Political News: ଭୁବନେଶ୍ୱର, (ରିପୋର୍ଟର୍ସପେନ୍): ‘ଆମେ ଆଉ ବ୍ୟାରିକେଡ ଭାଙ୍ଗିବୁନି କି ତୁମ ସହ ଧସ୍ତାଧସ୍ତି କରିବୁନି । ହେଲେ ଆମକୁ ତୁମେ ଟିକେ ପେଲି ଓ ପାଣି ମାଡ଼ କର…, ନହେଲେ ଆନ୍ଦୋଳନର ଗୁରୁତ୍ୱ ରହିବନି’ । ବିଧାନସଭା ଘେରାଉ ବେଳେ ବିଜେଡି ନେତାମାନେ ପୋଲିସକୁ ଏଭଳି କିଛି କହିଥିଲେ । ଏହା ପରେ ପୋଲିସ ସେମାନଙ୍କ କଥାରେ ସାମନ୍ୟ ପାଣିମାଡ କରିଥିଲା । ତେବେ ବିଜେଡି ନେତାଙ୍କ ଏଭଳି କଥା ଏବେ ଛକ-ବଜାରେ ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି ।
ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ବିଜେପି ସରକାର ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ବିଜେଡି ତରଫରୁ ଲୋୟର ପିଏମଜିରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଦଳର ନେତମାନେ ରାଜ୍ୟ ବିଜେପି ସରକାରଙ୍କ ବିପକ୍ଷରେ ବୟାନବାଜୀ କରିଥିଲେ । ନେତାଙ୍କ ଭାଷଣ ପରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଥିଲା । ହେଲେ ପୂର୍ବଭଳି ବିଜେଡି ନେତା ଆଉ କ୍ୟାରିକେଡ ଭାଙ୍ଗିବା ସହ ପୋଲିସ ସହ ଧସ୍ତାଧସ୍ତି କରିନଥିଲେ । କାରଣ ପୋଲିସର ଲାଠି,ପାଣି ଓ ଲୁହବୁହା ଗ୍ୟାସ ମାଡ଼ରେ ଅନେକ ନେତା ଲହୁଲୁହାଣ କଥାକୁ ସେମାନେ ଭୁଲିନଥିଲେ ।
ଏଣୁ ପୋଲିସ ଲାଠି ମାଡରୁ ବର୍ତ୍ତିବା ଓ ବିଧାନସଭା ଘେରାଉ କାର୍ଯ୍ୟକ୍ରମକୁ ମିଡ଼ିଆରେ ପ୍ରଚାର-ପ୍ରସାର କରିବା ଲାଗି ବୁଦ୍ଧି ପ୍ରୟୋଗ କରିଥିଲେ । ବିଜେଡିର ଦୁଇଜଣ ଆଗଧାଡିର ନେତା ଯାଇ ପୋଲିସ ଅଧିକାରୀଙ୍କ କାନରେ କହିଥିଲେ ‘ଆମେ ଆପଣଙ୍କୁ ହଇରାଣ କରିବୁନି କି ବ୍ୟାରିକେଡ ଭାଙ୍ଗିବୁନି, ଆମେ ଆଗକୁ ମାଡି ଆସିବୁ ଆପଣ ଖାଲି ପାଣି ମାଡ କରିବେ । ନଚେତ ଆମ ଆନ୍ଦୋଳନର ଗୁରୁତ୍ୱ ରହିବନି’ । ନେତାଙ୍କର ଏଭଳି କଥାକୁ ପୋଲିସ ଗ୍ରହଣ କରି ସାମାନ୍ୟ ପାଣିମାଡ କରିଥିଲା । ପରେ ନେତାଙ୍କୁ ଗିରଫ କରିବାକୁ ଯିବା ପରେ କେତେକ ଆଗ ଧାଡିର ନେତା ଗଳି ରାସ୍ତାରେ ଖସି ନିଜ ଗାଡିରେ ପଳାଇଯାଇଥିଲେ । ତେବେ ନେତାଙ୍କ ଏଭଳି କଥାକୁ ସାଧାରଣ ଲୋକେ ହାଲକା ଭାବେ ନେଉଥିବା ବେଳେ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ।