ଭୁବନେଶ୍ୱର (ରିପୋର୍ଟର୍ସ ପେନ୍): ଆସନ୍ତା ୨୦ରୁ ଆରମ୍ଭ ହେବ ଖରିଫ ଧାନ କିଣା । ବରଗଡ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ପାଇଁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୮୦ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟିର ବ୍ୟୟ ବରାଦ ହୋଇଛି । ୯୭୩ଟି ସମବାୟ ସମିତି, ଜଗଉରେ ୫୧୬ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ।
ସୂଚନା ଥାଉକି, ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ମିଡିଲ ମ୍ୟାନ୍ ଫାଇଦା ନନେବା ପାଇଁ ଇ-କେୱାଇସି ଲାଗୁ କରାଯାଇଛି । ଗତବର୍ଷ ଠାରୁ ଧାନର ମୂଲ୍ୟ କୁଇଣ୍ଟାଲ୍ ପ୍ରତି ୩୧ ଶହ ଟଙ୍କାକୁ ବଢିଥିବାରୁ ଏବର୍ଷ ଅଧିକ ଚାଷୀ ପଞ୍ଜୀକରଣ କରିବାକୁ ଆଗ୍ରହୀ ଥିଲେ । ମାତ୍ର ଉତ୍ତରାଧିକାରୀ ପ୍ରମାଣପତ୍ର ଭାବେ ବଂଶାବଳି ପ୍ରମାଣପତ୍ର ଓ ଅନୁମତିପତ୍ରର ଗୋଲକଧନ୍ଧା ଭିତରେ ଚାଷୀ ନୟାନ୍ତ ହୋଇପଡିଥିଲେ । ଆରଆଇଙ୍କ ଠାରୁ ବଂଶାବଳୀ ପ୍ରମାଣପତ୍ର ଆଣିବା ଓ ଭାଇ ଭାଇ ବିବାଦରେ ଅନୁମତିପତ୍ର ଆଣିବା ଜଟିଳ ବ୍ୟବସ୍ଥା ଭିତରେ ଚାଷୀ ହନ୍ତସନ୍ତ ହୋଇଥିଲେ । ଅନେକ ଚାଷୀ ଏହି ସମସ୍ୟା କାରଣରୁ ପଞ୍ଜୀକରଣ କରିପାରିନଥିଲେ । ଅସନ୍ତୋଷ ବଢିବା ପରେ ଅନୁମତି ଆବଶ୍ୟକ ନାହିଁ ‘ସ୍ୱ-ଘୋଷଣାପତ୍ର’ ଦେଇ ପଞ୍ଜୀକରଣ ହୋଇପାରିବ ବୋଲି ଘୋଷଣା ହୋଇଥିଲା । ଏହାପର ଠାରୁ ପଞ୍ଜୀକରଣ ଦ୍ରୁତଗତିରେ ବଢିଚାଲିଲା । ଚାଷୀ ‘ସ୍ୱ-ଘୋଷଣାପତ୍ର’ ଦେଇ ପଞ୍ଜୀକରଣ କରିଥିଲେ ।

