ଭୁବନେଶ୍ୱର, (ରିପୋର୍ଟର୍ସ ପେନ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ଜିଲ୍ଲାରେ ୨୨ ବ୍ଲକ୍ର ୩୮୬ ଗାଁ ଲୋକ ପ୍ରଭାବିତ ହୋଇଛନ୍ତି । ୧୮ ସହରାଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି । ୪୩ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୨୩ ହଜାର ଲୋକ ସ୍ଥାନାନ୍ତର ହୋଇଛନ୍ତି । ୩୫୨ ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ବନ୍ୟା ପ୍ରଭାବିତ । ଜଳବନ୍ଦୀ ଭାବେ ରହିଥିବା ଗଞ୍ଜାମର ଆକାଶମାର୍ଗରୁ ଖାଦ୍ୟ ବ୍ୟବସ୍ଥା ହୋଇଛି । ସେହିପରି ଆସନ୍ତା ୨ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ । ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଟିମ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଏପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି । ଏହାସହ ଲୋକଙ୍କ ସ୍ଥିତି ନେଇ ଉଦ୍ବେଗ ଜଣାଇବା ସହ ସହଯୋଗର ଆଶ୍ବସନା ଦେଇଛନ୍ତି ରାଷ୍ଟ୍ରପତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଓଡ଼ିଶାରେ ସୃଷ୍ଟି ହୋଇଥିବା ପ୍ରଭାବ, ପ୍ରଭାବିତ ଜିଲ୍ଲାଗୁଡ଼ିକର ସାମ୍ପ୍ରତିକ ସ୍ଥିତି ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ତାଙ୍କୁ ବିସ୍ତୃତ ଭାବେ ଅବଗତ କରାଇଲି ।
ଏହି କଠିନ ସମୟରେ ଓଡ଼ିଶାବାସୀଙ୍କ ସୁରକ୍ଷା ପାଇଁ ତାଙ୍କ ମନର ଗଭୀର ଚିନ୍ତା ଏବଂ ସମସ୍ତ ସହଯୋଗର ଆଶ୍ୱାସନା ଆମ ମନୋବଳକୁ ବହୁଗୁଣିତ କରିଛି ।”
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶରେ ମାଡ଼ ହୋଇ ମାଲକାନଗିରି ଦେଇ ଛତିଶଗଡ଼ ଆଡେ ଗଲା । ବାତ୍ୟା ଯୋଗୁଁ ଦକ୍ଷିଣ ଓଡିଶାର ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ପ୍ରଭାବିତ ହୋଇଛନ୍ତି । କିନ୍ତୁ ବାତ୍ୟା ଯୋଗୁଁ ଯେଉଁ ବର୍ଷା ହେଲା ସେଥିରେ ଅନେକ ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଗଞ୍ଜାମ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । ଗଜପତି ଓ କନ୍ଧମାଳ ଜିଲ୍ଲା ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । କିନ୍ତୁ ବିଗତ ୨୪ ଘଣ୍ଟାରେ ପ୍ରଭାବିତ ଜିଲ୍ଲାରେ ବର୍ଷା ପରିମାଣ କମ ରହିଛି । ମାତ୍ର ୬୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । କିନ୍ତୁ ତା’ ପୂର୍ବ ଦିନ ଗଞ୍ଜାମ ଜିଲ୍ଲାରେ ସମସ୍ତ ଅଞ୍ଚଳରେ ୪୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା । ଗତ ୨୪ ଘଣ୍ଟାରେ ଗଜପତିରେ ମାତ୍ର ୨୫ ମିଲିମିଟର ବର୍ଷା ହୋଇଛି । କନ୍ଧମାଳରେ ୨୨ ମିଲିମିଟର ବର୍ଷା ହୋଇଛି । ରାଜ୍ୟରେ ହାରାହାରି ୨୫ ମିଲିମିଟର ବର୍ଷା ହୋଇଛି ।”
ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମାଲକାନଗିରି ବଦଳରେ ଗଞ୍ଜାମ ଓ ଗଜପତି ଜିଲ୍ଲା ବେଶି ପ୍ରଭାବିତ । ବର୍ଷା ହେବାରେ ଗଞ୍ଜାମ ଜିଲ୍ଲା ପୂର୍ବ ରେକର୍ଡ ଭାଙ୍ଗି ଦେଇଛି । ଫଳରେ ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି । ଗଞ୍ଜାମ ଜିଲ୍ଲାରେ ୨୨ ବ୍ଲକର ୩୮୬ ଗାଁ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ୧୮ ସହରାଞ୍ଚଳର ୯୩ ୱାର୍ଡ ଓ ୨୪୨ଟି ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛି । ପ୍ରାୟ ୪୩ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୨୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀକୁ ଅଣାଯାଇଛି । ୫୮୮ ଗର୍ଭବତୀ ସ୍ଥାନାନ୍ତରିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨୬ ଜଣ ପ୍ରସବ କରିଛନ୍ତି । ୭୨ ଟି ଗାଁ ଜଳବନ୍ଦୀ ହୋଇଛି । ସେଥିରୁ ୯ଟି ଗାଁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଘରର ପ୍ରଥମ ମହଲା ମଧ୍ୟ ପାଣିରେ ବୁଡି ରହିଥିଲା । କୋଷ୍ଟ ଗାର୍ଡ ହେଲିକ୍ୟାପଟର ଜରିଆରେ କିଛି ଜଣଙ୍କୁ ଉଦ୍ଧାର କରିଥିଲୁ ।
ପ୍ରଭାବିତଙ୍କ ପାଖରେ ତୁରନ୍ତ ରିଲିଫ୍ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲୁ । ଭାରତୀୟ ଜଳସେନାର ହେଲିକ୍ୟାପ୍ଟର ଜରିଆରେ ଖାଦ୍ୟ ବଣ୍ଟନ ଆରମ୍ଭ ହୋଇ ସାରିଛି । ଗଞ୍ଜାମ ଜିଲ୍ଲାରେ ଚାରିଟି ହେଲିକପ୍ଟର ଯୋଗେ ଖାଦ୍ୟ ପ୍ୟାକେଟ ବଣ୍ଟନ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାର ନିର୍ଦ୍ଦିଷ୍ଟ ୨୧ଟି ସ୍ଥାନରେ ହେଲିକପ୍ଟରରୁ ଖାଦ୍ୟ ପ୍ୟାକେଟ ପକାଯାଉଛି । ହିଞ୍ଜିଳିକାଟୁର ୩ଟି ସ୍ଥାନ, ପୁରଷୋତ୍ତମପୁରରେ ୭ଟି ସ୍ଥାନ, ଶେରଗଡ଼ରେ ୨ଟି ସ୍ଥାନ, ଧରାକୋଟ ୨ଟି ସ୍ଥାନ, ଆସିକାରେ ୨ଟି ସ୍ଥାନ, ଭଞ୍ଜନଗର ପୌରାଞ୍ଚଳ, ବେଲଗୁଣ୍ଠାରେ ୨ଟି ସ୍ଥାନ ଓ ଚିକିଟିରେ ୨ଟି ସ୍ଥାନରେ ମଧ୍ୟ ଏୟାର ଡ୍ରପିଂ ହେଉଛି । ସେଠାରେ ମୁତୟନ ଥିବା କର୍ମଚାରୀମାନେ ଏହି ପ୍ୟାକେଟ ସଂଗ୍ରହ କରି ଜଳବନ୍ଦୀ ଓ ପ୍ରଭାବିତ ଲୋକଙ୍କ ମଧ୍ୟରେ ବଣ୍ଟନ କରିବେ । ବୋଟ ମଧ୍ୟମରେ ରକ୍ଷା ଖାଦ୍ୟ ଦିଆଯିବ । ଏହା ସହ ତୁରନ୍ତ କ୍ଷତିଗ୍ରସ୍ତ ରାସ୍ତା କରାମତି କରିବାକୁ କୁହାଯାଇଛି । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ଗଞ୍ଜାମରେ ଅଛନ୍ତି । ସେ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି ।
ଭୁସ୍ଖଳନ ଯୋଗୁଁ ବହୁ ସ୍ଥାନରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବଡ଼ ଧରଣର କ୍ଷୟକ୍ଷତି ହୋଇଛି । ସାନଖେମୁଣ୍ଡି ବ୍ଲକ୍ ପଳାଶପୁର ବ୍ରିଜ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଫଳରେ ଦିଗପହଣ୍ଡିରୁ ଆସିକାକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଗତ ତିନି ଦିନ ଧରି ବ୍ରିଜ୍ ଉପରେ ପ୍ରାୟ ୧୫ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଜଳସ୍ରୋତ କମିବା ପରେ ବ୍ରିଜଟି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ବ୍ରିଜ ଭାଙ୍ଗିଯିବା ଯୋଗୁଁ ଦିଗପହଣ୍ଡି – ଆସିକା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ଏହା ଦ୍ୱାରା ଉଭୟ ଅଞ୍ଚଳର ଲୋକଙ୍କ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି ।
ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ାଯିବ । ସେପଟେ ବନ୍ୟା କ୍ଷୟକ୍ଷତି ଆକଳନ ଏବଂ ଅନୁଧ୍ୟାନ ପାଇଁ ଆସନ୍ତା ୨ ତାରିଖରେ ଆସିବ କେନ୍ଦ୍ରୀୟ ଟିମ୍ । ଗଞ୍ଜାମ ଏବଂ ଗଜପତି ଯାଇ ସ୍ଥିତି ଅନୁଧ୍ୟାନ କରିବେ । ସ୍ଥିତି ସ୍ୱାଭାବିକ ହେଲେ ରାଜ୍ୟ ସରକାର ମଧ୍ୟ କ୍ଷୟକ୍ଷତି ଆକଳନ କରିବେ ।

