ରୋହିତଙ୍କ ଡେପୁଟି ହେବାକୁ ମନା କଲେ ବୁମ୍‌ରା, ମୁମ୍ବାଇରେ ନୂଆ ଚର୍ଚ୍ଚା

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଆଇପିଏଲ୍‌ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୁଣିଥରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମିଳିଥିବାବେଳେ ଉପଅଧିନାୟକ ପଦ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ଷ୍ଟାର୍‌ ବୋଲର ଯଶପ୍ରୀତ ବୁମ୍‌ରା। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ତାଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଭଦ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବା ନିଷ୍ପତ୍ତି ସ୍ପଷ୍ଟ ହେବା ପୂର୍ବରୁ ହିଁ ଅକ୍ଟୋବର ପ୍ରଥମ ସପ୍ତାହରେ ରୋହିତଙ୍କୁ ପୁଣି ଅଧିନାୟକ କରିବାକୁ ଫ୍ରାଞ୍ଚାଇଜି ନିଷ୍ପତ୍ତି ନେଇଥିଲା। ଅଧିନାୟକ ଚୟନ ସମୟରେ ଭାରତକୁ ଟି-୨୦ ବିଶ୍ୱକପ୍‌ ଜିତାଇଥିବା ସୂର୍ଯ୍ୟକୁମାର ଯାଦବଙ୍କ ନାମ ମଧ୍ୟ ବିଚାରକୁ ନିଆଯାଇନଥିଲା। ସେହିପରି ବୁମ୍‌ରା ଓ ତିଳକ ବର୍ମାଙ୍କୁ ମଧ୍ୟ ଏହି ଦାୟିତ୍ୱ ପାଇଁ ଚୟନ କରାଯାଇନଥିଲା।

ମୁମ୍ବାଇ ଇଣ୍ଡିଆନ୍ସରେ ବର୍ତ୍ତମାନ କୌଣସି ସ୍ଥାୟୀ ଉପଅଧିନାୟକ ନାହାନ୍ତି। ଅଧିନାୟକଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେବା ପାଇଁ ଜଣେ ଅଭିଜ୍ଞ ଓ ବରିଷ୍ଠ ଖେଳାଳିଙ୍କ ଆବଶ୍ୟକତା ରହିଛି। ଗତ ସିଜିନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଅନୁପସ୍ଥିତ ଥିବା ସମୟରେ ସୂର୍ଯ୍ୟକୁମାର ଯାଦବ ଓ ଯଶପ୍ରୀତ ବୁମ୍‌ରା ପର୍ଯ୍ୟାୟକ୍ରମେ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ।

କାହିଁକି ଉପଅଧିନାୟକ ପଦ ମନା କଲେ ବୁମ୍‌ରା?

ଯଶପ୍ରୀତ ବୁମ୍‌ରା ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ନିଜର ଘାତକ ବୋଲିଂ ବଳରେ ସେ ଅନେକ ମ୍ୟାଚ୍‌ର ମୋଡ଼ ବଦଳାଇବାର କ୍ଷମତା ରଖନ୍ତି। ୨୦୨୫ ମେଗା ନିଲାମ ପୂର୍ବରୁ ଫ୍ରାଞ୍ଚାଇଜି ତାଙ୍କୁ ୧୮ କୋଟି ଟଙ୍କାରେ ରିଟେନ୍‌ କରିଥିଲା। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଦଳ ସହ ରହିବା ପାଇଁ ନିଜ ଦରମାରେ କିଛିଟା କାଟ୍‌ କରିଥିଲେ।

ରିପୋର୍ଟ ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସର ଶୀର୍ଷ ନେତୃତ୍ୱ ବୁମ୍‌ରାଙ୍କୁ ଉପଅଧିନାୟକ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ତେବେ ସେ କାହିଁକି ଏଭଳି ନିଷ୍ପତ୍ତି ନେଲେ, ତାହାର କାରଣ ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ଗତ ସିଜିନ୍‌ରେ ଅଧିନାୟକଙ୍କ ଅନୁପସ୍ଥିତିରେ ବୁମ୍‌ରାଙ୍କୁ ଦଳର ନେତୃତ୍ୱ ନେବାକୁ ପଡ଼ିଥିଲା। ସେତେବେଳେ ନିଜ ଅଭିଜ୍ଞତା ବଖାଣି ବୁମ୍‌ରା କହିଥିଲେ, “ମୁଁ କେବେ ଭାବିନଥିଲି ଯେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ପୂର୍ବରୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଯିବି।”

ଏବେ ରୋହିତଙ୍କୁ ପୁଣି ଅଧିନାୟକ ଦାୟିତ୍ୱ ମିଳିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଉପଅଧିନାୟକ କିଏ ହେବେ, ତାହାକୁ ନେଇ କ୍ରିକେଟ୍‌ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।


Reporterspen