Murder in Bhubaneswar: ଭୁବନେଶ୍ୱର (ରିପୋର୍ଟର୍ସ ପେନ୍) : ବେଶ କିଛିଦିନ ହେଲା ରାଜଧାନୀ ଭୁବନେଶ୍ୱର ଅପରାଧୀମାନ ଉପରମୁହାଁ ହୋଇଯାଇଛନ୍ତି। କଥାକଥାକେ ଗୁଳି ଫୁଟୁଛି। ଏହାରି ମଧ୍ୟରେ ସୋମବାର ସକାଳୁ ସକାଳୁ ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଗାଁରେ ସାମାନ୍ୟ ଜାଗାବାଡି ବିବାଦକୁ କେନ୍ଦ୍ରକରି ଗୁଳିକରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଗୁଣ୍ଠେ ଜାଗା ଲାଗି ନିଜ ବଡବାପା ପୁଅ ଭାଇକୁ ପଏଣ୍ଟ ଜିରୋରୁ ଗୁଳିକରି ହତ୍ୟା କରିଛି ଦାଦାପୁଅ ଭାଇ। ଗୁଳିମାଡରେ ସରକନ୍ତରା ଗାଁର ପଠାଣୀ ଖୁଣ୍ଟିଆଙ୍କ ପୁଅ ସୁଧାଂଶୁ ଖୁଣ୍ଟିଆ ଓରଫ ରବିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ରକ୍ତଜୁଡୁବୁଡ ଅବସ୍ଥାରେ ସୁଧାଂଶୁଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁଯାୟୀ, ସରକନ୍ତରା ଗାଁରେ ପଠାଣୀ ଖୁଣ୍ଟିଆ ନିଜ ପରିବାର ସହ ରୁହନ୍ତି। ତାଙ୍କ ସାନ ଭାଇ ସୁକାନ୍ତ ଖୁଣ୍ଟିଆ ଓରଫ ପ୍ରଧାନ ଗାଁ ନିକଟରେ ବିବାହ କରିଥିବା ବଳେ ସେ ବିବାହ ପରଠାରୁ ପତ୍ନୀଙ୍କ ଘରେ ରହି ଆସୁଥିଲେ। ଫଳରେ ପଠାଣୀଙ୍କ ମା’ ଜୀବିତ ଥିବା ଅବସ୍ଥାରେ ନାତି ସୁଧାଂଶୁଙ୍କ ନାମରେ ଗଣ୍ଠେ ଜାଗା ରେଜିଷ୍ଟ୍ରି କରି ଦେଇଥିଲେ। ଯାହାକୁ ନେଇ ବେଶ କିଛିବର୍ଷ ହେବ ପଠାଣୀ ଓ ସୁକାନ୍ତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଏପରିକି ଗତ ଦଶହରା ସମୟରେ ଏହାକୁ ନେଇ ପାଟିତୁଣ୍ଡ ହେବା ସହ କଥା ଥାନାରେ ପହଞ୍ଚିଥିଲା। ପରେ ପୋଲିସର ହସ୍ତକ୍ଷେପ ଯୋଗୁଁ ମାମଲାର ସମାଧାନ ହୋଇଥିଲା।
ତେବେ ମାମଲାର ସମାଧାନ ସିନା ଥାନାରେ ହୋଇଥିଲା କିନ୍ତୁ ଏହି ଜାଗା ହାତେଇବା ପାଇଁ ସୁକାନ୍ତଙ୍କ ପୁଅ ଶିବା ମନସ୍ଥ କରିବା ସହ ଏଥିପାଇଁ ଦରକାର ପଡିଲେ ସୁଧାଂଶୁଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଏହି ଆଧାରରେ ଏମ୍ସରେ ଲ୍ୟାବ ଆସିଷ୍ଟାଣ୍ଡ ଭାବେ କାର୍ଯ୍ୟରତ ସୁଧାଂଶୁ ସୋମବାର ପୂର୍ବାହ୍ଣ ୯ଟା ସମୟରେ ଘରୁ ନିଜ ବାଇକ ଯୋଗେ ବାହାରି ଆସିବା ସମୟରେ ଗାଁ ପାଖ ମଙ୍ଗଳା ମନ୍ଦିର ନିକଟରେ ପୂର୍ବ ପ୍ରସ୍ତୁତ ଥିବା ଶିବା ତାଙ୍କୁ ଅଟକାଇଥିଲା। ସୁଧାଂଶୁ କିଛି ବୁଝିବା ପୂର୍ବରୁ ଶିବା ତାଙ୍କ ପେଟ ଓ ଜଂଘକୁ ଲକ୍ଷ୍ୟ କରି ଦୁଇଟି ଗୁଳି ଫୁଟାଇଥିଲା। ପରେ ରକ୍ତ ଜୁଡୁବୁଡ ଅବସ୍ଥାରେ ସୁଧାଂଶୁ ବାଇକ ଛାଡି ନିକଟସ୍ଥ ଏକ ପଡିଆକୁ ଦୌଡି ଯାଇ ତଳେ ପଡିଯାଇଥିଲେ। ତେବେ ଜାଗା ହାତେଇବା ପାଇଁ ରକ୍ତମୁଖା ଥିବା ଶିବା ତା’ ପଛେପଛେ ଦୌଡି ଯାଇ ପଏଣ୍ଟ ବ୍ଲାକଂରୁ ସୁଧାଂଶୁଙ୍କ ଛାତିକୁ ଗୋଟାଏ ରାଉଣ୍ଡ ଗୁଳି ଫୁଟାଇବା ସହ ଘଟଣାସ୍ଥଳରୁ ନିଜର ଜଣେ ସହଯୋଗୀଙ୍କ ସହାୟତାରେ ଫେରାର ହୋଇଯାଇଥିଲା।
ଏହି ମାମଲାରେ ପୋଲିସ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରି ନ ଥିବା ବେଳେ ଅଭିଯୁକ୍ତ ଶିବାର ବାପା ସୁକାନ୍ତ, ତାଙ୍କ ପତ୍ନୀ ଏବଂ ଭାଇକୁ ନେଇ ଥାନାରେ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଏହି ହତ୍ୟାକାଣ୍ଡ ଘଟିବା ପରେ ଏସଂକ୍ରାନ୍ତରେ ପଚାରି ବୁଝିବାକୁ ମୃତ ସୁଧାଂଶୁଙ୍କର ଜଣେ ସମ୍ପର୍କୀୟ ଦାଦା ଜ୍ଞାନରଞ୍ଜନ ପ୍ରଧାନ ଅଭିଯୁକ୍ତ ଶିବାର ଘରକୁ ଯାଇଥିଲେ। ଯେଉଁଠାରେ ତାଙ୍କୁ ଶିବାର ବାପା ସୁକାନ୍ତ ଏବଂ ତାଙ୍କ ମା’ ଜ୍ଞାନଙ୍କୁ ଏକ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଏହି ଗଣ୍ଡଗୋଳ ଘଟଣାକୁ ନେଇ ସରକନ୍ତରା ଗାଁରେ ଉତ୍ତେଜନା ଲାଗି ରହିଛି।