ଆଇପିଏଲ୍‌ ୨୦୨୭: ୭ ଦଳର କ୍ୟାପଟେନ୍‌ ଫାଇନାଲ୍‌, ୩ ଟିମ୍‌ରେ ଚାଲିଛି ଖୋଜା

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଆଇପିଏଲ୍‌ ୨୦୨୭କୁ ନେଇ କ୍ରିକେଟ୍‌ ମହଲରେ ଏବେଠାରୁ ଉତ୍ସାହ ବଢ଼ିଲାଣି। ଆସନ୍ତା ଡିସେମ୍ବର ୧୬ ତାରିଖରେ ଗୋଆଠାରେ ଖେଳାଳି ନିଲାମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ସେମାନଙ୍କ ରିଟେନ୍‌ ଖେଳାଳିଙ୍କ ତାଲିକା ଘୋଷଣା କରିସାରିଛନ୍ତି। ତେବେ ଆଗାମୀ ସିଜିନ୍‌ ପାଇଁ ୭ଟି ଦଳର ଅଧିନାୟକ ପ୍ରାୟତଃ ଚୂଡ଼ାନ୍ତ ହୋଇଥିବାବେଳେ ଆଉ ୩ଟି ଦଳ ନୂଆ ଅଧିନାୟକ ଖୋଜୁଛନ୍ତି। ଏହି ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍‌ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ରହିଛନ୍ତି।

ନଭେମ୍ବର ୨୭ରେ ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଭାବେ ଘୋଷଣା କରିଛି। ଏହା ସହିତ ଅନ୍ୟ ଦଳଗୁଡ଼ିକର ଅଧିନାୟକ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

୧. ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ରୋହିତ ଶର୍ମାଙ୍କ ଉପରେ ଭରସା କରିଛି। ୨୦୨୪ ସିଜିନ୍‌ ପୂର୍ବରୁ ତାଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏବେ ପୁଣି ରୋହିତଙ୍କୁ ନେତୃତ୍ୱ ଦାୟିତ୍ୱ ମିଳିଛି। ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ ଥର ଆଇପିଏଲ୍‌ ଟ୍ରଫି ଜିତିଛି।

୨. ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)

ରଜତ ପାଟିଦାରଙ୍କ ନେତୃତ୍ୱରେ ଆର୍‌ସିବି ୧୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତିଥିଲା। ତାଙ୍କ ଉପରେ ଫ୍ରାଞ୍ଚାଇଜିର ଭରସା ରହିଛି। ତେଣୁ ୨୦୨୭ ସିଜିନ୍‌ରେ ମଧ୍ୟ ପାଟିଦାର ଆର୍‌ସିବିର ଅଧିନାୟକ ରହିବା ପ୍ରାୟ ନିଶ୍ଚିତ।

୩. ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)

ମହେନ୍ଦ୍ର ସିଂ ଧୋନି ଆଇପିଏଲ୍‌ରୁ ଅବସର ନେଇଥିବାରୁ ଏବେ ଚେନ୍ନାଇର ନେତୃତ୍ୱ ଭାର ଋତୁରାଜ ଗାଏକ୍ୱାଡ୍‌ଙ୍କ ହାତରେ ରହିବ। ଧୋନିଙ୍କ ଉପସ୍ଥିତିରେ ଋତୁରାଜଙ୍କୁ ଭବିଷ୍ୟତ ଅଧିନାୟକ ଭାବେ ପ୍ରସ୍ତୁତ କରାଯାଇଥିଲା। ସଞ୍ଜୁ ସାମସନ୍‌ ଦଳରେ ସାମିଲ ହେବା ପରେ ଅଧିନାୟକ ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ ଗାଏକ୍ୱାଡ୍‌ଙ୍କ ଉପରେ ଦଳର ଭରସା ରହିଛି।

୪. ଗୁଜରାଟ ଟାଇଟନ୍ସ

ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡ଼ିବା ପରେ ଶୁଭମନ ଗିଲ୍‌ଙ୍କୁ ଦଳର ଅଧିନାୟକ କରାଯାଇଥିଲା। ଏବେ ସେ ଭାରତୀୟ ଦଳର ଟେଷ୍ଟ ଓ ଦିନିକିଆ ଅଧିନାୟକ ମଧ୍ୟ ଅଛନ୍ତି। ତେଣୁ ୨୦୨୭ରେ ମଧ୍ୟ ଗିଲ୍‌ ଗୁଜରାଟର ନେତୃତ୍ୱ ନେବା ପ୍ରାୟ ନିଶ୍ଚିତ।

୫. ପଞ୍ଜାବ କିଙ୍ଗ୍ସ

ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ୍‌ ମାଧ୍ୟମରେ ପଞ୍ଜାବ କିଙ୍ଗ୍ସରେ ସାମିଲ ହେବା ପରେ ଅଧିନାୟକ ପଦକୁ ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ଶ୍ରେୟସ ଆୟର ହିଁ ଦଳର ଅଧିନାୟକ ରହିବେ ବୋଲି ହାର୍ଦ୍ଦିକ ସ୍ପଷ୍ଟ କରିଛନ୍ତି। ତେଣୁ ଆଗାମୀ ସିଜିନ୍‌ରେ ମଧ୍ୟ ଆୟରଙ୍କ ହାତରେ ଦଳର ନେତୃତ୍ୱ ରହିବ।

୬. ରାଜସ୍ଥାନ ରୟାଲ୍ସ

ସଞ୍ଜୁ ସାମସନ୍‌ ଦଳ ଛାଡ଼ିବା ପରେ ରାଜସ୍ଥାନ ରୟାଲ୍ସ ରିୟାନ ପରାଗଙ୍କୁ ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଯୁକ୍ତ କରିଥିଲା। ଯୁବ ଖେଳାଳି ଭାବେ ରିୟାନଙ୍କ ଉପରେ ଦଳ ଭବିଷ୍ୟତ ପାଇଁ ଭରସା କରିଛି। ତେଣୁ ୨୦୨୭ରେ ମଧ୍ୟ ସେ ଅଧିନାୟକ ରହିବା ସମ୍ଭାବନା ଅଧିକ।

୭. ସନ୍‌ରାଇଜର୍ସ ହାଇଦ୍ରାବାଦ

ପ୍ୟାଟ୍‌ କମିନ୍ସ ଆଇପିଏଲ୍‌ ୨୦୨୭ରେ ଖେଳିବାକୁ ଭାରତ ଆସିବେ ବୋଲି ସ୍ପଷ୍ଟ କରିଛନ୍ତି। ଯଦିଓ ସେ ପୂରା ସିଜିନ୍‌ ଖେଳି ନପାରନ୍ତି, ତଥାପି ତାଙ୍କୁ ଦଳର ଅଧିନାୟକ ଭାବେ ରଖାଯିବା ସମ୍ଭାବନା ରହିଛି। ତାଙ୍କ ଅନୁପସ୍ଥିତିରେ ଈଶାନ କିଶନ୍‌ ଦଳର ନେତୃତ୍ୱ ନେଇପାରନ୍ତି।

ଏହି ୩ ଦଳର ଅଧିନାୟକ କିଏ ହେବେ?

୮. ଦିଲ୍ଲୀ କ୍ୟାପିଟାଲ୍ସ

ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦକୁ ନେଇ ଏବେ ସବୁଠାରୁ ଅଧିକ ଚର୍ଚ୍ଚା। ଗତ ସିଜିନ୍‌ରେ ଅକ୍ଷର ପଟେଲ ଦଳର ନେତୃତ୍ୱ ନେଇଥିଲେ। ତାଙ୍କୁ ଦଳ ରିଟେନ୍‌ ମଧ୍ୟ କରିଛି। କିନ୍ତୁ ଟ୍ରେଡ୍‌ ମାଧ୍ୟମରେ ପୂର୍ବତନ ଅଧିନାୟକ ଋଷଭ ପନ୍ତ ଦଳକୁ ଫେରିବା ପରେ ଅଧିନାୟକ କିଏ ହେବେ, ତାହା ଅସ୍ପଷ୍ଟ ରହିଛି। ଏହାସହ ସୌରଭ ଗାଙ୍ଗୁଲି ମୁଖ୍ୟ କୋଚ୍‌ ଓ ଯୁବରାଜ ସିଂ ବ୍ୟାଟିଂ କୋଚ୍‌ ହେବା ମଧ୍ୟ ଦଳରେ ନୂଆ ସମୀକରଣ ସୃଷ୍ଟି କରିଛି।

୯. କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)

ଗତ ସିଜିନ୍‌ରେ ଅଜିଙ୍କ୍ୟ ରାହାଣେ କୋଲକାତାର ଅଧିନାୟକ ଥିଲେ। କିନ୍ତୁ ସେ ଅବସର ନେଇଥିବାରୁ ଦଳକୁ ନୂଆ ଅଧିନାୟକ ଖୋଜିବାକୁ ପଡ଼ିବ। ଏହି ଦୌଡ଼ରେ ରିଙ୍କୁ ସିଂଙ୍କ ନାମ ସବୁଠାରୁ ଆଗରେ ରହିଛି। ତେବେ ଫ୍ରାଞ୍ଚାଇଜି ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

୧୦. ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌

ଋଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଛାଡ଼ିବା ପରେ ଦଳର ଅଧିନାୟକ ପଦ ଖାଲି ପଡ଼ିଛି। ଏପର୍ଯ୍ୟନ୍ତ ଫ୍ରାଞ୍ଚାଇଜି ନୂଆ ଅଧିନାୟକଙ୍କ ନାମ ଘୋଷଣା କରିନାହିଁ। ତେଣୁ ଆଗାମୀ ସିଜିନ୍‌ରେ କିଏ ଦଳର ନେତୃତ୍ୱ ନେବେ, ତାହା ଉପରେ କ୍ରିକେଟ୍‌ପ୍ରେମୀଙ୍କ ନଜର ରହିଛି।

ଏବେ ଆଇପିଏଲ୍‌ ୨୦୨୭ର ମିନି ନିଲାମକୁ ଅପେକ୍ଷା। ନିଲାମ ପରେ ଏହି ୩ଟି ଦଳର ଅଧିନାୟକ ପଦକୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ।


Reporterspen