ଭୁବନେଶ୍ୱର, (ରିପୋର୍ଟର୍ସପେନ୍) : ଅନଲାଇନ୍ ବେଟିଂ ରେ ଲକ୍ଷ ଲକ୍ଷ ଟଙ୍କା ହାରିବା ପରେ ଋଣ ଶୁଝିବା ଓ ଅର୍ଥ ରୋଜଗାର ଆଶାରେ ଚନ୍ଦ୍ରଶେଖରପୁର ସ୍ଥିତ ଏକ ସୁନା ଦୋକାନରୁ ସଶସ୍ତ୍ର ଡକାୟତି ଉଦ୍ୟମ କରିଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ପ୍ରେମାନନ୍ଦ ସାମଲ ଓ ଆସପକ ନୟାପଡି । ଏମାନଙ୍କ ମଧ୍ୟରେ ଜଣେ କଟକ ବାଙ୍କୀ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ କର୍ଣ୍ଣାଟକର ବାସିନ୍ଦା । ସେମାନଙ୍କ ନିକଟରୁ ଗୋଟିଏ ପ୍ଲାଷ୍ଟିକ୍ ପିସ୍ତଲ, ଗୋଟିଏ ଲୁହା ଚାପଡ଼ ଏବଂ ଗୋଟିଏ ହିରୋ ଏକ୍ସଟ୍ରିମ୍ ବାଇକ୍ ଜବତ କରାଯାଇଛି ।
ପୋଲିସ ସୂଚନା ଅନୁସାରେ, ଗତ ୨୮.୧୦.୨୦୨୬ ତାରିଖ ପୂର୍ବାହ୍ନ ପ୍ରାୟ ୧୧.୩୦ ମିନିଟରେ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ ସ୍ଥିତ “ନାରୀ ସରିଅଲ୍ ଏଲିଗାନ୍ସ’ ଜୁଏଲାରୀ ଦୋକାନରେ ମାଲିକ ଜୁମାର ବିକ୍ରମ ଦାସ ଅନୁପସ୍ଥିତ ଥିବା ବେଳେ କେବଳ ଦୁଇଜଣ ମହିଳା ସେଲ୍ସ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସମୟରେ ତିନି ଜଣ ଅଜଣା ଦୁର୍ବୃତ୍ତ ବନ୍ଧୁକ ଓ ଚାପଡ଼ ଧରି ଦୋକାନ ଭିତରେ ପଶିଥିଲେ ଏବଂ କର୍ମଚାରୀମାନଙ୍କୁ ଭୟଭୀତ କରାଇ ଡକାୟତି କରିବାକୁ ଉଦ୍ୟମ କରିଥିଲେ । ମାତ୍ର ଦୋକାନର ଲକର୍ ବନ୍ଦ ଥିବା ସହ ତା\’ର ଚାବି ମାଲିକଙ୍କ ପାଖରେ ଥିବାରୁ ସେମାନେ କୌଣସି ସୁନା ଅଳଙ୍କାର ବା ମୂଲ୍ୟବାନ ସାମଗ୍ରୀ ଲୁଟି ପାରିନଥିଲେ । ପ୍ରାୟ ୧୫ ରୁ ୨୦ ମିନିଟ୍ ଦୋକାନ ଭିତରେ ରହିବା ପରେ ସେମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । ଏନେଇ ଦୋକାନ ମାଲିକ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ପୋଲିସ ଦୋକାନ ଭିତର ଓ ବାହାର ରାସ୍ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତମାନେ ଲୁମ୍ବିନୀ ବିହାର ସ୍ଥିତ “ରୟାଲ୍ ଚେତନ ଇନ୍’ ହୋଟେଲରେ ରହିଥିଲେ । ପୋଲିସ ଉକ୍ତ ହୋଟେଲ ଗେଷ୍ଟ ରେଜିଷ୍ଟ୍ରେସନ୍ ଫର୍ମ ଓ ଅଭିଯୁକ୍ତମାନଙ୍କ ପରିଚୟ ପତ୍ର ଜବତ କରିଥିଲା ।
ତଦନ୍ତରୁ ଜଣାପଡ଼ିଥିଲା ଯେ, ମୁଖ୍ୟ ଅଭିଯୁକ୍ତ ପ୍ରେମାନନ୍ଦ ସାମଲ ଅନଲାଇନ୍ ବେଟିଂରେ ଲକ୍ଷ ଲକ୍ଷ ଟଙ୍କା ହାରିବା ପରେ ଜୁଏଲାରୀ ଦୋକାନରୁ ଲୁଟ୍ କରିବାକୁ ଯୋଜନା କରିଥିଲା । ଏଥିପାଇଁ ସେ ସୋସିଆଲ୍ ମିଡିଆ ଜରିଆରେ କର୍ଣ୍ଣାଟକର ଅସପାକ୍ ନାୟକୋଡି ଓ ଲକ୍ଷ୍ମଣ ବୋହାରା (ଯେଉଁମାନେ ମଧ୍ୟ ଅନଲାଇନ୍ ବେଟିଂରେ ଲକ୍ଷ ଲକ୍ଷ ଟଙ୍କା ହାରିଥିଲେ) ଙ୍କ ସହ ଯୋଗାଯୋଗ କରିଥିଲା । ଯୋଜନା ଅନୁଯାୟୀ ଉଭୟ କର୍ଣ୍ଣାଟକରୁ ଭୁବନେଶ୍ୱର ଆସି ହୋଟେଲ ରହିଥିଲେ ଏବଂ ୨୮.୧୦.୨୦୨୬ ତାରିଖରେ ଏକ ସ୍ପେ୍ଲଣ୍ଡର ବାଇକରେ ପ୍ଲାଷ୍ଟିକ୍ ପିସ୍ତଲ ଓ ଲୁହା ଚାପଡ଼ ଧରି ଜୁଏଲାରୀ ଦୋକାନରେ ଡକାୟତି ଉଦ୍ୟମ କରିଥିଲେ ।
ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବେଙ୍ଗାଲୁରୁ ଯାଇ ଚଢ଼ାଉ କରିଥିଲା । ପରବର୍ତ୍ତୀ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଭୁବନେଶ୍ୱର ରେଳ ଷ୍ଟେସନ ଅଞ୍ଚଳରେ ଚଢ଼ାଉ କରି ଅଭିଯୁକ୍ତ ପ୍ରେମାନନ୍ଦ ସାମଲ ଏବଂ ଅସପାକ୍ ନାୟକୋଡିକୁ କାବୁ କରିବାରେ ସଫଳ ହୋଇଥିଲା । ପଚରାଉଚରା ବେଳେ ଉଭୟ ନିଜ ଦୋଷ ସ୍ୱୀକାର କରିଥିଲେ । ସେମାନଙ୍କ ନିକଟରୁ ପ୍ଲାଷ୍ଟିକ୍ ପିସ୍ତଲ, ଲୁହା ଚାପଡ଼ ଏବଂ ହିରୋ ଏକ୍ସଟ୍ରିମ୍ ବାଇକ୍ ଜବତ କରାଯାଇଛି । ଗତକାଲି ତା ୧୩.୧୧.୨୦୨୬ ରାତି ୮ ଟାରେ ଉଭୟ ଅଭିଯୁକ୍ତଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟତମ ଫେରାର୍ ଅଭିଯୁକ୍ତ ଲକ୍ଷ୍ମଣ ବୋହାରାକୁ ଗିରଫ କରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

