ଜମିଜମା ମାମଲାରେ ବଡ଼ ସଂଶୋଧନ: ତହସିଲଦାର ଦେବେ ମାଲିକାନା

Reporterspen

ଭୁବନେଶ୍ୱର (ରିପୋର୍ଟର୍ସ ପେନ୍‌): ଜମି କିଣାବିକା ଓ ମାଲିକାନା କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ବନ୍‌ଦୋବସ୍ତ ଆଇନରେ ସଂଶୋଧନ କରି ତହସିଲଦାରଙ୍କୁ ବ୍ୟାପକ କ୍ଷମତା ଦେଇଛନ୍ତି । ଏହାଦ୍ୱାରା ତହସିଲଦାର ଜମି କ୍‌ରେତାଙ୍କୁ ମିଲାକାନା ଦେବେ । ଏଥିଲାଗି ବନ୍‌ଦୋବସ୍ତ ଅଧିକାରୀଙ୍କ ପାଖକୁ ଯିବାର କିଛି ଆବଶ୍ୟକତା ନାହିଁ ।

ରାଜ୍ୟରେ ଜମି ପଞ୍ଜିକରଣ ଓ କିଣାବିକାକୁ ଅଧିକ ସରଳ କରିବା ପାଇଁ ରାଜ୍ୟ ସରକାର ଏହି ସଂଶୋଧନ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି । ଏହି ନୁଆ ନିୟମ ଅନୁସାରେ ଏଣିକି ବନ୍‌ଦୋବସ୍ତ ହୋଇ ନଥିବା ଜମିର ମାଲିକାନା କ୍‌ରେତାଙ୍କୁ ତହସିଲଦାର ଦେବାକୁ କ୍ଷମତାପ୍ରାପ୍ତ ହେବେ ।

ଓଡିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍‌ସର ସଂଶୋଧନ ନିୟମର ଅନୁମୋଦନ କରି ମୁଖ୍ୟମନ୍ତ୍ରୀ ପୁରୁଣା ପଞ୍ଜୀକୃତ କବଲା କିମ୍ବା ଅନ୍ୟାନ୍ୟ ବୈଧ ଦଲିଲ ସମ୍ବନ୍ଧୀୟ ଜମିଜମା ରେକର୍ଡର ସଂଶୋଧନ ପାଇଁ ତହସିଲଦାରଙ୍କୁ କ୍ଷମତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଜମି କ୍‌ରେତାଙ୍କୁ ପଟ୍ଟା ପାଇବା ସହଜ ହେବ ।

ବର୍ତ୍ତମାନ ପ୍ରାବଧାନ ଅନୁସାରେ ବନ୍‌ଦୋବସ୍ତ ପ୍ରକ୍ରିୟା ପୂର୍ବରୁ କିଣିଥିବା ଜମିର ଜମି ପଟ୍ଟା ବନ୍ଦୋବସ୍ତ ଅଧିକାରୀ କ୍‌ରେତାଙ୍କ ନାମରେ କରନ୍ତି । କିନ୍ତୁ ଯଦି କୌଣସି କାରଣ ଯୋଗୁଁ ବନ୍ଦୋବସ୍ତ ପ୍ରକ୍ରିୟାରେ ଏହି ଜମିପଟ୍ଟା କ୍ରେତାଙ୍କ ନାମରେ କରାଯାଇ ନଥାଏ, ତେବେ କ୍ରେତା ଏଥିପାଇଁ ରାଜସ୍ୱ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ୍ କରିଥାନ୍ତି ।

ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ, ଏହି ଅପିଲ ଗୁଡିକ ବର୍ଷ ବର୍ଷ ଧରି ଫଇସଲା ନହୋଇ ପଡି ରହିଥାଏ । କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ଉପରୋକ୍ତ ରୁଲ୍ ସଂଶୋଧନ ଦ୍ୱାରା ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍‌ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାର ମାନେ କ୍ଷମତାପ୍ରାପ୍ତ ହେବେ ।

ଏହାଦ୍ୱାରା ସଂପୃକ୍ତ କ୍ରେତାମାନେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ ବୈଧ ଭାବେ କିଣିଥିବା ଜମିର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ । ସେମାନଙ୍କୁ ରାଜସ୍ୱ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ ବା ଆବେଦନ କରିବା ଆଉ ଦରକାର ହେବ ନାହିଁ ।


Reporterspen