ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପାୟନ ମାଧ୍ୟମରେ “ସମୃଦ୍ଧ ଓଡ଼ିଶା ୨୦୩୬” ସ୍ୱପ୍ନକୁ ସାକାର କରୁଛନ୍ତି ଡବଲ ଇଞ୍ଜିନ ସରକାର: ତେଜେଶ୍ୱର ପରିଡ଼ା

Reporterspen

ଭୁବନେଶ୍ୱର, (ରିପୋର୍ଟର୍ସ ପେନ୍): ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ଲୁକ୍ ଇଷ୍ଟ୍‌” ନୀତି ଏବଂ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶାର ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତି ଏକ ନୂତନ ଶିଖର ଛୁଇଁବାକୁ ଯାଉଛି । ଆଜି ଓଡ଼ିଶା କେବଳ ଭାରତବର୍ଷରେ ନୁହେଁ ବରଂ ବିଶ୍ୱର ଅନ୍ୟତମ ଅର୍ଥନୈତିକ ପ୍ରଗତି ପଥେ ଆଗଉଥିବା ସମୃଦ୍ଧିଶାଳୀ ରାଜ୍ୟ ହେବାକୁ ଯାଉଛି । ଡବଲ ଇଞ୍ଜିନ ସରକାର ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପାୟନ ମାଧ୍ୟମରେ “ସମୃଦ୍ଧ ଓଡ଼ିଶା ୨୦୩୬” ସ୍ୱପ୍ନକୁ ସାକାର କରୁଛି । ଗତକାଲି ରାଜ୍ୟ ସରକାରଙ୍କ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରୀ କମିଟି ଦ୍ୱାରା ୧୦ଟି ଜିଲ୍ଲାରେ ପ୍ରାୟ ୩,୮୧୦ କୋଟି ଟଙ୍କାର ୧୯ଟି ବୃହତ୍ ଓ ମଧ୍ୟମ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି, ଯାହା ରାଜ୍ୟ ପାଇଁ ଏକ ଐତିହାସିକ ମାଇଲଖୁଂଟ । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ପ୍ରାୟ ୧୧,୨୫୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସ୍ୱଚ୍ଛ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା ଏବଂ ନିବେଶକ-ଅନୁକୂଳ ବାତାବରଣ ସୃଷ୍ଟି କରି ଓଡ଼ିଶାକୁ ପୂର୍ବ ଭାରତର ପ୍ରମୁଖ ଶିଳ୍ପ ପ୍ରାଣକେନ୍ଦ୍ର ଭାବେ ଗଢ଼ି ତୋଳିଥିବାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ମୁଖପାତ୍ର ଶ୍ରୀ ତେଜେଶ୍ୱର ପରିଡ଼ା ଧନ୍ୟବାଦ ଜଣାଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପରିଡ଼ା କହିଛନ୍ତି ଯେ, ପୂର୍ବ ସରକାର ସମୟରେ ଓଡ଼ିଶା କେବଳ ଖଣି ଓ ଧାତବ ଶିଳ୍ପ ଉପରେ ନିର୍ଭରଶୀଳ ଥିବାବେଳେ ଆଜିର ଡବଲ୍ ଇଞ୍ଜିନ୍ ସରକାର ଏଥିରେ ବ୍ୟାପକ ବିବିଧତା ଆଣିଛନ୍ତି । ବର୍ତମାନ ଉତ୍ପାଦନ ଶିଳ୍ପରୁ ଆରମ୍ଭ କରି ସର୍ଭିସ୍ ସେକ୍ଟର, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା, ଟେକ୍ସଟାଇଲ୍‌, ଗ୍ରୀନ୍ ମୋବିଲିଟି ଏବଂ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଦେଶବିଦେଶର ନିବେଶକମାନେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳୀ ଭାବେ ବାଛୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ପର୍ଯ୍ୟଟନ ବିକାଶକୁ ଆଗେଇ ନେଇ ଓଡ଼ିଶା ସରକାର ପର୍ଯ୍ୟଟନ ଓ ହସ୍ପିଟାଲିଟି କ୍ଷେତ୍ରରେ ୬୦୭ କୋଟି ଟଙ୍କାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏଥିରେ କୋରାପୁଟ ଜିଲ୍ଲାରେ ୫-ଷ୍ଟାର୍ ଓ ୪-ଷ୍ଟାର୍ ହୋଟେଲ ସମେତ ଇକୋ-ଟୁରିଜିମ୍ ପ୍ରକଳ୍ପ ରହିଛି, ଯାହା ସ୍ଥାନୀୟ ବ୍ୟବସାୟକୁ ସମୃଦ୍ଧ କରିବ ।

ଝାରସୁଗୁଡ଼ାରେ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛି । ପଶ୍ଚିମ ଓଡ଼ିଶାର ଅନ୍ୟତମ ଅର୍ଥନୈତିକ ପ୍ରାଣକେନ୍ଦ୍ର କୁହାଯାଉଥିବା ଝାରସୁଗୁଡ଼ାରେ ୩୧୧ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶାଲିଟି ଡାକ୍ତରଖାନା ନିର୍ମାଣକୁ ମଞ୍ଜୁରୀ ଦିଆଯାଇଛି । ଏହାଦ୍ୱାରା ଉନ୍ନତ ସ୍ୱାସ୍ଥ୍ୟସେବା ସହ ୭୦୦ରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହେବ । ପୂର୍ବରୁ ଟେକ୍ସଟାଇଲ୍ ଓ ଆପାରେଲ୍ କାରଖାନାରେ କାମ କରିବା ପାଇଁ ଓଡ଼ିଶାର ବହୁ ଯୁବକ ଯୁବତୀ ବାହାର ରାଜ୍ୟକୁ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ଯାଉଥିଲେ । କରୋନା ମହାମାରୀ ସମୟରେ ଏହି ଦୁଃଖଦ ଚିତ୍ର ଦେଖିବାକୁ ମିଳିଥିଲା । ଏବେ ତାହାର ଠିକ ଓଲଟା ହେଉଛି, ଓଡ଼ିଶାରେ ନିଯୁକ୍ତିର ଅପାର ସମ୍ଭାବନା ସୃଷ୍ଟି ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୨୨୫ କୋଟି ଟଙ୍କା ବ୍ୟୟରେ ପୋଷାକ ଉତ୍ପାଦନ କାରଖାନା ପ୍ରତିଷ୍ଠା ହେବ ।

ଏଥିରେ ୫,୫୦୦ରୁ ଅଧିକ ଯୁବକଯୁବତୀ ନିଯୁକ୍ତି ପାଇବେ, ଯାହାଫଳରେ ଓଡ଼ିଶାର ଦାଦନ ସମସ୍ୟା ବହୁ ପରିମାଣରେ ଦୂର ହୋଇପାରିବ । ଦିନେ ଶିଳ୍ପବିହୀନ କୁହାଯାଉଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ସିପ୍ ବିଲ୍ଡିଂ କ୍ଲଷ୍ଟର ସହ ଏବେ ସୌରଶକ୍ତି ଚାଳିତ ମୋଟର ବୋଟ୍ ନିର୍ମାଣ କାରଖାନା ସ୍ଥାପନ ହେବାକୁ ଯାଉଛି, ଯାହା “ଗ୍ରୀନ୍ ମେରାଇନ୍ ମୋବିଲିଟି” କ୍ଷେତ୍ରରେ ଓଡ଼ିଶାକୁ ନୂଆ ପରିଚୟ ଦେବ । ସୁନ୍ଦରଗଡ଼, ଗଞ୍ଜାମରେ ଷ୍ଟିଲ ଓ ଇଣ୍ଡଷ୍ଟ୍ରିକୁ ନେଇ ନୂଆ ପ୍ରକଳ୍ପ ହେବାକୁ ଯାଉଛି । ଶକ୍ତି କ୍ଷେତ୍ରରେ ଏବଂ ରିନ୍ୟୁଏବଲ୍ ଏନର୍ଜି କ୍ଷେତ୍ରରେ ମଧ୍ୟ ଆଉ କିଛି ପାହାଚ ଓଡ଼ିଶା ଆଗକୁ ଛଢ଼ିବାକୁ ଯାଉଛି । କଟକ ଓ ସୁନ୍ଦରଗଡ଼ଠାରେ ବିଭିନ୍ନ ଶକ୍ତି ପ୍ରକଳ୍ପ ଦ୍ୱାରା ଓଡ଼ିଶାକୁ ଶକ୍ତି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବ । ଫାର୍ମାସ୍ୟୁଟିକାଲ୍‌, ମେଡିକାଲ ସରଞ୍ଜାମ ନିର୍ମାଣ, କେମିକାଲ ଓ ପେଟ୍ରୋକେମିକାଲ କ୍ଷେତ୍ରରେ ପୁଞ୍ଜି ନିବେଶ ଓ ଶିଳ୍ପ ପ୍ରତିଷ୍ଠା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଶିଳ୍ପାୟନକୁ ଏକ ଭିନ୍ନ ପରିଚୟ ଦେବ । ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଯାଉଥିବା ଶିଳ୍ପ ସହିିତ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ୦.୧୫ ଏମଟିପିଏ କ୍ଷମତା ବିଶିଷ୍ଟ ଇଂଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଂଟ ଓଡ଼ିଶାର କୁଶଳୀ ଯୁବକଯୁବତୀମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଯାଉଛି ।

ସୁନ୍ଦରଗଡ଼ରୁ କୋରାପୁଟ ଏବଂ ଜଗତସିଂହପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଉତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ମୋଟ୍ ୧୯ଟି (ସୁନ୍ଦରଗଡ଼-୪, କୋରାପୁଟ-୩, ଝାରସୁଗୁଡ଼ା-୨, ବାଲେଶ୍ୱର-୨, କଟକ-୨, ଖୋର୍ଦ୍ଧା-୨, କେନ୍ଦୁଝର-୧, ଗଞ୍ଜାମ-୧, କେନ୍ଦ୍ରାପଡ଼ା-୧ ଓ ଜଗତସିଂହପୁର-୧) ନିବେଶ ରାଜ୍ୟର ସାମଗ୍ରିକ ଓ ସମତୁଲ ବିକାଶ ପ୍ରତି ଡବଲ୍ ଇଞ୍ଜିନ୍ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ପାଖାପାଖି ୧୧,୨୫୦ରୁ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି କରି ଓଡ଼ିଶା ପାଇଁ ଗୋଟେ ଅନନ୍ୟ ରେକର୍ଡ କରିବାକୁ ଯାଉଛି । ଆଗାମୀ ଦିନରେ ଓଡ଼ିଆ ଯୁବକ ଯୁବତୀମାନଙ୍କୁ ଆଉ କାମ ଅନ୍ୱେଷଣରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବରଂ ଅନ୍ୟ ରାଜ୍ୟମାନଙ୍କ ପାଇଁ ଓଡ଼ିଶା ସବୁବେଳେ ଉଦାହରଣ ହୋଇ ରହିବା ସହ ଦେଶର ଅର୍ଥନୈତିକ ପ୍ରଗତିର ସାରଥୀ ସାଜିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।


Reporterspen