ବିଜେପି ନେତୃତ୍ୱଧୀନ ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । ଗୁରୁବାର ୧୫ ଜଣ ବିଧାୟକଙ୍କ ଦସ୍ତଖତ ଥିବା ଅନାସ୍ଥା ପ୍ରସ୍ତାବ ଚିଠି ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ପ୍ରଦାନ କରାଯାଇଛି। ପ୍ରସ୍ତାବରେ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ମଧ୍ୟ ସମର୍ଥନ ରହିଛି । ତେବେ ଏହି ପ୍ରସ୍ତାବ ସମ୍ପର୍କରେ ବାଚସ୍ପତି କିମ୍ବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇନାହିଁ । ଅପରପକ୍ଷେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ନେଇ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କଟାକ୍ଷ କରିଛନ୍ତି । ବିଜେଡି ଓ କଂଗ୍ରେସ ଭିତରେ ସିଲ୍ଭର ମେଡାଲ ପାଇଁ ଲଢ଼େଇ ଚାଲିଛି ବୋଲି ସେ କହିଛନ୍ତି। ଅନାସ୍ଥାର କୌଣସି ପ୍ରଭାବ ସରକାରଙ୍କ ଉପରେ ପଡ଼ିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଆଜି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବିଧାନସଭାର ସଚିବଙ୍କୁ ଏହି ନୋଟିସ ଦେଇଛନ୍ତି। ଏଥିୀରେ ୧୫ ଜଣ ବିଧାୟକଙ୍କ ଦସ୍ତଖତ ରହିଛି। ସେଥିରୁ ୧୪ ଜଣ କଂଗ୍ରେସ ବିଧାୟକ ହୋଇଥିବା ବେଳେ ଜଣେ କମ୍ୟୁନିଷ୍ଟ ପାର୍ଟି ବିଧାୟକ ଏହାକୁ ସମର୍ଥନ କରିଛନ୍ତି। ଶ୍ରୀ କାଡ଼ାମ କହିଛନ୍ତି, ‘ ଆମେ ଆଗ ବିଜେଡିକୁ ମୁଖ୍ୟ ବିରୋଧୀ ଦଳ ଭାବେ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ଦାବି କରିଥିଲୁ। କିନ୍ତୁ ବିଜେଡି ଏହା ନକରିବାରୁ ଆମେ ଏ ପ୍ରସ୍ତାବ ବାଚସ୍ପତିଙ୍କ ଧ୍ୟାନ ଆକର୍ଷଣ ଉଦ୍ଦେଶ୍ୟରେ ପ୍ରଦାନ କରିଛୁ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, କୃଷକଙ୍କ ସମସ୍ୟା, ଦଳିତ ଆଦିବାସୀଙ୍କୁ ନିର୍ଯାତନା ଆଦି ବିଭିନ୍ନ ପ୍ରସଙ୍ଗକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ବିଫଳତାକୁ ନେଇ ଆମେ ଏହି ପ୍ରସ୍ତାବ ଆଣିଥିବା କାଡ଼ାମ କହିଛନ୍ତି। ବିଜେଡି ମଧ୍ୟା ସମାନ ଭାବେ ଏ ସରକାରଙ୍କୁ ବିଫଳ ସରକାର ବୋଲି କହିଛନ୍ତି। ଏଣୁ ପ୍ରସ୍ତାବ ଆଣିବାକୁ ବାଚସ୍ପତିଙ୍କୁ ବିଧି ଅନୁସାରେ ନୋଟିସ ଦେବା ପୂର୍ବରୁ ଆମେ ବିରୋଧୀ ଦଳ ନେତାଙ୍କ ଚାମ୍ବରକୁ କଂଗ୍ରେସ ନେତା ଯାଇଥିବା କହିଛନ୍ତି। ସେଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପସ୍ଥିତି ନଥିଲା। ଏଣୁ ସେମାନେ ଫେରି ଆସିଥିଲେ।
ବିଜେଡି ବରିଷ୍ଠ ନେତା ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡି ନିଜସ୍ୱ ନିଷ୍ପତ୍ତି ନେବ। ଏବେ ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ପାଖରେ ୭୮ ବିଧାୟକ ରହିଥିବା ବେଳେ ବିଜେଡିର ୫୦ ଏବଂ କଂଗ୍ରେସ ପାଖରେ ୧୪ ବିଧାୟକଙ୍କ ସମର୍ଥନ ରହିଛି। ଜଣେ ବିଧାୟକ ସିପିଆଇ ଦଳର ହୋଇଥିବା ବେଳେ ନୂଆପଡ଼ା ଆସନ ଖାଲି ପଡ଼ିଛି।