ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Reporterspen

ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାରେ ଓଡିଶାର ସୁନାମ ରହିଛି । କଟକ ବାରବାଟୀ ଷ୍ଟାଡିୟମ୍‌ରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ସୁବ୍ୟବସ୍ଥିତ ଭାବେ ଭାବେ ଆୟୋଜନ କରାଯାଇଛି । ତେଣୁ ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଯେପରି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତୃଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି । ବୁଧବାର ଲୋକସେବା ଭବନରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଓଡିଶା କ୍ରିକେଟ୍ ଆସୋସିଏସନ୍ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ରିକେଟ୍ ଆମ ଦେଶର ଏକ ଅତ୍ୟନ୍ତ ଲୋକପ୍ରିୟ ଖେଳ । ତେଣୁ ଏହି ମ୍ୟାଚ୍ ପ୍ରତି ସମଗ୍ର ଦେଶ ଓ ବିଶ୍ୱର ନଜର ରହିବ । ତେଣୁ ଏହା ଯେପରି ତୃଟିଶୂନ୍ୟ ଭାବେ ପରିଚାଳିତ ହେବ ଏବଂ ଓଡିଶାର ମର୍ଯ୍ୟାଦା ସୁରକ୍ଷିତ ହେବ । ସେଥିପାଇଁ ସମସ୍ତେ ସଚେତନ ରହିବା ଆବଶ୍ୟକ । ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମ୍ୟାଚ୍‌ର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ଟିକେଟ୍ କିଣାବିକା, ଦର୍ଶକ ମାନଙ୍କ ପାଇଁ ସୁବ୍ୟବସ୍ଥା, ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା, ଷ୍ଟାଡିୟମ୍‌ର ଭିତ୍ତିଭୂମି ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ଏବଂ ଟ୍ରାଫିକ୍ ପରିଚାଳନା ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରିପ୍ରେକ୍ଷୀରେ ଏହି ଅନ୍ତର୍ଜାତୀୟ କ୍ରୀଡା ସମୟରେ ପୁଲିସ ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷାପ୍ରତି ଏକ ଫୁଲ୍‌-ପ୍ରୁଫ୍ ବ୍ୟବସ୍ଥା କରାଯିବା ଆବଶ୍ୟକ । ଏଥିପାଇଁ ପୋଲିସ୍ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅସୁସ୍ଥ ବ୍ୟକ୍ତି କିମ୍ବା ଅନ୍ୟାନ୍ୟ ଅସୁବିଧା ସ୍ଥଳରେ ଲୋକମାନଙ୍କୁ ନେବା ଆଣିବା ପାଇଁ ଏକ ସୁବ୍ୟବସ୍ଥିତ ଗ୍ରୀନ କରିଡର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଏହା ସହିତ, ଭିଡ ନିୟନ୍ତ୍ରଣ, ଟିକେଟ୍ ବିକ୍ରି, ଜରୁରୀ ଚିକିତ୍ସା ବ୍ୟବସ୍ଥା ଆଦି ସମସ୍ତ କାର୍ଯ୍ୟ ଗୁଡିକୁ ଉପଯୁକ୍ତ ଭାବେ ତଦାରଖ କରି ନିର୍ଭୁଲ ଭାବେ ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବୈଠକର ସୂଚନା ଅନୁଯାୟୀ, ପ୍ରତ୍ୟେକ ଷ୍ଟାଣ୍ଡର କ୍ଷମତା ଅନୁଯାୟୀ ସେଠାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯିବ । ମ୍ୟାଚ୍ ସମୟରେ ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା ପାଇଁ ଅଧିକ ଜେନ୍‌ସେଟ୍ ଅଣାଯାଇଥିବା ବେଳେ ଏହାର ମନିଟରିଂ ପାଇଁ ନୂଆ ସଫ୍ଟୱେୟାର୍ ମଧ୍ୟ ଇନ୍‌ଷ୍ଟଲ କରାଯାଇଛି । ଗୋଟିଏ ଜେନେରେଟର ଫେଲ୍ ହେଲେ ତୁରନ୍ତ ଅନ୍ୟ ଗୋଟିଏ ଜେନେରେଟର ଚାଲୁ ହେବ ଏବଂ ଲାଇଟିଙ୍ଗ ବ୍ୟବସ୍ଥା ନିରନ୍ତର ଭାବେ ଜାରି ରହିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।


Reporterspen