ସାଙ୍ଗଙ୍କ ଫୋନ୍‌ କିମ୍ବା ମେସେଜ୍‌ ଦେଖିଲେ ଚିଡ଼ଚିଡ଼ା ଲାଗୁଛି କି? ଆପଣ ମଧ୍ୟ ‘ଫ୍ରେଣ୍ଡସିପ୍‌ ଫଟିଗ୍‌’ର ଶିକାର ହୋଇନାହାନ୍ତି ତ?

Reporterspen

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ କାମ, ପରିବାର ଓ ନିଜ ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ସାଙ୍ଗସାଥୀଙ୍କୁ ଭେଟିବା କିମ୍ବା ପ୍ରତିଦିନ ସେମାନଙ୍କ ସହ କଥା ହେବା ମଧ୍ୟ ଅନେକଙ୍କ ପାଇଁ ବୋଝ ଭଳି ଲାଗୁଛି। ସାଙ୍ଗଙ୍କ ଫୋନ୍‌ କିମ୍ବା ମେସେଜ୍‌ ଦେଖିଲେ ଉତ୍ତର ଦେବାକୁ ଇଚ୍ଛା ହେଉନାହିଁ। ଏପରିକି ସେମାନଙ୍କ ସହ ମିଶିବା କଥା ଭାବିଲେ ଚିଡ଼ଚିଡ଼ା ଲାଗୁଛି। ମାନସିକ ଥକାପଣର ଏହି ସ୍ଥିତିକୁ ‘ଫ୍ରେଣ୍ଡସିପ୍‌ ଫଟିଗ୍‌’ ବା ବନ୍ଧୁତାଜନିତ ଥକାପଣ କୁହାଯାଏ।

ବନ୍ଧୁତା ବଜାୟ ରଖିବାର ଚାପ ଏବଂ ବାରମ୍ବାର ମିଳାମିଶା ପାଇଁ ସମୟ ବାହାର କରିବା ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ତେଣୁ ଏହାର ଲକ୍ଷଣ ଚିହ୍ନିବା ସହ ନିଜକୁ ଏଥିରୁ ଦୂରେଇ ରଖିବା ଜରୁରୀ।

କ’ଣ ଏହି ଫ୍ରେଣ୍ଡସିପ୍‌ ଫଟିଗ୍‌?

ଏହା ଏଭଳି ଏକ ମାନସିକ ସ୍ଥିତି, ଯେଉଁଥିରେ ବ୍ୟକ୍ତିଙ୍କୁ ସାଙ୍ଗସାଥୀଙ୍କ ସହ ମିଶିବା, ଫୋନ୍‌ କିମ୍ବା ମେସେଜ୍‌ର ଉତ୍ତର ଦେବା ଏବଂ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଥକାପଣ ଭଳି ଲାଗିଥାଏ। ଏହା ଶାରୀରିକ ଥକାପଣ ନୁହେଁ, ବରଂ ମାନସିକ ଥକାପଣ। ଏହାର ଅର୍ଥ ନୁହେଁ ଯେ ଆପଣ ନିଜ ସାଙ୍ଗମାନଙ୍କୁ ପସନ୍ଦ କରୁନାହାନ୍ତି। ବରଂ ଦୈନନ୍ଦିନ ଜୀବନର ବ୍ୟସ୍ତତା ମଧ୍ୟରେ ଆପଣଙ୍କ ସାମାଜିକ ମିଳାମିଶା କରିବାର ମାନସିକ ଶକ୍ତି ହ୍ରାସ ପାଇଛି ବୋଲି ଏହା ସୂଚାଇଥାଏ।

କେମିତି ଚିହ୍ନିବେ ଏହାର ଲକ୍ଷଣ?

– କୌଣସି ସାଙ୍ଗଙ୍କ ଫୋନ୍‌ କିମ୍ବା ମେସେଜ୍‌ ଆସିଲେ ଉତ୍ତର ଦେବାକୁ ଇଚ୍ଛା ନହେବା।
– ସାଙ୍ଗଙ୍କ ସହ କଥା ହେବାକୁ ଭାବିଲେ ଅଜଣା ଚିଡ଼ଚିଡ଼ାପଣ ଅନୁଭବ କରିବା।
– ସାଙ୍ଗମାନଙ୍କ ସହ ମିଶିବା ପାଇଁ ହୋଇଥିବା ଯୋଜନାକୁ ବାତିଲ କରିବା।
– ସେମାନଙ୍କୁ ନ ଭେଟିବା ପାଇଁ ବିଭିନ୍ନ ବାହାନା ଖୋଜିବା।
– ଭଲ ସାଙ୍ଗମାନଙ୍କୁ ଭେଟିବାକୁ ଯାଉନଥିବାରୁ ପରେ ମନରେ ଅନୁତାପ ବା ଅପରାଧବୋଧ ଅନୁଭବ କରିବା।

ଏହି ଲକ୍ଷଣଗୁଡ଼ିକ ବାରମ୍ବାର ଦେଖାଦେଲେ ନିଜ ମାନସିକ ଥକାପଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

କେମିତି ଦୂରେଇ ରହିବେ ଫ୍ରେଣ୍ଡସିପ୍‌ ଫଟିଗ୍‌ରୁ?

ପ୍ରତ୍ୟେକ ବ୍ୟକ୍ତିଙ୍କର ସାମାଜିକ ମିଳାମିଶା ପାଇଁ ଏକ ନିର୍ଦ୍ଦିଷ୍ଟ ମାନସିକ କ୍ଷମତା ରହିଥାଏ। ତେଣୁ ନିଜର ସୀମା ବୁଝନ୍ତୁ ଏବଂ ନିଜ ଉପରେ ଅଧିକ ଚାପ ପକାନ୍ତୁ ନାହିଁ। ପ୍ରତ୍ୟେକ ପାର୍ଟି କିମ୍ବା କାର୍ଯ୍ୟକ୍ରମରେ ଯୋଗଦେବା ଜରୁରୀ ନୁହେଁ। ଯଦି ଆପଣ ଥକି ଯାଇଛନ୍ତି କିମ୍ବା କୌଣସି କାର୍ଯ୍ୟକ୍ରମକୁ ଯିବାକୁ ଇଚ୍ଛା ନାହିଁ, ତେବେ ସାଙ୍ଗଙ୍କୁ ଭଦ୍ର ଭାବରେ ମନା କରିଦିଅନ୍ତୁ। ପ୍ରକୃତ ସାଙ୍ଗମାନେ ଆପଣଙ୍କ ସ୍ଥିତିକୁ ବୁଝିବେ। ଏଥିପାଇଁ ମିଛ ବାହାନା କରିବାର ମଧ୍ୟ ଆବଶ୍ୟକତା ନାହିଁ।

ସେହିପରି ଫ୍ରେଣ୍ଡସିପ୍‌ ଫଟିଗ୍‌ରୁ ଦୂରେଇ ରହିବା ପାଇଁ ସୋସିଆଲ ମିଡିଆରୁ କିଛି ସମୟ ଦୂରେଇ ରହିବା ମଧ୍ୟ ଜରୁରୀ। ପ୍ରତ୍ୟେକ ମେସେଜ୍‌ର ତୁରନ୍ତ ଉତ୍ତର ଦେବା ଆବଶ୍ୟକ ନାହିଁ। ମଝିରେ ମଝିରେ ଡିଜିଟାଲ ଡିଟକ୍ସ କରନ୍ତୁ। ଏହାଦ୍ୱାରା ମାନସିକ ଚାପ ଓ ଥକାପଣ କମିବା ସହ ସାଙ୍ଗମାନଙ୍କ ସହ କଥା ହେବା କିମ୍ବା ମିଶିବା ପୁଣି ସହଜ ଲାଗିବ।

ମନେ ରଖନ୍ତୁ, ବନ୍ଧୁତା ଏକ ସମ୍ପର୍କ, ବୋଝ ନୁହେଁ। ଏହାକୁ ବଜାୟ ରଖିବା ପାଇଁ ନିଜ ମାନସିକ ଶାନ୍ତିକୁ ବଳି ଦେବା ଉଚିତ୍‌ ନୁହେଁ।


Reporterspen